ବଣ ଓ ବଣି
ଦେଖିଲା କୁନା ମହୁଲ ଡାଳେ
ବସିଛି ଏକ ବଣି,
ଝଡୁଛି ଯେତେ ମହୁଲ ଫୁଲ
ହିସାବ କରେ ଗଣି ।
ଡାକିଲା କୁନା କିଆଁଲୋ ବଣି
ଘସୁଛୁ ଥଣ୍ଟ ଡାଳେ ?
ଆ’ ମୋ’ ପାଶେ ଖାଇବୁ ଯେବେ
ମିଠା ପିଜୁଳି ଫାଳେ ।
ସୁନାର ଏକ ପଞ୍ଜୁରି ଗଢ଼ି
ଆଣିବେ ବାପା ମୋର,
ମାଆଠୁ ମାଗି ଦେବିଲୋ ତୋତେ
କଦଳୀ, ଛେନା, ସର ।
ସୁନା ଗିନାରେ ଦେବି ମୁଁ ପାଣି
ରୁପା ଥାଳିରେ ଭାତ,
ବୁଲାଇ ନେବି ମେଳାକୁ ତୋତେ
ଦେଖିବୁ କେତେ ଯାତ ।
କହିଲା ବଣି କୁନା ଭାଇନା
କହିଲ ସତ ଏକା,
ମନରେ ତୁମ ଶରଧା ଥାଉ
ନିଇତି ହେବ ଦେଖା ।
ଗଛରୁ ଗଛ ଉଡ଼ି ଉଡ଼ିକା
ପାଉଛି କେତେ ସୁଖ ,
ଆକାଶେ ଥାଇ ଦେଖଇ ମୁହିଁ
ଜହ୍ନମାମୁର ମୁଖ ।
ବୁଲୁଛି ଖାଇ ବଣର ଫଳ
କେତେ ଯେ ମିଠା କୋଳି,
ଗଛର ଡାଳେ ପବନ ତାଳେ
ଖେଳଇ ମୁହିଁ ଦୋଳି ।
ମନ ଆନନ୍ଦେ ଉଡ଼ି ବୁଲଇ
ଖୁସିରେ ଗାଏ ଗୀତ,
ନ ମାନେ ଝଡ଼ି, ବରଷା ଖରା
ନ ମାନେ ପୁଣି ଶୀତ ।
କୁନା ଭାଇନା ସୁନା ପଞ୍ଜୁରି
ଦେବକି ସେଇ ସୁଖ,
ପର ଅଧୀନ ବନ୍ଦୀ ଜୀବନ
ଅଟଇ ବଡ଼ ଦୁଃଖ ।
ଲୋଡ଼ା ନାହିଁ ମୋ ସୁନା ପଞ୍ଜୁରି
ରୁପା ଥାଳିର ଭାତ,
ଗଛର ଡାଳ ସରଗ ମୋର
ବଣ ପରା ମୋ’ ମିତ ।