ଶୀର୍ଷକ #ସବୁଜ_ହୀରା
ବାଲେଶ୍ଵର ଜିଲ୍ଲାର ସୁବର୍ଣ୍ଣରେଖା ନଦୀ କୂଳରେ କାହିଁ କେଉଁ ଆଦିମ କାଳରୁ ଦଣ୍ଡାୟମାନ ପାଟପୁର ଗାଆଁ। ଏହି ଗାଆଁ ରେ ରୁଦ୍ରମାଧବ ବାବୁଙ୍କ ଘର। ଦୀର୍ଘ ୩୦ ବର୍ଷର ଚାକିରୀ ଜୀବନ କଟିଲା କଟକରେ । ଅବସର ଗ୍ରହଣ ପରେ ଏବେ ସସ୍ତ୍ରୀକ ଗାଆଁ ରେ ରହୁଛନ୍ତି। ଏକମାତ୍ର ପୁତ୍ର ଦିଗନ୍ତ ସୁଦୂର ଆମେରିକାର ଏକ ପ୍ରତିଷ୍ଠିତ କମ୍ପାନୀର ବଡ଼ ପଦବୀ ରେ କାର୍ଯ୍ୟରତ। ୪ବର୍ଷ ପରେ ସ୍ତ୍ରୀ, ପୁତ୍ର (ସୀତାଂଶୁ )କୁ ଧରି ଗାଁକୁ ଆସିଛି । ଘରେ ଏବେ ହସ ଖୁସିର ଫଲଗୁ ବହୁଛି।ନାତିକୁ ଛଅ ବର୍ଷ ହେଲାଣି । ଦୁଇ ବର୍ଷ ର ହୋଇଥିଲା ବାପା ମାଆଙ୍କ ସହିତ ଗାଆଁ କୁ ଆସିଥିଲା।ନାତି ପାଇଁ ବହୁ ଆଗ୍ରହରେ ରୁଦ୍ରବାବୁ ଆମ ପରମ୍ପରା ର ଖାଦ୍ୟ ମାନ ଯୋଗାଇ ଚାଲିଛନ୍ତି । ସୀତାଂଶୁ ମଧ୍ୟ ବହୁତ ଖୁସି।
ରୁଦ୍ରବାବୁ ସେଦିନ ଅପରାହ୍ନ ୪ଟା ସମୟରେ ବଗିଚାରେ କିଛି ନୂଆ ଗଛ ରୋପଣ କରୁଛନ୍ତି, ହଠାତ୍ ପଛପଟରୁ ସୀତାଂଶୁ ଆସି ତାଙ୍କୁ କୁଣ୍ଢାଇ ଧରି ପଚାରିଲା , ଜେଜେ କ’ଣ କରୁଛ ? ସୀତାଂଶୁ ର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅଳ୍ପ ହସିଦେଇ ରୁଦ୍ରବାବୁ କହିଲେ କି, “ସବୁଜ ହୀରା” ସବୁକୁ ମାଟିରେ ପୋତୁଛି। ପୁଣି ନାତିର ପ୍ରଶ୍ନ , ଜେଜେ ସବୁଜ ହୀରା କ’ଣ ?
ସେହି ବଗିଚାରେ ତଳେ ବସିପଡ଼ି ରୁଦ୍ରବାବୁ ସହଜ କଣ୍ଠରେ ନାତିକୁ ବୁଝାଇବାକୁ ଚେଷ୍ଟା କଲେ । ସୀତାଂଶୁ ମଧ୍ୟ ଜେଜେଙ୍କ କଥାକୁ ବାଧ୍ୟ ଛାତ୍ରଟିଏ ଭଳି ଶୁଣିବାକୁ ଲାଗିଲା । ଜେଜେ ଆରମ୍ଭ କଲେ —
ଏବେ କହ ଏ ଗଛ ଗୁଡ଼ିକର ରଙ୍ଗ କ’ଣ ? ସୀତାଂଶୁ ଆଗ୍ରହରେ କହିଲା ସବୁଜ।ଜେଜେ କହିଲେ – ବାସ୍ , ଏହି ଗଛ ଗୁଡ଼ିକ ହୀରା ଭଳି ମୂଲ୍ୟବାନ। ତୁ ତ ଜାଣିଥିବୁ , ଆମେ ନିଃଶ୍ୱାସ ରେ ଯେଉଁ ଅମ୍ଳଜାନ ଗ୍ରହଣ କରୁଛୁ , ତାହା ଏହି ଗଛର ପ୍ରଶ୍ଵାସରୁ ହିଁ ନିର୍ଗତ ହୋଇଥାଏ। ଗଛରୁ ଆମକୁ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଫଳ ମିଳିଥାଏ , ଯାହା ଆମେ ଖାଦ୍ୟ ରୂପେ ଖାଇଥାଉ । ଏହାର କାଠରେ ବିଭିନ୍ନ ପ୍ରକାରର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗଢିବା ସହିତ ଜାଳ ରୂପେ ମଧ୍ୟ ବ୍ୟବହାର କରିଥାଉ। ସମସ୍ତ ବୃକ୍ଷ ଦେହରେ ଭରପୁର ଔଷଧୀୟ ଗୁଣ ରହିଛି। ଭିନ୍ନ ଭିନ୍ନ ରୋଗ ପାଇଁ ଏହାର କାଠ, ବକ୍କଳ,ପତ୍ର,ଫୁଲ,ଫଳ ଓ ମଞ୍ଜିକୁ ଆବଶ୍ୟକ ସ୍ଥଳେ ବ୍ୟବହାର କରିଥାଉ ।ଫୁଲ ଗଛରୁ ଯେଉଁ ଫୁଲ ଆମକୁ ମିଳିଥାଏ, ସେଥିରେ ଠାକୁର ପୂଜା,ତୋରଣ ,ମଣ୍ଡପ ସାଜସଜ୍ଜା କାମରେ ଲାଗେ ।ଫଳରୁ ଆମକୁ ବିଭିନ୍ନ ପ୍ରକାର ଖାଦ୍ୟ ସାର ମିଳିଥାଏ , ଯାହା ଆମକୁ ପୃଷ୍ଟି ସାଧନରେ ସାହାଯ୍ୟ କରିଥାଏ । ଫୁଲରୁ ମଧୁ ସଂଗ୍ରହ କରି ମହୁମାଛି , ଫେଣାରେ ଆମ ପାଇଁ ସାଇତି ରଖିଥାଏ। ମହୁକୁ ଔଷଧ ସହିତ ସେବନ କରିବା ସହିତ ଏମିତି ଖାଇଥାଉଁ । ଆମ ପାଇଁ ମହୁର ଅବଦାନ କିଛି କମ୍ ନୁହେଁ । ସର୍ବୋପରି ଆମ ରକ୍ଷାକର୍ତ୍ତା ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ମୂର୍ତ୍ତି (ନିମ୍ବ) ଗଛ କାଠରେ ନିର୍ମିତ ହୋଇଥାଏ ।। ଏବେ କହ ମୁଁ ଗଛକୁ “ସବୁଜ ହୀରା” ଆଖ୍ୟା ଦେଇ କ’ଣ ଭୁଲ୍ କହିଛି ?
ତାଳି ମାରି ଖୁସିରେ ନାଚିଉଠି ସୀତାଂଶୁ କହିଲା, ନାଇଁମ ଜେଜେ, ତୁମେ ଠିକ୍ କହିଛ । ଯେତେବେଳେ ଆମେ ଗଛଠୁଁ ଏତେ ଉପକାର ପାଉଛୁ, ଏଣୁ ଏହା ମୂଲ୍ୟରେ ହୀରା ଠାରୁ କୌଣସି ଗୁଣରେ କମ୍ ନୁହେଁ।
Kunja bihari Dalai
Singla
Balasore .
ଶବ୍ଦ ବିନ୍ଧାଣି କୁଞ୍ଜବିହାରୀ ଦଳାଇ
ସିଂଲା
ବାଲେଶ୍ଵର ।