ପ୍ରମାଦ
ଭଲରେ ପ୍ରମୋଦ ଭୁଲରେ ପ୍ରମାଦ
ନର ଅନୁଭବେ ଜୀବନ ସାରା,
ବିପରୀତ ଭାବ ପ୍ରାରବ୍ଧ ସଂଯୋଗ
କର୍ମଘେନି ଫଳ ପ୍ରାପତ ପରା।
କର୍ମ ପଥ ହୁଡ଼ି ବିପଥେ ଦଉଡ଼ି
ବିପଦ ବରଣ ହୁଅଇ ସାର,
ପ୍ରମାଦ ଆସେନା ବାଟ ବଣା ବିନା
ମନ୍ଦେ ଛନ୍ଦେ ଦ୍ୱନ୍ଦ୍ବେ କରଇ ଘର,
ସ୍ୱଚ୍ଛ ମନେ ନର ସ୍ୱଚ୍ଛନ୍ଦେ ସାକାର
କରେ କର୍ମ ଫଳ ଦିଏ ସାହାରା,
ଭଲରେ ପ୍ରମୋଦ ଭୁଲରେ ପ୍ରମାଦ
ନର ଅନୁଭବେ ଜୀବନ ସାରା।
ସାଧନା ସହିତ ସିଦ୍ଧି ହୁଏ ପ୍ରାପ୍ତ
ପ୍ରମାଦ କି ଦାଉ ସାଧି ପାରଇ,
ସିଦ୍ଧି ର ସନ୍ତୁଷ୍ଟି ନରେ କରେ ପୁଷ୍ଟି
ଜୀବନ ସୋପାନେ ସାଧୁତା ରହି।
ଯେତେ ଦୁଃଖ ଭୋଗ ପ୍ରମାଦ ବିଭାଗ
ଦୁର୍ବଳ କାଳର ସବଳ ରୋଗ,
ଭଲ ଗଲେ ବଢ଼ି ଭୁଲ ହେବ ତଡ଼ି
ଆମୋଦେ ଆସିବ ସ୍ୱର୍ଗ ସରାଗ!
ଦୋଷ ପାଇଁ ସିନା ଦୁର୍ଦ୍ଦଶାର ବାନା
ଉଡ଼ିବ ପ୍ରମାଦେ ଦେଇ ଆଶରା,
ବିପରୀତ ଭାବ ପ୍ରାରବ୍ଧ ସଂଯୋଗ
କର୍ମ ଘେନି ଫଳ ପ୍ରାପତ ପରା!
ସମ୍ପଦେ ଗୋଡ଼ାଇ ବିପଦ ବଢ଼ାଇ
ମରଣେ ବରଣ କରଇ ନର,
ଅସଭ୍ୟ ମାନବ ଉଗ୍ର ମନୋଭାବ
ପ୍ରମାଦ ପ୍ରଭାବ ନାଶେ ସଂସାର!
ଶିକ୍ଷକ , ଡେଙ୍ଗାଡି , ଗଞ୍ଜାମ,
୯୫୮୩୪୩୮୧୭୪
72 total views, 1 views today