ସଳିତା
ପ୍ରତ୍ୟୁଷ ଧୂପରେ ସଞ୍ଜ ସଳିତାରେ
ମୋ ମନ ମନ୍ଦିରେ ତୁମେ,
ନିଶୀଥ ଜ୍ୟୋସ୍ନାରେ ପାହାନ୍ତି ସ୍ୱପ୍ନରେ
ରହିଅଛ ସାଥି ତୁମେ।।
ଆତ୍ମା ମନ୍ଦିରରେ ହୃଦୟ ଦୀପରେ
ଜଳେ ପ୍ରାଣ ସଳିତାଟି,
ଲୁହ କୋହ ଭରା ଯନ୍ତ୍ରଣା ଘିଅରେ
ଆତ୍ମାରେ ଦିଶେ ରୂପ ଟି ।।
କାର୍ତ୍ତିକ ପ୍ରଭାତେ ଅଂଶୁମାନ ବୁଣେ
ସ୍ୱର୍ଣ୍ଣାଭ ପ୍ରୀତି କିରଣ,
ସନ୍ଧ୍ୟା ସଳିତାରେ ତୋ’ ରୂପ ଝଲକେ
ଦିଶ ସତେ ରୂପା ଜହ୍ନ ।।
ସଳିତା ଟି ପରି ଜଳୁଥାଏ ନିତି
ଦେଇ ସଭିଙ୍କୁ ଆଲୋକ,
ଦୀପ ସମ ଘଟେ ଲୁହ ପିଇ ଜଳେ
ଭୁଲି ଯାଇ ଶୋଷ ଭୋକ ।।
ତିଳ ତିଳ ଜଳି ଜ୍ଞାନ ଦୀପଜାଳେ
ଅଟେ ମୁଁ ଶୁଦ୍ଧ ସଳିତା,
ତ୍ୟାଗ ପୂତ ସେବା ଦେଇଥାଏ ସାଥେ
ସତ୍ୟ ଶାନ୍ତି ମୈତ୍ରୀ ବାର୍ତ୍ତା ।।
ଏଇ ମାଟି ଘଟେ ମୋ ପ୍ରାଣ ସଳିତା
ଜାଳୁଥିବି ଅହରହ,
ପ୍ରୀତି ବାଣ୍ଟୁ ଥିବି ଶ୍ରଦ୍ଧା ଢ଼ାଳୁ ଥିବି
ମନରେ ନରଖି ଅହଂ।।
ସଳିତାଟେ ମୋତେ କରିଦେ ରେ ଜଗା
ସାଜି ଆଲୋକ ବର୍ତ୍ତିକା,
ଓଡ଼ିଆ ଭାଷାର ଉନ୍ନତି ଦିଗରେ
ପଥ ପ୍ରଦର୍ଶିବି ଏକା ।।
ସଳିତାଟି ପରି ଜଳି ରଶ୍ମି ଦେବି
ତ୍ୟାଗ ମନୋଭାବ ନେଇ,
କ୍ରାନ୍ତିର କଲମେ କ୍ରାନ୍ତି ମୁଁ ଆଣିବି
ନବ ଦିଗ୍ ଦର୍ଶନ ଦେଇ ।।