ଅଣୁଗଳ୍ପ – “ବଖରାଏ ଘର ”
ମନେପଡେ,ସେଇ ଅତୀତ.. ସେଇ ଅବିବେକୀ ମଣିଷର ତାତ୍ସଲ୍ୟ ଭରା ହସ ଏବଂ ମୁଁ ଗରୀବ ବୋଲି ସେ କରୁଥିବା ପରିହାସ ! ସତରେ ଯେମିତି ଗରୀବଙ୍କ ସାମ୍ରାଜ୍ୟ ଆଉ ଧନୀର ସାମ୍ରାଜ୍ୟ ଭିନ୍ନ..! ଭିନ୍ନ ରକ୍ତ ବିନ୍ଦୁ ଆଉ ଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ | ସେଥିପାଇଁ ବୋଧେ ସେ କରେ ନାନା ପରିହାସ ଆଉ ଅର୍ଥକୁ ନେଇ କରେ ନାନା ସମାଲୋଚନା ….|
ଆଜି ମୋ ପାଖରେ ଟଙ୍କା, ବ୍ୟାଙ୍କ, ବାଲାନ୍ସ, ସୁନା, ରୂପା, ଗହଣାଗାଣ୍ଠି ସବୁ ଅଛି ସବୁ ପ୍ରାଚୁର୍ଯ୍ୟ ଭିତରେ ମୋ ଜୀବନ କଟୁଛି | ପୂର୍ବର ସେଇ ସମାଲୋଚନା ପାଲଟୁ ଥିବା ମଣିଷଟି ଆଜି ସମସ୍ତଙ୍କ ଆଲୋଚନା ପାଲଟିଛି କିନ୍ତୁ ସେଇ ସମାଲୋଚନା କରୁଥିବା ବ୍ୟକ୍ତିତ୍ୱ ଆଜି ବଖରାଏ ଘରର ଆଶ୍ରୟ ନେଇଛି | ସେ ଆଉ କେହି ନୁହେଁ ମୋର ପ୍ରିୟ ସାଙ୍ଗ ନରେନ୍ଦ୍ର ପାତାଳ ସିଂହ | ପିଲାଟି ଦିନରୁ ବହୁତ ଭଲ ସାଙ୍ଗ ଆମେ କିନ୍ତୁ ସେ ଅର୍ଥକୁ ନେଇ ବହୁତ ଗର୍ବ କରେ ତା’ର ବାପା ରେଳ ବିଭାଗରେ ଚାକିରୀ କରିଥିବାରୁ ତାଙ୍କର କୌଣସି ଅସୁବିଧା ହୁଏନାହିଁ ଚଳିବାରେ କିନ୍ତୁ ଆମର ଠିକ ବିପରୀତ | ଝୁମ୍ପୁଡ଼ି ମାଟି କାନ୍ଥର ବଖରାଏ ଘରେ ଆମେ ପରିବାରର ଛ ପ୍ରାଣୀ କଷ୍ଟେ ମଷ୍ଟେ ଚଳୁ | ନରେନ୍ଦ୍ର ଯେତେବେଳେ ଆମ ଘରକୁ ବୁଲିବାକୁ ଆସେ ସେ ତା’ର ଆତ୍ମ ବଡ଼ିମା ଦେଖାଇ ଆମର ଗରିବୀ କୁ ବିଦ୍ରୁପ କରେ ଆଉ କୁହେ ଦୁଇ ବଢିବା ଝିଅ ପୁଣି ତୁମେ ବାପା ମା ଆଉ ଦୁଇ ଭାଇ ବଖରାଏ ଘରେ ଚଳୁଛ ଯେଉଁଠି ହାଣ୍ଡି ସେଇଠି ମାଣ୍ଡି ଏମିତି ନାନା କଥା କୁହେ କିନ୍ତୁ ପ୍ରତି ଉତ୍ତର ଦେବାକୁ କିଛି ଶବ୍ଦ ନାହିଁ କାରଣ କଥାରେ ଅଛି, “ସ୍ୱର୍ଗକୁ ନିଶୁଣି ନାହିଁ କି ବଡ଼ ଲୋକର କଥାକୁ ଉତ୍ତର ନାହିଁ ” ଏଇ କଥାକୁ ମନେ ପକାଇ ମୁଁ ନୀରବ ରୁହେ |
ବୟସର ପାହାଚ ଚଢି ଆମେ ଦୁଇ ଭାଇ ଆଉ ଦୁଇ ଭଉଣୀ କୈଶୋର ଅବସ୍ଥାରେ ପାଦ ଦେଲୁ ଦୁଃଖେ ସୁଖେ ଦୁଇ ଭଉଣୀଙ୍କୁ ହାତକୁ ଦି ହାତ କଲୁ ତାପରେ ଆମେ ଦୁଇ ଭାଇ କଠିନ ପରିଶ୍ରମ କରି ଆତ୍ମ ନିର୍ଭରଶୀଳ ହୋଇ ପାରିଲୁ ଏବଂ ମୋ ସାଙ୍ଗ ନରେନ୍ଦ୍ର ତା’ର ବାପାଙ୍କ ପଦବୀରେ ରହିଲା ଆଉ ମୁଁ ବର୍ତମାନ ବ୍ୟାଙ୍କର ମ୍ୟାନେଜର ଏବଂ ମୋ ଭାଇ ନୌ ସେନାବାହିନୀରେ କାର୍ଯ୍ୟରତ | ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେଲୁ ଏବଂ ବାପାମା, ସ୍ତ୍ରୀ ପିଲା ସହିତ ଖୁସିରେ କାଳାତିପାତ କରୁଛୁ |
ଥରେ , ବ୍ୟାଙ୍କରୁ ଫେରୁଥିବା ସମୟରେ କାରର ପଛ ଚକା ଏକ ବଖରାଏ କୁଡ଼ିଆ ଘର ସାମ୍ନାରେ ଫାଟି ଯିବାରୁ ଡ୍ରାଇଭର କୁ ଗାଡି ମରାମତି ପାଇଁ ଦେଇ ସେଇ ବଖରାଏ ଘର ସାମ୍ନାରେ ଥିବା ବାରଣ୍ଡା ଉପରେ ବସି ପଡିଲି କିଛି ସମୟ ବସିବା ପରେ ଘର ଭିତରୁ କାହାର କାନ୍ଦଣା ସ୍ୱର ଶୁଣାଗଲା ଆଉ ସେଇ ସ୍ୱରଟି ଭାରି ପରିଚିତ ଲାଗୁଥିଲା ସେଥିପାଇଁ ସେ କିଏ ଓ କାହିଁକି କାନ୍ଦୁଚି ଜାଣିବା ପାଇଁ ଘର ଭିତରକୁ ଯାଇ ଦେଖେ ତ ସେଥିରେ ମୋ ସାଙ୍ଗ ନରେନ୍ଦ୍ର….! ମୁଁ ଆଶ୍ଚର୍ଯ୍ୟ ହୋଇ ତାକୁ ଚାହିଁଲି କିନ୍ତୁ ଏମିତି ଜରାଜୀର୍ଣ୍ଣ ଅବସ୍ଥାରେ ମୋ ସାଙ୍ଗ ଏଠି ବୋଲି ଆଖିକୁ ବିଶ୍ୱାସ ହେଲାନି ଆହୁରି ପାଖକୁ ଯାଇ କହିଲି ବାବୁ…! ଆପଣ କିଏ..?? ସେ ମୋ ପ୍ରଶ୍ନ ଶୁଣି ମତେ ଚାହିଁବାରୁ ମୋ ଆଖିରେ ଅଜାଣତରେ ଲୁହ ଜକେଇ ଆସିଥିଲା ….. | ନରେନ୍ଦ୍ର…! ଏଠି ଏମିତି ଅବସ୍ଥାରେ କଣ ହେଇଚି ତୋର…?? ସେ କିଛି ନ କହି କାନ୍ଦିବାକୁ ଲାଗିଲା ଆଉ ତା ‘ ଆଖିରୁ ଲୁହ ପୋଛିବାରୁ ସେ ମତେ କୁଣ୍ଢାଇ ପକାଇ ସବୁ କଥା କହିଲା | ଜୁଆଡ଼ି ହୋଇ ନାନା ଅର୍ଥ ସେଥିରେ କ୍ଷତି କରି ଡ୍ରଗ୍ସର ସାହାରା ନେଇଛି ସବୁକୁ ଭୁଲି ଯିବା ପାଇଁ କିନ୍ତୁ ଡ୍ରଗ୍ସର ନିଶାରେ ଦୁଷ୍କର୍ମ କରି ଚାକିରୀରୁ ହୋଇଛି ଦୂର ଏବଂ କଏଦୀ ହୋଇ ବନ୍ଦୀ ଜୀବନ କାଟିବା ପରେ ଏଇ ଝୁମ୍ପୁଡ଼ିର ବଖରାଏ ଘରେ ଆଜି ନେଇଛି ଆଶ୍ରୟ ! ପିନ୍ଧିବାକୁ ପାଖରେ ଅଛି କନା ନା ଖାଇବାକୁ ଅଛି ଦାନା…! ସେ ଆଜି ସମ୍ପୂର୍ଣ୍ଣ ନିଃଶ୍ବ ଏବଂ ଅବହେଳିତ ଅବସ୍ଥାରେ ପଡି ରହିଛି ବଖରାଏ ଘରର ଆଶ୍ରୟ ନେଇ | ତା ‘ କଥା ଶୁଣି ମୋ ଆଖିରୁ ଲୁହ ବହିବାରେ ଲାଗୁଥିଲା କିନ୍ତୁ କଣ କରିବି ଜାଣି ପାରୁ ନଥାଏ..!!! ଏହି ସମୟରେ ଡ୍ରାଇଭର ଆସି ଡାକ ଦେଲା, ମ୍ୟାନେଜର ବାବୁ! ଆସନ୍ତୁ ଯିବା… ମାଡାମ ଫୋନ କରିଥିଲେ ତାଙ୍କର ଡେଲିଭରି ପେନ୍ ଆରମ୍ଭ ହୋଇ ଗଲାଣି | ଆଉ କିଛି ନ କହି ଶୀଘ୍ର ସେଠାରୁ ଚାଲି ଆସିଲି … |
ରିନା ପରିଡା, ଖୋର୍ଦ୍ଧା
Rina parida, khordha