ତାଣ୍ଡବ ରଚେ ଅର୍ଣ୍ଣବ
———–/———
ତଡ଼ାଗର ତଟେ ଖୋଜିଲି କଇଁକୁ
କଇଁର ତ ଦେଖା ନାହିଁ,
ଅନୀଳ ପ୍ରବାହେ ପୁରିତ ସର୍ବତ୍ର
ପଲ୍ଲବ ଲୁଚିଛି କାହିଁ ?
ଧବଳ କୁମୁଦ ସମ ଭ୍ରମେ ମୁହିଁ
ତଡ଼ାଗ ନିକଟେ ଧାଇଁ,
ଦେଖିଲି ଶିକାର ଆଶାରେ ଲୟରେ
ବକ ବସିଛି ଅନାଇଁ।
ଜଳାର୍ଣ୍ଣବ ଦିଶେ ଧରଣୀର ବକ୍ଷ
ଦୁର୍ବାଦଳ ଦିଶୁନାହିଁ,
ମୁକୁତାର ସମ ଅମ୍ବରୁ ଖସୁଛି
ବରଷାର ବିନ୍ଦୁ ତହିଁ।
ଛତ୍ର ଟେକି ଶିରେ ପଦଚାରୀ ଗଣ
ଯାନ୍ତି କର୍ମକ୍ଷେତ୍ରେ ଧାଇଁ,
ଘନ କୃଷ୍ଣରଙ୍ଗ ବଉଦ ଉହାଡ଼େ
ଚାହାଁନ୍ତି ରବି କଣେଇଁ।
ଅମ୍ବୁଜ ତାଣ୍ଡବ ଲୀଳା ରଚୁଅଛି
ଦୁର୍ବିସହ ଲାଗେ ମହୀ,
ନିଜ ନିଜ ସ୍ଥାନେ ଏ ଜୀବଜଗତ
ଯନ୍ତ୍ରଣା କାତରେ ରହି।
ଜଳର ବିହୁନେ ସୃଷ୍ଟି ନାଶ ଜାଣ
ଜଳର ବହୁଳେ ନାସ,
ବରଷା ବରଷି ଏ ଜୈବ ମଣ୍ଡଳେ
ଫୁଟାଏ ମୁହଁରେ ହସ ।
————– ———
ତପସ୍ୱିନୀ ଜେନା
ଜଗତସିଂହପୁର
୧୩/୦୯/୨୦୨୨