ଆରାଧନା
ଆରାଧନା କିବା ପୂଜା ଅରଚନା
ଉପାସନା ନୀରାଜନା,
କୋରାନ ଆଜାନ ଗୁରୁବାଣୀ ତତ୍ତ୍ୱ
ଗୁଞ୍ଜିତ ଭୂମି ରୁ ଭୁମା.
ଓଁକାର ନିନାଦ ବେଦ ମନ୍ତ୍ର ଧ୍ୱନି
ପ୍ରାର୍ଥନା ବନ୍ଦନା ସ୍ତୋତ୍ର,
ହୋମ ଯଞ୍ଜ ବ୍ରତ ଧୂପ ଦୀପ ଦାନ
ପରିଧାନ ଶୁଦ୍ଧ ବସ୍ତ୍ର.
ପଞ୍ଚଭୂତେ ଗଢା ମାନବ ଶରୀର
ପାଞ୍ଚଭୂତ ର ସଂସାର,
କୀଟ ଠାରୁ ଯେତେ ଜୀବ ମହା ଜୀବ
ସଭିଙ୍କ ସୃଷ୍ଟି ଆଧାର.
ଅନ୍ତର ରେ ଥାନ୍ତି ପ୍ରଭୁ ଅନ୍ତର୍ଯ୍ୟାମୀ
ପ୍ରେମ ର ଶାଶ୍ୱତ ରୂପ,
ତେଣୁ ଏ ସଂସାର ଅଟେ ପ୍ରେମ ମୟ
ପ୍ରେମ ଛନ୍ଦେ ଛନ୍ଦାୟିତ.
ସ୍ନେହ ସୌହାର୍ଦ୍ଦ୍ୟ ଓ ସମାଦର ଭାବ
ଯା ହୃଦେ ସଭିଙ୍କ ପାଇଁ,
ସେ ଯେ ଆରାଧନା ସ୍ବର୍ଗୀୟ ଭାବନା
ଦୁଷ୍ଟ କୁ ଶିଷ୍ଟ ଗଢ଼ଇ.
ପ୍ରେମ ହିଁ ତ ଶକ୍ତି ଐଶୀ ଓ ମହାର୍ଘ୍ୟ
ହିଂସ୍ର କୁ କରଇ ବଶ,
ଆଚରଣ ଉଚ୍ଚାରଣ କୁ ସୁନ୍ଦର
କରି ପ୍ରାପତ ଆଶିଷ.
ଶୁଷ୍କ ବିଟପ ରେ ସୃଜେ ପଲ୍ଲଵନ
ପୁତ ପିୟୁଷ ର ଧାରା,
ମୂକ ରୁ ବାଚାଳ ପଙ୍ଗୁ ଲଂଘେ ଗିରି
ସ୍ପର୍ଶ ଯା ଅମୋଘ ତୋରା.
ଅୟୁତ ପ୍ରାର୍ଥନା ମନ୍ୱନ୍ତରୁ ଅର୍ଘ୍ୟ
ନିଶ୍କର୍ଷେ ସଂଭ୍ରୁତ ପ୍ରେମେ,
ଆବଶ୍ୟକତା ସେ ଔଚିତ୍ୟ ବି ସେହି
ସ୍ଥିତ ସ୍ଥିତି ଉତ୍ତରଣେ.
ସେହି ଦିବ୍ୟ ନିଧି ଅମୃତ ପସରା
ଆରାଧନା ଅରଚନା,
ତ୍ୟାଗ ଭକ୍ତି ଶକ୍ତି ମୁଗ୍ଧ ବିଭୋରତା
ହେଉ ସଭିଙ୍କ ଯାଚନା
ମିନତି ଦାଶ
ବାରିପଦା