ପଖାଳ
ଜଗତରେ ସାର
ପଖାଳ ଆମର
ଓଡ଼ିଆଙ୍କ କଥା କହେ,
ଜଗତର ନାଥ
ଶ୍ରୀମହା ପ୍ରସାଦ
ଯୁଗର ବାରତା ଦିଏ | ( ୧ )
ସେ ଟଙ୍କ ତୋରାଣି
ପରସାଦ ମଣି
ଲୋଡନ୍ତି ଜଗତ ଜନ,
ନାହିଁ ଭାବ ଭେଦ
ଅସୁଖ ଅବୋଧ
ଲାଗେ ଅମୃତ ସମାନ | ( ୨ )
ପଖାଳ ଭାତର
ଗୁଣର ମହକ
ମଣିଷର ମନ ମୋହେ,
ଲଙ୍କା ଏକ ଖଣ୍ଡ
ପିଆଜ ଦି.ଖଣ୍ଡ
ଅଣ୍ଟାକୁ ସଳଖି ଦିଏ | ( ୩ )
ଦହି ଶାଗ ଭଜା
ପଖାଳକୁ ରଜା
ଭୋଜନେ ସରସ ଅତି,
ଯୋଗୀ ଭୋଗୀ ତ୍ୟାଗୀ
ହୁଅନ୍ତି . ସରାଗୀ
ପୁଲକିତ କରେ ମତି | ( ୪ )
ଅଦ୍ଭୂତ ଶକତି
ରହିଛି ଭରତି
କି ଅବା ପଖାଳ ଭାତେ,
ଯେତେ ଗୁଣୀ ଜ୍ଞାନୀ
ଦୀନ ଧନୀ ମାନୀ
ତୃପତ ଲଭନ୍ତି ସତେ |( ୫ )
ଗରୀବ ଜନର
ନାହିଁ ଦରକାର
ଡାଲି ତରକାରୀ ଭଜା,
ପଖାଳ କଂସାର
ଜୀବନ ତାହାର
ରହିଥାଏ ପରା ତାଜା | ( ୬ )
ବସେ ନାହିଁ ଦଣ୍ଡେ
ମୁଣ୍ଡ ଝାଳ ତୁଣ୍ଡେ
ମାରି ଖଟେ ଦିନ ରାତି,
ପଖାଳଟା ଅତି
ଭରସାର ସାଥୀ
ଦେହେ ବଢ଼ାଏ ଶକତି | ( ୭ )
କାଳରେ ସକାଳ
ଭୋଜନେ ପଖାଳ
ଏତ ଖାଦ୍ୟ ସାରକଥା,
ଲୋଡଇ ଯେ ଜନ
ତୋଷ ହୁଏ ମନ
ତୁଟଇ ସକଳ ବ୍ୟଥା | ( ୮ )
ଖାଦ୍ୟରେ ତରଳ
ହଜମ ସରଳ
ନଥାଏ ଶରୀର କଷ୍ଟ,
ନକରି ଭୋଜନ
ଜାଣିବ କେସନ
ଏଭଳି ଖାଦ୍ୟ ଉତ୍କୃଷ୍ଟ ? ( ୯ )
ଗରୀବର ବନ୍ଧୁ
ପ୍ରତି ରକ୍ତ ବିନ୍ଦୁ
ଧନ୍ୟ ତୁ ପଖାଳ ଭାତ,
ତୋ କୃପା କାରଣ
ଦୁଃଖୀ ଜନ ପ୍ରାଣ
ବିଶ୍ଵେ ରହିଛି ଅକ୍ଷତ | ( ୧୦)
ସୀମାଞ୍ଚଳ ପଣ୍ଡା
ଶିକ୍ଷକ,ଡ଼େଙ୍ଗାଡି, ଗଞ୍ଜାମ
Mob. ୯୫୮୩୪୩୮୧୭୪