ଏଇତ ଏବେ ଏବେ
ଏଇତ ଏବେ ଏବେ ବିନା ଫଗୁଣ ରେ
କୋଇଲି ର କୁହୁକୁହୁ ମିଠା ସ୍ୱର
ମୋତେ ଶୁଣାଗଲାଣି
ଆମ୍ବ ବଉଳ ର ବାସ୍ନା ବି ପାଗଳ କଲାଣି….!!
ଏଇତ ଏବେ ଏବେ ବିନା ଶ୍ରାବଣ ରେ
ଏ ଦେହରେ ବର୍ଷାର ଛିଟା ଲାଗିଛି
ଜାଣିଛ ଏ ବର୍ଷାକୁ ନା ମୁଁ ବହୁତ ଭଲ ପାଉଥିଲି
ଯେବେଠୁ ତୁମେ ବି ତାକୁ ଭଲ ପାଇଲଣି
ସେବେଠୁ ମୋର ତା ଉପରେ ଭାରି ଇର୍ଷା
ସତରେ ସେ ଆସିଲେ ମୁଁ ଜଳିଯାଏ …..!!
ଏଇତ ଏବେ ଏବେ ମନ ଟା
ଭାରି ଚଗଲି ହେଲାଣି
ଗୋଟେ ଜାଗା ରେ କଣ ଥୟ ହୁଏ
କେଜାଣି କାହିଁକି ମୁରୁକି ମୁରୁକି ହସେ
ଆପଣାଛାଏ କାନ୍ଦେ
କେବେ ସେ ସେଇ ଦୂର ଜହ୍ନକୁ ନିରେଖି ଦେଖୁଛି ତ
କେବେ ପୁଣି ତାକୁ ଦେଖି ଲୁଚି ଯାଉଛି……!!
ଏଇତ ଏବେ ଏବେ ଆଇନା ସହ ନୂଆ କି ସାଙ୍ଗ ବସିଛି
କେବେ ଲାଜେଇ ଯାଏ ତ ପୁଣି କେବେ ଅଟକିଯାଏ
କେଜାଣି ଏ ଛବି ରେ ଆଉ କାହା ଛବି ଟିଏ ପ୍ରତିଫଳିତ ହୁଏ
କେବେ ବିନ୍ଦି ଲଗେଇଲା ବେଳେ ତ
କେବେ ଫୁଲ ଖୋସିଲା ବେଳେ
ସବୁ ଯେମିତି ମୋ ସହ କାଳିଆକୁତୁର ଖେଳନ୍ତି……!!
ଏଇତ ଏବେ ଏବେ ସକାଳର ପହିଲି ଛୁଆଁ
ଭାରି ଅଳସ ଭିଡ଼େ
ମିଠା ମିଠା ବାସ୍ନା ସହ ଜାବୁଡି ନିଏ…..!!
ଏଇତ ଏବେ ଏବେ ବିନା ଫଗୁଣରେ
ଏ ଦେହ ରେ ରଙ୍ଗ ଲାଗିଯାଇଛି
ଦେହ ମନ ଯେମିତି ଖୁବ ରଙ୍ଗୀନ
ରଙ୍ଗ ସବୁ ଭାରି ଭଲ ଲାଗୁଛି
କଳା କଜ୍ଜଳ,ନାଲି ଓଢଣୀ ଅଳତା ସିନ୍ଦୂର,
ହଳଦିଆ ପାଟ
ଏଇତ ଏବେ ଏବେ ଏସବୁ ମୋତେ ଆନମନା କରୁଛି
ଏଇତ ଏବେ ଏବେ କିଛି କିଛି ଅନୁଭବ ହେଉଛି
ଏଇତ ଏବେ ଏବେ…….!!
10 total views, 1 views today