ବୁନ୍ଦାଏ ଲୁହ
“ଜୋତା ପିନ୍ଧିଲୁ କି ନାହିଁ ମ!!ଭାଷଣ କାଗଜଟା ମନେ କରି ବ୍ୟାଗରେ ରଖ।ଟେବୁଲ୍ ଉପରୁ ଗୋଲାପ ତୋଡା ଆଣେ ବୋଲି ରୋଜା ମ୍ୟାମ ନିଜ ଝିଅ ନିକିକୁ କହୁଥା’ନ୍ତି।
ନିଜ ଛୋଟ ଝିଅକୁ ନେଇ ସ୍କୁଲ୍ ବାହାରୁ ବାହାରୁ ନିଜ ଘରେ କାମ କରୁଥିବା କାଞ୍ଚନର ବାର ବର୍ଷର ପୁଅକୁ ରୋଜା ମ୍ୟାମ କହିଲେ,”ବଜାର ଯାଇ ପରିବା ନେଇ ଆସିବୁ,ଗଛରେ ପାଣି ଦବୁ,ନିକି ରୁମ୍ ସଫା କରିବୁ।”ରାଜୁ ସବୁଦିନ ପରି ମୁଣ୍ଡ ହଲେଇ ହଁ କହିଲା।
ରାଜୁର ପଢାରେ ଭାରି ମନ,ବେଳେବେଳେ ତା ମା’ ନିକିର ବହି ସଜାଡ଼ିଲା ବେଳେ ଗୋଡ଼ ଟେକି ସେ ନିରିଖେଇ ଚାହେଁ।କେମିତି କରି ପଢ଼ି ପାରନ୍ତା କି? ହେଲେ ସେ ଚୁପ୍ ରହି ଯାଏ ଆଉ ଆଖିରେ ଛାପି ନେଇ ଯାଏ ବହିର ମଲାଟକୁ।
ସ୍ୟୋଜନ୍ୟା ରୋଜା ମ୍ୟାମ ଜଣେ ଶିକ୍ଷୟିତ୍ରୀ।ଶିଶୁ ଦିବସ ଉପଲକ୍ଷେ ବିଦ୍ୟାଳୟରେ ଚାଚା ନେହେରୁଙ୍କ ଶିଶୁମାନଙ୍କ ପ୍ରତି ଥିବା ଗଭୀର ପ୍ରେମ ଆଉ ସରକାରଙ୍କ ବାଧ୍ୟତାମୂଳକ ଶିକ୍ଷା ଯୋଜନାକୁ ନେଇ ଏକ ସୁନ୍ଦର ଦଶ ମିନିଟର ଲମ୍ବା ଭାଷଣ ବ୍ୟକ୍ତ କଲେ।ଭାଷଣ ଶେଷକୁ କହିବାକୁ ଭୁଲିଲେନି ଯେ ଆଜିର ଶିଶୁ ଆସନ୍ତା କାଲିର ନାଗରିକ”।ଅବୁଝା ଶିଶୁ ବି ଭାରି ଭାରି ଶବ୍ଦର ଅର୍ଥ ନ ବୁଝି କରତାଳି ଦେଲେ।
ସ୍କୁଲ୍ ରୁ ଫେରି ନିକି ମା’ ଙ୍କୁ ପ୍ରଶ୍ନ କଲା,”ମା ଆମ ଘରେ କାମ କରୁଥିବା ରାଜୁ ବି ଛୋଟ ଶିଶୁ ନା!!”ତାର ବି ପଢ଼ିବା ବୟସ?ତା’ର ବି ସମାନ ପଢ଼ିବାର ଅଧିକାର ଅଛି ନା? ତେବେ ସେ ମୋ ପରି ସ୍କୁଲ୍ କାହିଁକି ଯାଉନି?
ମ୍ୟାମ କହିଲେ,” ହଁ ଯେ!ହେଲେ ପାଠ ସମସ୍ତେ ପଢ଼ିବେ ସେମିତି କିଛି ନାହିଁ ନା!!ଏମିତି ଦୁନିଆରେ ବହୁତ୍ ପିଲା ଅଛନ୍ତି,ଆମେ କଣ କରି ପାରିବା?ଏତିକି କହି ତା ପ୍ରଶ୍ନରେ ପୂର୍ଣ୍ଣଚ୍ଛେଦ ଟିଏ ଟାଣି ଦେଲେ।”
କିନ୍ତୁ ତାଙ୍କ ମନରେ ଭାସି ଯାଉଥିଲା ଅନେକ ଅକୁହା ଆଖିର ଛବି।ମନେ ପଡ଼ୁଥିଲା କିଛି ବସ୍ ଷ୍ଟାଣ୍ଡ,ହୋଟେଲ୍,ମନ୍ଦିର ଆଗର କରୁଣ ଦୃଶ୍ୟ।ଫୁଲ ପରି କୋମଳ ହାତରେ ଫୁଲ ବିକ୍ରି କରୁଥିବାର ଚିତ୍ର,ପୁଣି ଅପୃଷ୍ଟିକର ଶରୀରରେ ନିଜକୁ ବଞ୍ଚାଇବାକୁ ଚଳାଇଥିବା ସଂଗ୍ରାମ।ସେଇ ଶିଶୁ ମାନଙ୍କ ଲୁହ ଝରି ଗାଲରେ ଶୁଖି ଯାଇଥିବା ଚିହ୍ନ,ଶାନ୍ତିରେ ବସାଇ ଦେଲାନି ତାଙ୍କୁ।ସେଇ ନିରୀହ ଭବିଷ୍ୟତ ମାନଙ୍କ ବର୍ତ୍ତମାନ ବିଷୟରେ ଭାବି ଅସ୍ତ ବ୍ୟସ୍ତ ହୋଇଗଲେ।ତାଙ୍କ ଆଖିରୁ ଖସି ପଡୁଥିଲା ବୁନ୍ଦା ବୁନ୍ଦା ଲୁହ।
ସେ ନିଜକୁ ପ୍ରଶ୍ନ କଲେ କ’ଣ ସତରେ ଆଜି ମୋ ଶିଶୁ ଦିବସ ପାଳନ ସାର୍ଥକ ହୋଇଛି?ହଁ ଏହା ନିରାଟ ସତ କି ମୁଁ ଏ ଶିଶୁ ଶ୍ରମିକ ଅବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ସୁଧାରିବାକୁ ଅକ୍ଷମ।ହେଲେ ମୁଁ ସେତିକି ସକ୍ଷମ ଯେ ନିଶ୍ଚିତ ପାରିବି ରାଜୁର ଭାଗ୍ୟକୁ ପରିବର୍ତ୍ତନ କରି।ପରିବା ବ୍ୟାଗ ବଦଳରେ ଧରେଇ ଦେବି ତାକୁ ଏକ କଲମ,ଯେଉଁଥିରେ ଲେଖିବ ସେ ନିଜର ଭବିଷ୍ୟ।ସେ ରାଜୁକୁ ପଢ଼ାଇଲେ।ରାଜୁ ପାଠ ପଢି ବଡ଼ ପ୍ରଶାସନିକ ଅଧିକାରୀ ହେଲା।ଆଜି ଟିଭିରେ ତା’ର ସାକ୍ଷାତକାର ଦେଖେଇବ।ଟିଭି ପାଖରେ ରୋଜା ମ୍ୟାମ ବସି ଦେଖୁଥା’ନ୍ତି,ରାଜୁର ସଫଳତାର କାହାଣୀ।ସେପଟେ ପ୍ରଶ୍ନରେ ଆପଣଙ୍କ ପ୍ରେରଣା କିଏ ପଚରା ଯିବାରୁ ,ରାଜୁ ଉତ୍ତର ରଖିଲା,”ରୋଜା ଦେବୀ!!”ଏପଟେ ଟିଭିରେ ରାଜୁର ଉତ୍ତର ଶୁଣି ରୋଜା ଦେବୀଙ୍କ ଅଜଣାତରେ ତାଙ୍କ ଆଖିରୁ ଝରି ପଡ଼ିଲା ଖୁସିର ବୁନ୍ଦାଏ ଲୁହ
ସ୍ୱାଗତିକା ବେହେରା
କଟକ।।