ହସେ ଆମ ବଗିଚା
(ଶିଶୁ କବିତା)
(ରାଗ –ଶଙ୍କରାଭରଣ)
ଛୋଟ ଏକ ବଗିଚା ଆମ ଘର ଆଗରେ
ନାନାଦି ଫୁଲଗଛେ ସଦା ହସୁଥାଏରେ
ମିଠା ବାସ ଛୁଟୁଥାଏ
ପରଜାପତି ଫୁଲରୁ ମହୁ ଲୁଟୁଥାଏ।(୧)
ପ୍ରଜାପତି ଧରିବାକୁ ଧାଏଁ ମୁଁ ଖୁସିରେ
ଚଗଲା ସେ ପ୍ରଜାପତି ଉଡେ ଦୂରେଦୂରେ
କି ସୁନ୍ଦର ପର ତା’ର
ତାକୁ ଦେଖି ଆନନ୍ଦରେ ନାଚେ ମୋ ଅନ୍ତର।(୨)
କୁନି ଚାରା ବାପା ହାଟରୁ କିଣି ଆଣନ୍ତି
ଖତସାର ଦେଇ ସେ ବଗିଚାରେ ଲଗାନ୍ତି
ଖୁସିରେ ମୁଁ ଦିଏ ପାଣି
କୁନି ହାତେ ମୋର କେଡେ ଶରଧାରେ ଆଣି।(୩)
ଗୋଲାପ,ଟଗର,ତରାଟ ମନ୍ଦାର,ମଲ୍ଲୀ
ଆମ ବଗିଚାରେ ସତେ ହସେ ଖିଲି ଖିଲି
ସେ ହସେ ବଗିଚା ଭରେ
ପେଟ ପୁରିଯାଏ ଆମ ବଗିଚା ଦେଖିଲେ।(୪)
ବାପା କହନ୍ତି ମୋ କୁନି କାମ କରେ ସଚ୍ଚା
ବୋଉ କହେ ତୁ ପାଣି ଦେଉ ଏ ତୋ ବଗିଚା
ନୁହେଁ ଏକା ମୋ ବଗିଚା
ସଭିଙ୍କୁ ଖୁସି ବାଣ୍ଟି ହସେ ଆମ ବଗିଚା
ମମତା ଶତପଥୀ
କେନ୍ଦ୍ରାପଡ଼ା