ଶରଧା ବାଲି
କାଳିଆରେ ନେଏ ତୋ ଡୋରୀ ଲଗାଇ
ତୋର ଶ୍ରୀକ୍ଷେତ୍ର ଧାମକୁ
ତୋ ଶରଧାବାଲି ଦେହରେ ମୋ ବୋଳି
ଧନ୍ୟ ହେବ ମୋ ଜୀବନ।।
ଯେତେ ଦୁଃଖ ପଛେ ଦେଏରେ କାଳିଆ
ଶ୍ରୀକ୍ଷେତ୍ରକୁ ଟାଣି ନେଏ
ତୋ କଳାବଦନ ଦେଖିବାକୁ ମନ
ଦେହରେ ଶକ୍ତି ଦେଏ।।
ଗରୁଡ଼ ସ୍ତମ୍ବର ପଛେ ଥାଇ ମୁହିଁ
ତୋର ଦରଶନ କରି
ଜୀବନର ସବୁ କାଳିମା କଳ୍ମୁଷ
ଯିବ ମୋର ଅପସରି।।
ଶରଧା ବାଲିରେ ତୋ ରଥ ଦଉଡି
ଟାଣିବାରେ ମୋର ଇଚ୍ଛା
ସୁଦୟା କରିବୁ ସତରେ କାଳିଆ
ପୁରିବ ମୋମନୋବାଞ୍ଛା।।
ଶରଧା ବାଲିରେ ତୋ ରଥ ଟାଣିବି
ଏଡେ ଭାଗ୍ୟ ମୋର ହେବ
ରଥେ ଦେଖି ତୁମ ବାମନ ମୁରତି
ଜୀବନ ସାର୍ଥକ ହେବ।।
ବନଲକ୍ଷ୍ମୀ ମହାନ୍ତି
ନଡିଆବରାଇ
କେନ୍ଦ୍ରାପଡ଼ା