ପାନ ବଟୁଆ
ଓଡ଼ିଆ ଜାଣିଛି ଦେବତା ମଣିଛି
ଅତିଥି ସେବାରେ ଢାଳିଛି ମନ,
ଭୋଜନ ଭାଜନ ମନ ମହକନ
ମଧୁର ଭାବରେ ଦେଇଛି ଧ୍ୟାନ।
ଭୋଜନର ଶେଷେ ବରାଦେ ହରଷେ
ମୁଖରେ ମଧୁର ଆସ୍ବାଦେ ପାନ,
ଚୂନ ଗୁଆ ଖଣ୍ଡି ଖଇରରେ ଗୁଣ୍ଡି
ପାନମଧୁରୀରେ ଲବଙ୍ଗ ଚୂର୍ଣ୍ଣ,
ଜାଇଫଳ ଖଣ୍ଡ ଅଳେଇଚ ଗୁଣ୍ଡ
ବିବିଧ ସୁବାସ ପାନେ ପ୍ରଦାନ,
ଓଡ଼ିଆ ଜାଣିଛି ଦେବତା ମଣିଛି
ଅତିଥି ସେବାରେ ଢାଳିଛି ମନ!
ଜଗନ୍ନାଥଙ୍କର ମୁଖ ବାସେ ସାର
ମଧୁର ପାନକୁ ଦେଇଛି ଖଞ୍ଜି,
ବ୍ୟଞ୍ଜନର ଅନ୍ତେ କାଳିଆ ସାଆନ୍ତେ
ପାନକୁ ଘେନନ୍ତି କଳରେ ଗୁଞ୍ଜି।
ଓଡ଼ିଆ ଜାଣିଛି ପାନ କରାମତି
ଖିଲ ଘେନି ବୋଲ ମାନୁଛି ମନ,
ପାନ ଗୁଆ କାତି ମସଲା ପ୍ରଜାତି
‘ପାନବଟୁଆ’ ରେ କରଇ ପୂର୍ଣ୍ଣ,
ପୂଜା ପାର୍ବଣରେ ଯାନି ଯାତରାରେ
ବଟୁଆ ସଙ୍ଗତେ ଦୂରେ ଗମନ,
ଭୋଜନ ଭାଜନ ମନ ମହକନ
ମଧୁର ଭାବରେ ଦେଇଛି ଧ୍ୟାନ!
ଓଡ଼ିଆ ସଂସ୍କୃତି ସଂସାରେ ସୁଖ୍ୟାତି
ରଖିଛି ତା’ କୃତି କୀର୍ତ୍ତି କାରଣେ,
ପାନ ବଟୁଆର ମନମୁଗ୍ଧକର
ସେବାର ବଢ଼ିଆ ଗୁଣ ବଖାଣେ!
ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ,
୯୫୮୩୪୩୮୧୭୪