ଦୁଃଖ ଯୋଡ଼ାହେଉ ଆଧାର କାଗଜେ
ସର୍ବଜନସୁଖେ ଆଧାର ଯୋଜନା
ଭାରି ଦାମୀ କାଗଜଟେ
ସରକାରୀ ଧନ ଘର ପାଇଖାନା
ସବୁ ମିଳେ ତା କବାଟେ।
ନିୟମ ତାହାର ବହୁତ ସୁନ୍ଦର
ଜନତାଙ୍କ ହିତ ପାଇଁ
ଥରେ ପାଇଥିଲେ ଆଉ ପାଇବନି
ସେ ଯେଉଁ ଚିଜ ହେଉ ଭାଇ।
ଅସହାୟ ଶିଶୁ ଅଳିଆ ଗୋଟାଏ
ପେଟ ଚାଖଣ୍ଡକ ପାଇଁ
ତା ଅସହାୟପଣ ଦୁରକରିବାକୁ
ଯୋଡ଼ ହେ ଆଧାରେ ଯାଇ।
ବାର୍ଦ୍ଧକ୍ୟ ବୟସେ ସ୍ନେହମୟୀ କିଆଁ
ବୃଦ୍ଧାଶ୍ରମେ ଦିନ କାଟେ
ତା ସ୍ନେହ ମୂଲ୍ୟ ତାକୁ ଫେରାଇ ଦିଅ
ଆଧାର ଯୋଜନା ବାଟେ।
ବାର ବାର କିଆଁ ଦୁଃଖ ପାଏ ପିତା
ପିଲାଙ୍କୁ ମଣିଷ କରି
ପୂଜ୍ୟପିତାଙ୍କର ଦୁଃଖ ଲେଖା ହେଉ
ଆଧାର କାଗଜେ ଭରି।
ନବବଧୂ କିଆଁ ହୁଏ ନିର୍ଯାତିତ
ସବୁକିଛି ତ୍ୟାଗକରି
ତାର ନ୍ୟାୟ ଲାଗି ଆଧାର କାଗଜେ
କର ନିୟମକୁ ଜାରି।
ପ୍ରେମ ସମ୍ପର୍କରେ କିଆଁ ହୁଏ ଧୋକା
ମରନ୍ତି ଜିଅନ୍ତା ସବୁ
ଧୋକା ଛଳନା କୁ ଆଗ ଯୋଡ଼ା ହେଉ
ଆଧାର କାଗଜେ ବାବୁ।
ଶିକ୍ଷିତ କାହିଁକି ହେଉଛି ବେକାର
ଉଚ୍ଚଶିକ୍ଷା ଲାଭକରି
ବେକାରୀ ସମସ୍ୟା ଚିଠା ଖଞ୍ଜାହେଉ
ଆଧାରରେ ମନେକରି।
ସବୁ ଚିଜ ତୁମେ ଆଧାରେ ଯୋଡ଼ିଲ
ଦୁଃଖକୁ ଯୋଡ଼ିଲ ନାହିଁ
ଦୁଃଖ ଯୋଡ଼ା ହେଉ ଆଧାର କାଗଜେ
ଆଉ କିଛି ଲୋଡ଼ା ନାହିଁ।
ଜିତେନ୍ଦ୍ର ଗିରି
96 total views, 1 views today