ମାଟିର ମଣିଷ
ଦାନ ମାଝୀ ରାସ୍ତାରେ ବୁଲୁଛି। କେବେ ତା ନୁଖୁରା ମୁଣ୍ତ ରେ ତେଲ ଲାଗିଥିଲା ତା’ ମନେ ନାଇଁ। ଅନାବନା ମୁଣ୍ତ ର କେଶ ସବୁ କାନ୍ଧ ପର୍ଯ୍ୟନ୍ତ ଲମ୍ବି ଯାଇଛନ୍ତି। ମୁହଁ ରେ ଘଞ୍ଚ ଦାଢ଼ି ଓ ନିଶ ଯୋଗୁଁ ଚିହ୍ନିବା କଷ୍ଟ ହେଇ ଯାଉଛି। ଦେହରେ ଚାରି ପାଞ୍ଚ ହଳ ପୋଷାକ। କି ଖରା, କି ବର୍ଷା, କି ଶୀତ ସବୁବେଳେ ଲୁଗାତକ ତା’ ଶରୀର ମଣ୍ଡନ କରୁଛନ୍ତି। ଦିନ ରାତି ଘିରି ଘିରି ହୋଇ ବୁଲୁଛି ଦାନ। ସହରର ଗଳି, କନ୍ଦି ରାସ୍ତା ଘାଟ, ବସ୍ ଷ୍ଟେସନ୍, ସବୁଠି ତାର ଆବିର୍ଭାବ। ବାୟା ହେଇ ଯାଇଛି ଦାନ ମାଝୀ। ପାଟିରୁ ତାର ସବୁବେଳେ ବାହାରୁଛି “ମାଟିର ଶରୀର ତୋର ମିଶିଯିବ ମାଟିରେ। ମୋର ମୋର ବୋଲି କହି ମିଛେ କରୁ ପାଟିରେ। ”
ଥର ଥର କମ୍ପମାନ ଗତିରେ ପାଦ ପକାଇଛି, ଆଗକୁ ଆଗକୁ। ଏଇ ଦାନ ମାଝୀ ର ଦିନେ ହସଖୁସିର ଟିକି ସଂସାର ଟିଏ ଥିଲା। ସ୍ତ୍ରୀ ଫୁଲମତୀ, ତିନି ପିଲା ଅଜୁ, ବିଜୁ, ରାଜୁ ଘରକୁ ସ୍ବର୍ଗ କରି ନେଇଥିଲେ। ବିଲରୁ ଆସିଲେ ପିଲା ତିନିଟା ଘେରି ଯାଉଥଲେ। ବା, ବା, କହି ଚାରିଆଡ଼େ ବହେ ନାଚି ଯାଉଥିଲେ। ଫୁଲମତୀ ଲାଜେଇ ଲାଜେଇ ତା’ ମୁହଁକୁ ଦେଖି ଦେଖି ଖାଇବାକୁ ଇସାରା ଦେଉଥିଲା। ଘରଟା ଖୁସିରେ
ଉଛୁଳି ପଡୁଥିଲା। ଏ ସନ ଧାନ ଅମଳ ପରେ କାହା ପାଇଁ କ’ଣ ହେବ ବରାଦ କରୁଥିଲେ ପିଲାମାନେ।
ହେଲେ, ବିଧାତାକୁ ଯେମିତି ଏହି ପରିବାର ର ସୁଖ ଖାଲି ଆଖିରେ ଦେଖା ଗଲା ନାହିଁ। ସ୍ତ୍ରୀ ଫୁଲମତୀ ଅଜଣା ରୋଗରେ ଆକ୍ରାନ୍ତ ହୋଇ
ଖଟିଆ ଧରିଲା। ଯେତେ ଡାକ୍ତର ବଇଦ ସଭିଏଁ ହାର ମାନିଲେ। ଟଙ୍କା ପଇସା ସାଙ୍ଗ କୁ ଫୁଲ ବି ହାତ ଟାଣି ନେଲା। ମୁଠାଏ ଫୁଟେଇ ବା ପାଇଁ କେହି ରହିଲେ ନାହିଁ। ଶୂନ୍ଯ ଆକାଶ କୁ ଅନାଇଁ ଦାନ ଖୁବ୍ କାନ୍ଦେ। ପିଲା ତିନିଟାକୁ କୋଳେଇ ଦୀର୍ଘ ଶ୍ବାସ ଛାଡେ। “ତୁ ଆମକୁ ପର କରି ଦେଲୁ ଲୋ ଫୁଲ। ‘ଏ ବକଟେ ପିଲାଙ୍କ କଥା ବି ଭାବିଲୁ ନାହିଁ। ‘ଏ ମାଟିକୁ
ଯେତେ ଖୋଳିଲେ କ’ଣ ହେବ? ତୁ କ’ଣ ଆଉ ଫେରିବୁ? ତୁ ତ ତା ଦିହରେ ମାଟି ହେଇ ଗଲୁ ଲୋ। ପିଲା ଙ୍କୁ ବୁଝା ସୁଝା କରି ବାସି ତୋରାଣି ମୁନ୍ଦେ ଦିଏ ଦାନ ମାଝୀ। ମାଆ ମଲା ଦିନୁ ପିଲା ତିନିଟା ମଧ୍ଯ ତାର ବୋଲହାକ କରନ୍ତି। ବାପା କତିରେ ଛିଡା ହୁଅନ୍ତି। ଦାନ କହିବା ଆଗରୁ ସବୁ କରିଯାନ୍ତି। ହେଲେ, ଦଇବ ସହିଲାନି। ଝାଡାବାନ୍ତି ରୋଗ ରେ ଛୁଆ ମାନେ ଖୁବ୍ କଲବଲ ହେଲେ। ଡାକ୍ତର ପହଞ୍ଚିଲା ବେଲ କୁ ଦେରି ହୋଇ ଯାଇଥାଏ। ତା’ଆଖି ଆଗରେ ପିଲା ତିନିଟା ଦେଖୁ ଦେଖୁ ଡକା ହକା ହୋଇ ଚାଲି ଗଲେ।
ଦାନ ମାଝୀ କୁ ସଂଭାଳି ହେଲାନି। ଗୋଟି ଗୋଟି କରି ପିଲା ତିନିଟା ଙ୍କୁ ମାଟି ଦିହରେ ପୋତି ଦେଲା। କେହି ପାଖ ମାଡିଲେ ନାହିଁ। ଦାନ ମାଝୀ ସ୍ତ୍ରୀ, ପିଲା ସମସ୍ତ ଙ୍କୁ ମାଟି କୋଳରେ
ଶୁଆଇ ଦେଲା। ହେଲେ, ନିଜେ ଶୋଇ ପାରିଲା ନାହିଁ। ପାଗଳ ଭଳି ଘୁରି ବୁଲିଲା। ସତେ ଯେମିତି ଅତ୍ରୁପ୍ତ
ଆତ୍ମା ଟିଏ। ଦାନ ମାଝୀ ସ୍ତ୍ରୀ ପିଲା ସମସ୍ତ ଙ୍କୁ ଖୋଜିଲା। ପାଗଳ ହେଲା, ମୁଠାଏ ଖଇବା ପାଇଁ ପେଟ ଦେଖାଇଲା। କନା ଖଣ୍ଡେ ପାଇଁ ପିଠି ଦେଖାଇଲା। ଯାହାକୁ ଦେଖିଲା ସ୍ତ୍ରୀ, ପିଲାଙ୍କ କଥା ପଚାରିଲା। ‘ତୁ କ’ଣ ମୋ ଫୁଲ କୁ ଦେଖିଛୁ? ମୋ ରାଜୁ, ବିଜୁ, ଅଜୁ ଙ୍କୁ ଦେଖିଛୁ? କୁଆଡେ ଗଲେ? ସବୁ ଚାଲିଗଲେ। ହା… ହା…. ହା…..। ଗୋଟି ଗୋଟି ହୋଇ ସମସ୍ତେ ମତେ ଛାଡି ଚାଲି ଗଲେ। ଏ ଫୁଲ ଶୁଣୁଛୁ?ପିଲା ତିନିଟା ଙ୍କୁ ଏଇ ହାତରେ ମାଟିରେ ଶୁଆଇ ଦେଲି ଲୋ। ଝାଡାବାନ୍ତି ରେ ପିଲା ତିନିଟା କଣ୍ଟା ହୋଇ ଯାଇଥିଲେ ଲୋ। ମୁଁ କିଛି କରି ପାରିଲିନି। ଦାନ ମାଝୀ କିଛି କରି ପାରିଲାନି। ”
ଦାନ ମାଝୀ ବୁଲିଛି, ବୁଲିଛି, ଖୋଜିଛି।ଖୋଜି ଖୋଜି ଦିନେ ଟଳି ପଡିଛି, ବରଗଛ ମୂଳରେ। ପାଟିରୁ ତାର ସେଇ ଶେଷ ପଦକ, “ମାଟିର ଶରୀର ତୋର ମିଶିଯିବ ମାଟିରେ। ମୋର ମୋର ବୋଲି କହି ମିଛେ କରୁ ପାଟିରେ। ”
ଦୂର ଦିଗ ବଳୟରେ ସୂର୍ଯ୍ୟ ଅସ୍ତ ହୋଇ ଯାଉଥାନ୍ତି।
ଭାରତୀ ପଣ୍ଡା , ବୁର୍ଲା, ସମ୍ବଲପୁର