ଏ ସନ ଫଗୁଣ ନ ହେଉ କାଳ
ଏ ସନ ଫଗୁଣ ଧରେ ଅବଗୁଣ
ଆସିବ କି କାଳ ସଙ୍ଗତେ ଘେନି,
ରୂପ ରଙ୍ଗ ଯେତେ ଭାବ ବିପରୀତେ
ମୂଳୁ ଯାଏ ଟଳି କମ୍ପେ ଅବନୀ!
ସହକାରେ ଗୁନ୍ଥା ବଉଳର ପେନ୍ଥା
ଅଭାବେ ଶୋଭାର ସଉକ ନାହିଁ,
ବସନ୍ତ ରୁଷିଛି ମଳୟ ଫସିଛି
ଆମ୍ର କାନନରେ ମହକ କାହିଁ,
ପିକ ଆନ ମନ ଶୁଭୁ ନାହିଁ ତାନ
ହଳଦୀ ବସନ୍ତ ନୀରବିଲାଣି,
ଏ ସନ ଫଗୁଣ ଧରେ ଅବଗୁଣ
ଆସିବ କି କାଳ ସଙ୍ଗତେ ଘେନି!
ରୌଦ୍ର ପ୍ରତାପ ସାଜଇ ଘାତକ
ଭୀଷଣ ଉତ୍ତାପ ପରାଣ ନାଶେ,
ଗ୍ରୀଷ୍ମ ଆସେ ଧାଇଁ ସରହଦ ଡେଇଁ
ମଧୁ ଅବକାଶେ ଛନକା ପଶେ!
କୂପ ପୁଷ୍କରିଣୀ ସ୍ତର ଖସିଲାଣି
ବସନ୍ତେ ବୈଶାଖୀ କରେ ଛାନିଆଁ,
ମଳୟ ବେଳାରେ ପ୍ରଳୟ ଖେଳାରେ
ପ୍ରାଣ ପରିତ୍ରାଣେ ଥରେ ଦୁନିଆଁ,
ଭବ ଦୁର୍ବିପାକେ ଭୁବନ ଆତଙ୍କେ
ଶଙ୍କି ଲାଣି ମନ ବିରଷେ ପୁଣି,
ରୂପ ରଙ୍ଗ ଯେତେ ଭାବ ବିପରୀତେ
ମୂଳୁ ଯାଏ ଟଳି କମ୍ପେ ଅବନୀ!
ଏ ସନ ଫଗୁଣ ବିପରୀତ ଗୁଣ
ଭୁବନ ଜୀବନ କରେ ବ୍ୟାକୁଳ,
ପ୍ରକୃତି ନିମନ୍ତେ ଲଢ଼ ଏକ ମତେ
ବିଧାତା ଆଶିଷେ ନ ଆସୁ କାଳ!
ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ,
୯୫୮୩୪୩୮୧୭୪