ମାଟିର ମଣିଷ
ଘରୁ ତରବରରେ ଏକରକମଦୌଡ଼ିଲାପରି ବାହାରିଯାଇ ଗାଡ଼ିରେ ବସିଲା ରୂପଶ୍ରୀ l ଟିକିଏ ଆଗରେ ଏତେ ରାସ୍ତା ଭିଡ଼ ଯେ ଅଟକିବାକୁ ପଡିଲା ତାକୁ l ବାରମ୍ବାର ଘଣ୍ଟାକୁ ଦେଖୁଥାଏ, ପାଖାପାଖି ଦଶ /ପନ୍ଦର ମିନିଟ ଅପେକ୍ଷା କଲାପରେ ଘଟଣା କଣ ଜାଣିବା ପାଇଁ ଭିଡ଼ ଭିତରକୁ ଆଡେଇ ପଶିଲା ଶୁଭଶ୍ରୀ l
କିଛି ସ୍ତ୍ରୀ ଲୋକ ଗୋଟିଏ ଶବକୁ
କୁଣ୍ଢାଇଧରି କାନ୍ଦୁଥାନ୍ତି l “ଧନରେ, କୁଆଡେ ଛାଡ଼ିଗଲୁ ମୋ ରୋଜଗାରିଆ ପୁଅ, କାହା ମୁହଁ ଚାହିଁ ବଞ୍ଚିବିରେ ? ” ମା’ କାନ୍ଦି କାନ୍ଦି ପୁଅ ଉପରେ ମୁଣ୍ଡ ଗଡ଼ାଇ କାନ୍ଦୁଥିଲା, ଯେତେ ତାକୁ ବୁଝାଇଲେ ସେ ସେମିତି ବାହୁନି ବାହୁନି କାନ୍ଦି ଚାଲିଥିଲା l ସ୍ତ୍ରୀ ମଧ୍ୟ ବୁକୁଫଟା ଚିତ୍କାର କରିଚାଲିଥିଲା l ମଝିରେ ମଝିରେ ଅଚେତ ହୋଇ ପଡୁଥାଏ ବାରମ୍ବାର l କୋଉ ସ୍ତ୍ରୀ ହେଲେ ସମ୍ଭାଳିପାରିବ ସମ୍ମୁଖରେ ସ୍ୱାମୀର ଶବ ଦେଖି ! ଏସବୁ ଦେଖି ସେ ବିଚଳିତ ହୋଇପଡିଲା, କାଇଁ କେଜାଣି ଭିତରେ ଭିତରେ ଭାଙ୍ଗିଯାଉଥିଲା ଖଣ୍ଡ ଖଣ୍ଡ ହୋଇ l ଲୋକଟି ବିଷୟରେ ଜାଣିବାକୁ ଭାରି ଇଛା ହେଲା, ଶବ ପାଖରେ ବସିଥିବା ମହିଳା ଜଣଙ୍କୁ ଡାକି ଲୋକଟି ବିଷୟରେ ପଚାରିଲା l “କଣ ହେଲା ଏ ବାବୁଙ୍କର ? ” ମହିଳା ଜଣଙ୍କ ଉତ୍ତର ଦେଲେ.. ଘରେ ଛ’ପ୍ରାଣୀ କୁଟୁମ୍ବ ଏ ଭଗି ଭାଇର lଜମିବାଡି ଖୁବ ଅଳ୍ପ, ମାଟିରେ ମାଟି ହୋଇ ଖଟିଲେ ବି ନଅଣ୍ଟ ପଡେ, ଘର ଅବସ୍ଥା ବି ସେତେ ଭଲ ନୁହେଁ l ଚାଖଣ୍ଡେ ସିଇଁଲେ ହାତେ ଚିରିଯିବା ଭଳି ଅବସ୍ଥା l ଓଳିଏ ଖାଇଲେ ଆର ଓଳିକ ଓପାସ, ଘରେ ଯୁଆନ ଝିଅ, ବଢିଲା ବଅସ, ଚିରାଫଟା ପିନ୍ଧି, ଓଳିଏ ଓପାସ ରହିବା ଆଉ ଦେଖିହେଲାନି ଭାଇର ଆଖିରେ l ସେଥିପାଇଁ ବୋଧେ ଦିନେ କାହାକୁ କିଛି ନ କହି ଦାଦନ ଖଟିବାକୁ ଚାଲିଗଲା ଗୁଜୁରାଟ l ଘରେ ଖୋଜି ଖୋଜି ନୟାନ୍ତ l ମାସେ ପରେ ଯେତେବେଳେ ଘରକୁ ଟଙ୍କା ପଠାଇଲା ଆମ ଗାଁ ର ବିଶିଆ ହାତରେ, ତେବେ ଯାଇ ଆମେ ଜାଣିଲୁ l ଯା’ହେଉ ଦୁଃଖ କିଛି ପରିମାଣରେ ଘୁଞ୍ଚିଗଲା, ହସ ଖେଳିଲା ପରିବାରରେ l କିନ୍ତୁ ବେଶୀ ଦିନ ସୁଖ ରହିଲାନି l ଦିନେ ଜୋରରେ ପେଟ କାଟିଲା, ମାଲିକ ତାକୁ ନେଇ ମେଡିକାଲ ଗଲା, ଡାକ୍ତର କହିଲେ ରହିବାକୁ ପଡିବ, ତେଣୁ ରହିଲେ, କିଛି ଦିନ ପରେ ଦେହ ଭଲ ହେଲା, ଘରକୁ ଫେରିଲା ଭାଇ l କିଛି ମାସ ଭଲରେ ଚାଲିଲା, ପୁଣି ଦିନେ ରାତିରେ ଭୟଙ୍କର ପେଟ ଯନ୍ତ୍ରଣା ହେଲା, ଡାକ୍ତରଖାନାକୁ ପୁଣି ବୁହାହୋଇଗଲା l ବିଭିନ୍ନ ପରୀକ୍ଷା ନୀରିକ୍ଷାରୁ ଜଣାପଡିଲା ଭାଇର କିଡ଼ନୀ ଟେ ନାହିଁ, ଆକାଶରୁ ଖସିପଡିଲା ଭଳି ମନେହେଲା ତାକୁ l ପୂର୍ବଥର ଡାକ୍ତରଖାନାରୁ ଫେରିଲାପରେ ମାଲିକ ପୁଅର କିଡ଼ନୀ ପ୍ରତ୍ୟାରୋପଣ କଥା ଶୁଣିଥିଲା.. ସେଇଟା ଆଉ ତା କିଡ଼ନୀ ନୁହଁ ତ ! ସତ୍ୟାସତ୍ୟ ପରେ ଜାଣିଲା ବେଳକୁ ଆଉ କିଛି ନ ଥିଲା l ମାଲିକର ପୁଅ ଦେହରେ ପ୍ରତିରୋପଣ ହୋଇସାରିଥିଲା l ଭାଇ ଜାଣିଲା ହେଲେ କିଛି ପ୍ରତିବାଦ କରିବାର ବାଟ ନଥିଲା l ଆଖିଆଗରେ ବଢିଲା ଝିଅଙ୍କ ଚେହେରା ତା ପାଟି ଚୁପ କରିଦେଉଥିଲା l ଘରର ଖୁସି ପାଇଁ ନିଜକୁ ଖଣ୍ଡ ଖଣ୍ଡ କରି ବିକ୍ରି କରିଦେଉଥିଲା l ଆଉ ଥିଲା ଗୋଟିଏ କିଡ଼ନୀ, ବିଜ୍ଞାପନ ଦେଖି ଆଉ ଜଣେ ମାଲିକକୁ ବିକ୍ରିକରିଦେଇଛି ମାତ୍ର କେଇ ଲକ୍ଷ୍ୟ ଟଙ୍କାରେ l ମାଲିକ ଏଇ ଅବସ୍ଥାରେ ଘରେ ପକେଇଦେଇଗଲା l ଆଖି ଯୋଡିକୁ ମଧ୍ୟ କାହାକୁ ବିକ୍ରି କରିଦେଇଛି, ସେ ଡାକ୍ତର ଧରି ଆସି ପହଂଚିବେ l ଯେହେତୁ ଟଙ୍କା ଆମ ପାଖକୁ ଆସିଛି, ଆମେ ବାଧ୍ୟହୋଇ ସେମାନଙ୍କ ଅପେକ୍ଷାରେ ଅଛୁ l ଆମଭଳି ମାଟି ମଣିଷଙ୍କ ଅବସ୍ଥା ଏଇମିତି l
ଦ୍ଵିତଳ ପ୍ରାସାଦରେ ରହୁଥିବା ରୂପଶ୍ରୀ ଆଉ କେଉଁ ଏକ ଦୁନିଆରେ ହଜିଯିବା ପରି ଲାଗିଲା l ଏମିତି ଗୋଟେ ଦୁନିଆ ଅଛି, ସେଠି ଭଗି, ବିଶିଆ ପରି ମାଟିର ମଣିଷମାନେ ରହନ୍ତି, ଏତେ ଦୁଃଖକଷ୍ଟର ଜୀବନ ଜିଅନ୍ତି, ତାହା ଆଜିର ଚାକଚକ୍ୟଭରା ଦୁନିଆର ରୂପଶ୍ରୀ ମାନେ ଜାଣନ୍ତେ ବା କିପରି !
ତଥାପି ରୂପଶ୍ରୀର ହୃଦୟ, ମନ ସବୁ ନଇଁଯାଉଥିଲା ଭଗିମାନଙ୍କ ପରି ମାଟିର ମଣିଷପାଖରେ..
ଆନ୍ତରିକତାର ଲୁହ କେଇବୁନ୍ଦା ଝରିପଡୁଥିଲା ମାଟିରେ ସେଇ ମାଟିର ମଣିଷଙ୍କ ଉଦ୍ଦେଶ୍ୟରେ…
ଚିନ୍ମୟୀ ମହାପାତ୍ର
ଅନଗୁଳ, ଓଡିଶା