କେହି ଜଣେ ଥିଲେ
କେହି ଜଣେ ଥିଲେ ……
ଘୋର ଅନ୍ଧାକାର ଛାଇରେ
ଅମାବାସ୍ୟା ଅମା ଆନ୍ଧାରେ ,,
ଭିଜା ମାଟି ଭିଜା ବାସ୍ନାରେ
ଅଲୋଡ଼ା ଅତୀତ ତୃଷ୍ଣାରେ …।।
କେହି ଜଣେ ଥିଲେ ….
ନିଦାଘର ଉଷ୍ମ କାନ୍ଧରେ
ଭାବନା ଶିକୁଳି ଛାନ୍ଦରେ ,,
ହୃଦୟ କୋହର ନାଦରେ
ପ୍ରତି ଭାବନାର ଫର୍ଦ୍ଦରେ …।
କେହି ଜଣେ ଥିଲେ ……
ଦୂର ଦିଗ୍ବଳୟ ପ୍ରାନ୍ତରେ
ପ୍ରଣୟ ପ୍ରୀତିର ସନ୍ଧିରେ ,,
ଭାବନାର ଭବ୍ୟ କାନ୍ଥରେ
ବିଚ୍ଛେଦ ବିରହ ବ୍ୟଥାରେ …।
କେହି ଜଣେ ଥିଲେ ….
ଉନ୍ମୁକ୍ତ ନୟନ ଅଶ୍ରୁରେ
ଗଭୀର ଦୁଃଖର ଜ୍ଵଳାରେ ,,
ଅଧୁରା ଇଚ୍ଛାର ଅଗ୍ରରେ
କାହାଣୀର ଶେଷ ବର୍ଗରେ ….।
କେହି ଜଣେ ଥିଲେ …..
ବିଭାବରୀ ପୁଷ୍ପ ରେଣୁରେ
ଶେଫାଳୀର ବାସ ଅଣୁରେ ,,
ପୂର୍ଣ୍ଣମୀ ଇନ୍ଦୁର ଜ୍ୟୋତ୍ସ୍ନାରେ
ଝରା ବଉଳର ବାସ୍ନାରେ …।
କେହି ଜଣେ ଥିଲେ ……
ଅଦେଖା ଦରଦ ଛାତିରେ
ମନ ଦହନର ତାତିରେ ,,
ବାଲୁକା ରେଣୁର ସ୍ତୁପରେ
ପ୍ରୀତି ପ୍ରିୟ ସ୍ମୃତି ରୂପରେ …।
କେହି ଜଣେ ଥିଲେ ……
କଳା ବଉଦର ବର୍ଷାରେ
ଧୂସର ରଙ୍ଗର ଆଶାରେ ,,
ନିର୍ଜନ ସନ୍ଧ୍ୟାର ଘେରାରେ
କଇଁ କଇଁ କାନ୍ଦ ନାରାରେ …।
ଜୟ ଜଗନ୍ନାଥ
ସୁମିତ୍ରା ନାୟକ
ବାଜପୁରା ,ମାହାଙ୍ଗା ,କଟକ