ଶାନ୍ତିର ସୂର୍ଯ୍ୟ
———-
ଦିନରାତି କେଁ ଭେଁ, ଖିଟପିଟ ଦ୍ଵନ୍ଦ ଭିତରେ ହରିବାବୁ ଅଣନିଶ୍ୱାସୀ ହୋଇ ପଡୁଥାନ୍ତି।ଶାନ୍ତିରେ ଟିକେ ନିଶ୍ୱାସ ମାରିବା ସମ୍ଭବ ହେଉନଥାଏ।ପରିବାର ରୂପି ବୋଝ ମୁଣ୍ଡ ଉପରେ ଚକାମାରି ବସି ମେରୁଦଣ୍ଡକୁ ଦୋହଲାଇ ଦେଉଛି। ବିନା କର୍ତ୍ତବ୍ୟରେ ଅଧିକାର ସାବ୍ୟସ୍ତ କରୁଛନ୍ତି ତାଙ୍କର ପିଲାମାନେ। ପିଲା କ’ଣ ପ୍ରତ୍ୟେକଙ୍କର ମୁଣ୍ଡକୁ ହାତ ପାଇଲାଣି।ହାତକୁ ଦୁଇହାତ ମଧ୍ୟ ହୋଇ ସାରିଲେଣି। ପରିବାର ଓ ପିଲାମାନେ କହିଲେ ତାଙ୍କର ପାଞ୍ଚପୁଅ ଓ ବୋହୁ ଏବଂ ସେମାନଙ୍କର ପାଞ୍ଚ ସାତୋଟି ପିଲା। ସେଇମାନେ ହିଁ ମିଳିତ ଭାବରେ ହରିବାବୁଙ୍କ ପାଇଁ ସମସ୍ୟାର ପାହାଡ଼ ହୋଇ ଠିଆ ହୋଇଛନ୍ତି।ଜଳ ବହୁଳେ ସୃଷ୍ଟି ନାଶ ,ଜଳ ବିହୁନେ ସୃଷ୍ଟି ନାଶ। ବହୁ କୁଟୁମ୍ବ ହେତୁ ହରିବାବୁ ପିଲାଦିନେ ଦେଇଥିବା ଶୃଙ୍ଖଳା ଜ୍ଞାନକୁ ପିଲାମାନେ ହିଂସାତ୍ମକ ବାଟରେ ବିନିଯୋଗ କରୁଛନ୍ତି। କହିବାକୁ ଗଲେ ଜ୍ଞାନକୁ ପୋଡି ଖାଇସାରିଲେଣି । ବଡ଼ ପୁଅଟି ପ୍ରାଇମେରୀ ସ୍କୁଲରେ ଶିକ୍ଷକ । ତା’ର ମାସିକ ଦରମାଟି ତା’ର। ସେ ପଇସାରେ ବାପା କି ପରିବାର କେହି ଧାର ଧାରନ୍ତି ନାହିଁ। ଦାନା ଗଣ୍ଡାକ ମଝିରେ ଫୁଟେ ତ….ସେ ଟଙ୍କା ଟିଏ ଖର୍ଚ୍ଚ କରନ୍ତି ନାହିଁ।ଦୁଇ ନମ୍ବର ପୁଅଟି ଏକ କମ୍ପାନୀରେ ଚାକିରୀ କରେ ଓ ତିନି ନମ୍ବର ପୁଅଟି ଡାକ୍ତର କିନ୍ତୁ ଏମାନଙ୍କର ପଇସାରେ ହରିବାବୁ ଧାର ଧାରନ୍ତି ନାହିଁ। ସାନଟି ଅତ୍ୟଧିକ ଗେଲ୍ହା କାରଣରୁ ବୁଲା ବାଉଟିଆଙ୍କ ପରି ଗୁଲି ଖଟିରେ ସମୟ ସାରେ । ଚାରି ନମ୍ବର ପୁଅଟି ଘରର ଚାଷ କାମ ବାଡ଼ି ବଗିଚା ଇତ୍ୟାଦି ବାପାଙ୍କ ସହିତ ଦେଖେ। ତା’ର ବାହାରେ ରୋଜଗାର କହିଲେ କିଛି ନାହିଁ। ସେ ନିଜେତ ଖର୍ଚ୍ଚ କରିବାକୁ ପାଞ୍ଚ ପଇସାଟିଏ ପାଏନା। ଆଉ ବାପାଙ୍କୁ ଘର ଚଳାଇବାରେ କ’ଣ ସାହାଯ୍ୟ କରିବ। ସଦାବେଳେ ହା ହତାଶ ଭିତରେ ହରିବାବୁ ଦିନ ବିତାଇଲେ ମଧ୍ୟ ଘରଭାଙ୍ଗି ଦେବାକୁ ଇଚ୍ଛା କରନ୍ତି ନାହିଁ। ଲୋକ ଆଙ୍ଗୁଠି ଦେଖାଇ କହିବେ ହରିବାବୁ ଅନ୍ୟର ଭଙ୍ଗାଘର ସଜାଡ଼ିବାକୁ ଭଦ୍ରଲୋକ ଦେଖାଇବାକୁ ଯାଆନ୍ତି । ଆଜି ପାଞ୍ଚପୁଅ ପାଞ୍ଚପଲ୍ଲା ମାରି ପାଞ୍ଚଭାଗ ହୋଇ ପାଞ୍ଚହାଣ୍ଡି ବସାଇଲେଣି। ଏହି ଅପନିନ୍ଦା ଭୟରେ ସେ ପ୍ରତିଦିନର ରୋଷେଇ ସାମଗ୍ରୀ ଯୋଗାଡ଼କରି ଆଜି ପର୍ଯ୍ୟନ୍ତ ଚଳାଇ ଆସିଲେ। ବାହାରେ ସମସ୍ତେ ଜାଣନ୍ତି ଏକାର୍ଣ୍ଣବର୍ତୀ ପରିବାର। ପ୍ରଶଂସା କରି ମଧ୍ୟ କୁହନ୍ତି ବୈକୁଣ୍ଠ ସମାନ ପରିବାର କହିଲେ ହରିବାବୁଙ୍କ ପରିବାର ହେଉଛି ଉଦାହରଣ।
ପ୍ରକୃତ ରହସ୍ୟ କେହି ଜାଣନ୍ତି ନାହିଁ। କାରଣ ବଡ଼ ଘର ବଡ଼ ଗୁମର କଥା।ଅଣନିଶ୍ୱାସୀ ହେଲେ ହରିବାକୁ ଭାବନ୍ତି ଝିଅଟିଏ ଥିଲେ ତା’ଘରକୁ ଦିନେ ଦୁଇଦିନ ଚାଲିଯାଆନ୍ତି ଟିକେ ଶାନ୍ତି ପାଇବା ପାଇଁ। ଭଗବାନ ତ ସେଥିରୁ ବଞ୍ଚିତ କରିଛନ୍ତି। ମୋତେ ହନ୍ତସନ୍ତ ହେବାର ଯୋଗଅଛି। ମରଣ କାଳେ ନିଦ୍ରା ଗଲେ ,ଜମ କି ଛାଡ଼ିଦେଵ ଭଲେ।
ବହୁ କୁଟୁମ୍ବ ଆଜି ମୋର ଚିନ୍ତାର କାରଣ ପାଲଟିଛି। ରାତିରେ ବିଛଣାକୁ ଗଲେ ବି ନିଦ ଆସୁନି କି ପାହାନ୍ତା ରେ ଶୀତଳ ପବନ ମନଛୁଉଁନି। ପ୍ରାତଃ କାଳୀନ ଶୀତଳ ସୂର୍ଯ୍ୟ ର ପରସ ମନରେ ଶାନ୍ତିର ବାତାବରଣ ସୃଷ୍ଟି କରୁନି। ଦିବାଲୋକ ରୌଦ୍ରତାପ ସମ ମନ ଶରୀରକୁ ଜାଳି ଦେଉଛି। ହା ହୁତାସ ମଧ୍ୟରେ ଦିନ ସରୁନି କି ରାତି ମଧ୍ୟ ବିତୁନି। ଘର କଥା ଘୋର । କୌଣସି ଲୋକ ଆଗରେ ଏସବୁ କହିବା ସମ୍ଭବ ହେଉନି। କାରଣ କଥା ବାଟରେ ପଡି ଦାଣ୍ଡରେ ଗଡ଼ିବ।
ଅଜାଗା ଘା’ଦେଖି ହୁଏନି କି କାହାକୁ ଦେଖାଇ ହୁଏନି।ଦିନକର ଘଟଣା ହରିବାବୁଙ୍କର ୪ର୍ଥ ନମ୍ବର ପୁଅଙ୍କର ପନ୍ଦର ବର୍ଷର ପୁଅଟିଏ। ସେ ଦଶମ ପାସ କରିବା ପରେ ଆଉ ଅଧିକ ପାଠ ପଢିବା ପାଇଁ ଇଚ୍ଛା ଥିଲେ ମଧ୍ୟ ଅର୍ଥ ଅଭାବରୁ ମନ ମାରି ବସିଥାଏ। ଭାବୁଥାଏ ବାପା ତ ଚାଷ କାମ କରନ୍ତି ସେ ପଇସା କେଉଁଠୁ ପାଇବେ ମତେ ପାଠ ପଢେଇବା ପାଇଁ । ଜେଜେଙ୍କୁ କହିବି ଭାବି ସେ ହରିବାବୁଙ୍କ ନିକଟରେ ପହଞ୍ଚିଲା। ଏବଂ ଯାହା ଦେଖିଲା ନିମିଶକ ପାଇଁ ସ୍ତବ୍ଧ ହୋଇଗଲା।ହରିବାବୁ ଚେୟାରଟିରେ ବସିଥାନ୍ତି କିନ୍ତୁ ସଂଜ୍ଞାହୀନ ଅବସ୍ଥାରେ। ତା’ର ହାଲୁକ୍ ଶୁଖିଗଲା। ସେ ବଡ଼ ପାଟିରେ ସମସ୍ତଙ୍କୁ ଡାକିବାକୁ ଚେଷ୍ଟା କଲା ସତ କିନ୍ତୁ ପାଟି ଖନୀମାରି ଯାଉଥାଏ। ଘରଲୋକ ପାଖରେ ପହଁଞ୍ଚୀ ହରିବାବୁଙ୍କୁ ମେଡ଼ିକାଲ ନେଇଗଲେ। ପରୀକ୍ଷା ନିରୀକ୍ଷା ରୁ ଜଣାପଡିଲା ତାଙ୍କର ଅତ୍ୟଧିକ ଚାପ ହେତୁ ପ୍ରଥମ ଷ୍ଟ୍ରୋକ ଆସିଛି। ପିଲାଟିଏ ହେଲେ ମଧ୍ୟ ତାଙ୍କର ନାତି ହରିଶ ତାଙ୍କ ମନ କଥା ବୁଝିବା ପାଇଁ ଚେଷ୍ଟା କଲା। ଜେଜେ ଟିକେ ଭଲ ହୋଇ ଗଲା ପରେ ଉଖାଡୀ ଉଖାଡୀ ଟେନସନର କାରଣ ବୁଝି ପାରିଲା। ବାପାଙ୍କୁ କହି ତାର ସମାଧାନର ବାଟ ଖୋଜିଲା। ପିଲାଟିଏ ହେଲେ ମଧ୍ୟ ବାପାଙ୍କୁ ମତାମତ ଦେଇ କହିଲା ବାପା ତୁମେ ଦାଦା,ବଡବାପା ଏମାନଙ୍କୁ ଡାକି ଏକାଠି କର । ଜେଜେଙ୍କ ଦୁଃଖ ଦୂର କରିବା ପାଇଁ ଚେଷ୍ଟା କର ଏବଂ ଏକ ଯୋଜନା କରି କୁହ ଜେଜେଙ୍କ ଗଛିତ ସମ୍ପତ୍ତି ବଣ୍ଟା ହବ ସମସ୍ତେ ଆସି ଘରେ ପହଞ୍ଚି ଯାଅ। ଦେଖିବ ସେମାନେ ନିଶ୍ଚୟ ଆସିବେ। ଯୋଜନାବଦ୍ଧ ଭାବରେ ବାପ ପୁଅ ସବୁକଲେ। ସତକୁ ସତ ଆଶ୍ଚର୍ଯ୍ୟର କଥା ସମସ୍ତେ ଆସି ଏକଜୁଟ ହେଇଗଲେ। ବାପା କହିବା ପୂର୍ବରୁ ନାତି ତାଙ୍କର ସମସ୍ତ କଥା ଉପସ୍ଥାପନା କରି ସମାଧାନ ଦିଗରେ ଦୃଢ଼ ଚେଷ୍ଟା ଜାରି ରଖିଲା।ଏଣିକି ଜେଜେ ଯେମିତି ଆମ ଘର ପାଇଁ ମୁଣ୍ଡ ନ ଖେଳାଇବେ ଓ ଘରର ବଡ଼ ପୁଅମାନେ ଏସବୁ ସମ୍ଭାଳିବାକୁ ବାଧ୍ୟ ହେବେ ସେଥିପାଇଁ ସେ ଯୋଜନା କରି ଜଣେ ଓକିଲଙ୍କୁ ମଧ୍ୟ ଡାକି ଦେଇଥିଲେ। ସବିଶେଷ ଆଲୋଚନା ପରେ ଲିଖିତ ଭାବରେ ଚୁକ୍ତି କରାଗଲା ପ୍ରତ୍ୟେକ ପରିବାରର ଦାଇତ୍ୱ ନେବେ ଓ ଯଦି ଦୂରରେ ରହୁଥାନ୍ତି ପରିବାର ର ମାସିକ ଖର୍ଚ୍ଚ ଯାହା ପ୍ରାପ୍ୟ ଦେବେ। ପ୍ରତ୍ୟେକ ଏ ସବୁ କଥାରୁ ବାହାରି ଯିବାର ବାଟ ବି ଆଉ ନ ଥିଲା। ଯାହା ହେଉ ଅଳ୍ପକେ ପ୍ରତ୍ୟେକ ସମସ୍ୟାର ସମାଧାନ ହୋଇଗଲା। ଜେଜେ ଟିକେ ସୁସ୍ଥ ଅନୁଭବ କଲେ। ହରିଶକୁ ପାଖକୁ ଡାକି କହିଲେ ବାପାରେ ଯାହା ମୁଁ ଆଜିଯାଏ କରିପାରି ନ ଥିଲି ତୁ ସାନ ପିଲାଟି ହୋଇ ଏତେ ସହଜରେ ଏତେ ବଡ଼ ସମସ୍ୟାର ସମାଧାନ କରିଦେଲୁ। ମୋତେ ଲାଗୁଚି ଆଜି ଯେମିତି “ଶାନ୍ତିର ସୂର୍ଯ୍ୟ” ଉଦୟ ହୋଇ ମୋ ପରିବାର ଉପରେ ଶାନ୍ତିର ସୁନେଲି କିରଣ ବୁଣୁଛି। ଆଜି ମୁଁ ଅନେକ ଶାନ୍ତି ଅନୁଭବ କରୁଛି। “ଏ ଶାନ୍ତିର ସୂର୍ଯ୍ୟୋଦୟ କେବଳ ତୋ ପରି ଧର୍ମପଦ ପାଇଁ ସମ୍ଭବ ହୋଇପାରିଛି। ” ଯେମିତି ଗୋଟିଏ ଚାନ୍ଦ ଆକାଶର ତମସା ଦୂର କରିଥାଏ ଯାହା ଲକ୍ଷେ ତାରା କରିପାରନ୍ତି ନାହିଁ।ଶହେ ମୂର୍ଖ ପୁଅ ଠାରୁ ଏକ ଗୁଣବାନ ପୁଅ ଜନ୍ମ କରିବା ଦ୍ୱାରା ସପ୍ତପୁରୁଷ ଉଦ୍ଧାର ସମ୍ଭବ ହୋଇପାରେ।
ସମାପ୍ତ
ତପସ୍ୱିନୀ ଜେନା
କୁଜଙ୍ଗ, ଜଗତସିଂହପୁର
ତା -୩୦-୦୮-୨୦୨୨