ଶୀର୍ଷକ – ” ସାର୍ଥକତା “
କରମ କରିବା ଧରମ ପଥରେ
ଅନ୍ୟାୟ କରିବା ନାହିଁ ,
ଗର୍ବ ଅହଙ୍କାର ପାଦତଳେ ଦଳି
ନ୍ୟାୟରେ ଯିବା ଆଗେଇ…।।
ଦୁଃଖି ଦରିଦ୍ରଙ୍କ ଆଖି ଲୁହ ପୋଛି
ସେବା ତାଙ୍କ କରୁଥିବା ,
ଭୋକିଲା ପ୍ରାଣକୁ ହୃଦୟରୁ ଯାଚି
ସୁଖାଦ୍ୟ ଯୋଗାଇ ଦେବା…।।
ଅନ୍ୟାୟ ଅନୀତି ଦେଖି ନ ସହିବା
ପ୍ରତିବାଦ କରୁଥିବା ,
ପାପଠୁ ନିବୃତ୍ତ ହୋଇଣ ରହିବା
ସତ୍ୟ ପଥେ ଚାଲୁଥିବା…।।
କେହି ତ ନୁହଁନ୍ତି ସାନ ବଡ଼ ଏଠି
ଈଶ୍ୱର ସବୁଠୁ ବଡ଼ ,
ତୁଚ୍ଛାଟାରେ ଆମେ ବଡିମା ଦେଖାଉ
ଅଧର୍ମେ ପକାଇ ଗୋଡ଼…।।
ଯାହା ତ ଦେଖୁଛେ ଯାହା କରୁଅଛେ
ସବୁ ତ ଈଶ୍ୱର ଦାନ ,
କାହିଁ ପାଇଁ କୁହ ଗରବ କରିବା
ଅଧର୍ମେ ବଢାଇ ମାନ…।।
ପିତା ମାତା ଆମ ପରମ ଦେବତା
ତାଙ୍କୁ ଖୁସି ଦେଉଥିବା ,
ତେବେ ଯାଇ ଆମେ ଈଶ୍ବରଙ୍କ ପାଶେ
ସମ୍ମାନସ୍ପଦ ହୋଇବା…।।
ଅନ୍ୟାୟରେ ଧନ ଉପାର୍ଜନ କଲେ
ରହିବନି ବଡ଼ ପଣ ,
ପରର ହିତରେ ମନୁଷ୍ୟ ଜନମ
ସାର୍ଥକତା ହୁଏ ଜାଣ…।।
ଲକ୍ଷ୍ମୀପ୍ରିୟା ସେଠୀ
ଦେଉଳି,ଯାଜପୁର