ବୁନ୍ଦାଏ ଲୁହ
ତୁମେ ଗଲା ଦିନୁ
ମାଁ ର କପାଳ ଶୂନ୍ୟ
ସେ ଆଉ ପାଣିକାଚ
ପିନ୍ଧୁନି।
ତା’ ଆଖିର ଗଭୀରତାକୁ
ମୁଁ ମାପି ପାରୁନି
ବାପା।
ମାଁ ର ସାତସିଆଁ ଲୁଗାରେ
ହଜାରେ ଟାଙ୍କ।
ମୋ ଚୁମୁକି ଲଗା ଫ୍ରକରେ
ବହଳେ ମଳି।
କହରା ମୋ ମୁଣ୍ଡ ବାଳ
ଭୋକରେ ଛଟପଟ ହେଲେବି
ମୁଁ କାନ୍ଦେନି ବାପା।
ଦେଈ ମୁଣ୍ଡରେ ପରିବାରର ବୋଝ
ତା କଅଁଳ ହାତ କିନ୍ତୁ
ଇଟା ବୋହିବାରେ ବ୍ୟସ୍ତ।
ତା ବୁନ୍ଦାଏ ଲୁହକୁ
ମୁଁ ଦେଖିପାରେ ବାପା।
ଏ ଆଲୁଅଟା ବିତ ବେଶ୍
ଭୟଙ୍କର।
ଦାଣ୍ଡରେ ସନିଆଁ,ରଘୁଙ୍କ
ଡର।
ଘର ଭିତରେ ଖାଲି
ଶୂନ୍ୟତା।
ସବୁ ଖାଁ ଖାଁ ଲାଗୁଛି
ବାପା।
ଦେଈ ପଥର ହୋଇ ଯାଇଛି
ମାଁ ଆଖିର ବୁନ୍ଦା ବୁନ୍ଦା
ଲୁହ ଶୁଖୁନି
ମୁଁ କ’ଣ କରିବି?
ତୁମେ କେବେ ଆସିବ
ବାପା???
ଭାରତୀ ପଣ୍ଡା,
ବୁର୍ଲା,ସମ୍ବଲପୁର।