ଜନ୍ମଦାତା
ଜନ୍ମଦାତା ଜନ୍ମଦାତ୍ରୀ ପାଇଁ ସିନା
ସନ୍ତାନ ଦୁନିଆ ଦେଖେ
ସେନେହ ମମତା ପରଶ ପାଇସେ
ଜୀବନର ସ୍ବାଦ ଚାଖେ।।
ଜନ୍ମଦାତା ତାର ଅଳି ଅର୍ଦ୍ଦଳିକୁ
ସବୁ ପୁରଣ କରନ୍ତି
ସେଥିପାଇଁ ନିଜ ସୁଖ ଭୁଲି ଯାଇ
କର୍ତ୍ତବ୍ୟେ ରତ ରହନ୍ତି।।
ହତ ଧରି ତାର ଚାଲିବା ଶିଖାନ୍ତି
ସ୍ନେହ ଆଦରେ ପାଳନ୍ତି
ନିଜପେଟେ ଭୋକ ଥାଇ ସନ୍ତାନକୁ
ପେଟ ଭରି ସେ ଖୁଆନ୍ତି।।
ହିତ ପାଇଁ ତାର ନୀତି ଶାସ୍ତ୍ର ବାଣୀ
କାହାଣୀ ଯେ କହିଥାନ୍ତି
ଉତ୍ତମ ଶିକ୍ଷା ଓ ସଂସ୍କାର ଦେଇଣ
ସନ୍ତାନେ ଗଢି ତୋଳନ୍ତି।।
ପରିବାର ବୋଝ ବୋହି ସିଏ ସଦା
ସନ୍ତାନ ସୁଖ ଚାହାଁନ୍ତି
ସନ୍ତାନ ଭବିଷ୍ୟ ଗଢିବାକୁ ପୁଣି
ରକତ ପାଣି କରନ୍ତି।।
ନିଜେ ଛିଣ୍ଡା ପିନ୍ଧି ପର୍ବ ପର୍ବାଣୀରେ
ନୂଆ ବସ୍ତ୍ର ଆଣିଦ୍ୟନ୍ତି
ଜାନି ଯାତରାକୁ ନିଜ ସାଥେ ଧରି
ବୁଲାଇବାକୁ ନିଅନ୍ତି।।
ମନ ପସନ୍ଦର ଖାଇବା ଦରବ
କେତେ ଯେ ପୁଣି ଖୁଆନ୍ତି
ଖେଳନା କଣ୍ଢେଇ ଯାତରାରୁ କିଣି
ମନେ ଖୁସି ଭରିଦ୍ୟନ୍ତି।।
ଜନ୍ମଦାତା ପିତା ସରଗଠୁ ବଡ
ସନ୍ତାନ ପାଇଁ ଅଟନ୍ତି
ତାଙ୍କରି ପ୍ରସାଦୁ ସନ୍ତାନମାନେ ଯେ
ଆନନ୍ଦରେ ରହିଥାନ୍ତି।।
ଜନ୍ମଦାତା ତ୍ୟାଗ ବଳିଦାନ କେହି
କେବେ ଶୁଝିନପାରିବ
ହେ ସନ୍ତାନଗଣ ପିତା ମାତାଙ୍କୁ ଯେ
କେବେ ହେଳା ନକରିବ।।
ସବୁ ସନ୍ତାନଙ୍କୁ ଏତିକି ମିନତି
ପିତା ମାତାଙ୍କୁ ସେବିବ
ଜନ୍ମଦାତା ଜନ୍ମଦାତ୍ରୀ ଆଶୀର୍ବାଦେ
ଜୀବନ ସୁଗମ ହେବ।।
ବନଲକ୍ଷ୍ମୀ ମହାନ୍ତି
ନଡିଆବରାଇ
କେନ୍ଦ୍ରାପଡ଼ା ।।