ପ୍ରକୃତି ଆମର ପ୍ରକୃତ ବନ୍ଧୁ (ପ୍ରବନ୍ଧ)
ଜୀବନର ପ୍ରକୃତ ବନ୍ଧୁ ଓ ସହୋଦରଟେ ପରି ପ୍ରକୃତି ସଦାସର୍ବଦା ଆମର ବହୁ ହିତସାଧନ କରିଥାଏ। ପରିବେଶର ସନ୍ତୁଳନକୁ ବଜାୟ ରଖିବା ନିମନ୍ତେ ପ୍ରକୃତିର ରକ୍ଷଣାବେକ୍ଷଣ କରିବା ଅନିବାର୍ଯ୍ୟ ଅଟେ। ପ୍ରକୃତି ଏବଂ ମନୁଷ୍ୟ ପରସ୍ପର ପରିପୂରକ ଓ ଅଙ୍ଗାଙ୍ଗୀ ଭାବେ ଜଡିତ। ବାସ୍ତବପକ୍ଷେ ପ୍ରକୃତି ବିନା ମନୁଷ୍ୟର ଅସ୍ତିତ୍ବ ନିତାନ୍ତ ଅକଳ୍ପନୀୟ ଅଟେ। ନିଜକୁ ସର୍ବଜ୍ଞ ବୋଲାଉଥିବା ମନୁଷ୍ୟ ଜାତି ସ୍ୱୟଂ ହିଁ ନିଜର ଚତୁର୍ପାଶ୍ୱର ପରିବେଶକୁ ନଷ୍ଟଭ୍ରଷ୍ଟ କରିଦେଉଛି। “ଆପଣା ହସ୍ତେ ଜିହ୍ୱା ଛେଦି” ନୀତି ଅନୁଯାୟୀ ସେ ନିଜେ ହିଁ ନିଜର ସର୍ବନାଶକୁ ପ୍ରତ୍ୟକ୍ଷ ଭାବେ ଆମନ୍ତ୍ରିତ କରୁଛି। ଅତ୍ୟାଧୁନିକ ଯୁଗରେ ମନୁଷ୍ୟ ଖୁବ ସମ୍ବେଦନଶୂନ୍ୟ ହୋଇପଡିଛି।
ପୁରାତନ କାଳରେ ଆଦିମ ମନୁଷ୍ୟ ଯେବେ ନିଜର ଜୀବନ ଯାପନ କରୁଥିଲା ସମ୍ପୂର୍ଣ୍ଣ ଅଶିକ୍ଷିତ ହୋଇ ସୁଦ୍ଧା ସେ ପ୍ରକୃତିକୁ ଆପଣାର କରୁଥିଲା। ସଭ୍ୟତାର ସାମାନ୍ୟ ସ୍ପର୍ଶ ତାହାଠାରେ ବାଜିନଥିଲେ ମଧ୍ୟ ସେ ସମସ୍ତ ଧର୍ମକର୍ମ, ରୀତିନୀତି, ଆଚାର ବିଚାରକୁ ବହୁଳ ପ୍ରାଧାନ୍ୟ ଦେଉଥିଲା। ପ୍ରକୃତି, ଗିରି, ସୂର୍ଯ୍ୟ, ଚନ୍ଦ୍ର, ବସୁନ୍ଧରା,ସମୁଦ୍ର ଇତ୍ୟାଦିଙ୍କୁ ଦେବତା ମନେକରି ସେମାନଙ୍କୁ ପୂଜାର୍ଚ୍ଚନା କରୁଥିଲା। ଅବଶ୍ୟ ଆଜିର ଶିକ୍ଷିତ ଯୁବଗୋଷ୍ଠୀଙ୍କ ଦୃଷ୍ଟିରେ ଏ ସବୁ କୁସଂସ୍କାର ହୋଇପାରେ ସତ କିନ୍ତୁ ଆମେ ଖୁବ ଗର୍ବର ସହ ଏହା ବ୍ୟକ୍ତ କରିପାରୁ ଯେ ଏହା ଆମ ଭାରତୀୟ ପରମ୍ପରାର ଏକ ଅପୂର୍ବ ନିଦର୍ଶନ। ଆଧ୍ୟାତ୍ମିକତା ହିଁ ଆମ ଭାରତୀୟମାନଙ୍କର ମୂଳ ବୈଶିଷ୍ଟ୍ୟ।
ଆଜିର ସ୍ୱାର୍ଥନ୍ୱେଷୀ ମନୁଷ୍ୟ ଆପଣାର ସ୍ୱାର୍ଥସାଧନ କରିବା ନିମନ୍ତେ ନିଜର ମାନବିକତାକୁ ସମ୍ପୂର୍ଣ ରୂପେ ଜଳାଞ୍ଜଳି ଦେଇଦେଇଛି। ନିଜର ପରିବେଶ, ପ୍ରକୃତି ଓ ଜୀବଜନ୍ତୁମାନଙ୍କ ପ୍ରତି ସାମାନ୍ୟତମ ଆନ୍ତରିକତାର ଭାବ ତା’ ହୃଦୟରେ ଏବେ ଦୁଷ୍ପ୍ରାପ୍ୟ ବୋଲି କହିଲେ ମଧ୍ୟ ଆଦୌ ଅତ୍ୟୁକ୍ତି ହେବନାହିଁ। ଅତୀବ କ୍ଷୋଭର ସହ ଏହା ସ୍ୱୀକାର କରିବାକୁ ପଡେ ଯେ, ସମୟର କରାଳ ପ୍ରଭାବରେ ପ୍ରଭାବିତ ହୋଇ ବିଚାରଶୀଳ ମାନବ ଜାତି ଏବେ ସମ୍ପୂର୍ଣ୍ଣ ରୂପେ ବିଚାରଶୂନ୍ୟ ହୋଇପଡିଛନ୍ତି। ଯେଉଁ ପ୍ରକୃତି ନିର୍ବିକାର ଭାବେ ନିଜର ସର୍ବସ୍ବକୁ ଆମ ଲାଗି ସମର୍ପି ଦେଇଛି, ଆମେ କୃତଘ୍ନ ମନୁଷ୍ୟ ଜାତି ତା’ର ଅବଦାନକୁ ସର୍ବାଗେ ବିସ୍ମରିଯାଇଛୁ। ଏହା ଆଦୌ ବି ସମୀଚୀନ ନୁହେଁ। ସର୍ଵଶେଷରେ ସଭିଙ୍କୁ ମୋର ଏତିକି ଅନୁରୋଧ ଯେ ବହୁମୂଲ୍ୟ ପ୍ରକୃତିକୁ ବନ୍ଧୁତୁଲ୍ୟ ମନେ କରି ନିଜର ଚତୁର୍ପାଶ୍ୱର ପରିବେଶକୁ ସୁରକ୍ଷା ପ୍ରଦାନ କରନ୍ତୁ। ବହୁଳ ପରିମାଣରେ ବୃକ୍ଷରୋପଣ ଏବଂ ତତସହିତ ସବୁଜିମାର ସୁରକ୍ଷା ଦ୍ୱାରା ହିଁ ଆମର ଏ ସୁନ୍ଦର ଧରିତ୍ରୀ ଦିନେ ସୁନାର ଧରଣୀ ପାଲଟିଯିବ। ଜଣେ ସୁ-ନାଗରିକ ହିସାବରେ ଏହା ଆମର ପ୍ରମୁଖ କର୍ତ୍ତବ୍ୟ।
ମୁକ୍ତିରାଣୀ ଦେବତା
ମନ୍ଦାରଖଣ୍ଡ, ଯାଜପୁର