ସତ୍ୟବାନ
ମୋତେ
ଥରେ ନୁହଁ ବହୁବାର
ଜନ୍ମ ନେବାକୁ ପଡିଛି
ମର୍ତ୍ତ୍ୟରେ ମୃତ୍ୟୁଲୋକରେ
ଦେବତା ହେବା ସହଜ
ମଣିଷ ହୋଇ ଜନ୍ମଲାଭ କରିବା
ଅନେକ ତପସ୍ୟା କରିବାକୁ ପଡେ
ଦେବତାମାନେ ନର ରୂପରେ
ଜନ୍ମଲାଭ କରିବାକୁ ମନ ବଳାନ୍ତି
ମର୍ତ୍ତ୍ୟ ସୁଖ ସ୍ବର୍ଗ ସୁଖ ଠାରୁ
ଅନନ୍ୟ ସ୍ବାଦ ଥାଏ ଜୀବନରେ
ଭୋଗ ବିଳାସର ଲୀଳାକ୍ଷେତ୍ର
ଲୀଳାମୟ ପୁରୁଷ ଯାଦବଶ୍ରେଷ୍ଠ
ବାସୁଦେବଙ୍କ ବାଲ୍ୟ, ଯୌବନ
ପୌରୁଷତ୍ବର ଲୀଳା ବେଶ୍
ଚର୍ଚ୍ଚା ଚର୍ଚ୍ଚିତ ସ୍ବର୍ଗରେ
ଋଷି ମୁନିମାନେ ଆତ୍ମସଙ୍ଗ ପାଇଁ
କେତେ ବ୍ୟାକୁଳ ଓ ଆତ୍ମଲୀନ
ପ୍ରେମରେ ପ୍ରତ୍ୟୟରେ ତଲ୍ଲୀନ
ତଦ୍ଗତା ପୁଣି ସ୍ବବିସ୍ମୃତିରେ ।
ପ୍ରେମରେ
ଜୀବନ ଅଛି
ଜ୍ବଳନ ବି ଅଛି
ସେଇଥି ପାଇଁ ତ
ପ୍ରେମ ମଧୁକ୍ଷରା
ପ୍ରୀତିର ଅସରନ୍ତି ଅକ୍ଷୟ
ପୀୟୂଷ ପସରା ।
ସାବିତ୍ରୀ ଅହଲ୍ୟ ଅନସୂୟା
କୁନ୍ତି ତାରା ମନ୍ଦୋଦରୀ
ପୁଣି ଯାଜ୍ଞସେନୀ ଦ୍ରୁପଦ ନନ୍ଦିନୀ
ପ୍ରେମରେ ପ୍ରଣୟରେ ଭୂମିରୁ ଭୂମାଯାଏ
ରଚିଥିଲେ ପ୍ରୀତିର ସ୍ବର୍ଗ
ସତୀ ସାଧ୍ବୀ ବ୍ୟକ୍ତିତ୍ବର ଚରମରେ
ପରମରେ ବାନ୍ଧିଥିଲେ ପରମାତ୍ମାକୁ ।
ସାଧନାର ସିଦ୍ଧିରେ
ପରମାର୍ଥିକ କର୍ତ୍ତବ୍ୟରେ
ସେମାନଙ୍କ ଉଚ୍ଚ ଆଦର୍ଶବୋଧ
ଅନତିକ୍ରମ ଚିରକାଳ କାଳାନ୍ତର ପାଇଁ ।
ମୁଁ ଶତ ଚେଷ୍ଟାପରେ ବି
ନା ବାନ୍ଧିପାରୁଛି ମନକୁ
ନା ଛନ୍ଦିପାରୁଛି କାମନାକୁ
ବାସନା ତ ଲମ୍ବି ଲମ୍ବି ଚାଲୁଛି
ଭୋଗର ପରିତୃପ୍ତି ପାଇଁ ।
ଦେହରେ କେବଳ କାମ
ପ୍ରେମ ଏଠି ଅଦୃଶ୍ୟ ଅସ୍ପୃଶ୍ୟ
ବିଳାସର ବୈଜୟନ୍ତି ଉଡେ
ମୋର ସତ୍ୟବାନ ହେବା
ଦିବାସ୍ବପ୍ନ ମିଥ୍ୟାବଚନରେ
ମୁଁ ମିଥ୍ୟାବାନ
ସାବିତ୍ରୀ ମୋ ଅପ୍ରାପ୍ତିର ଏକ
ଅଲିଖିତ ନାମବାଚକ
ପଦଟିଏ ମାତ୍ର ।
କାମନା ବାସନାର
ଅବଦମିତ ପତାକା ଯେ
ଉଡେ ଅବିରତ
ତୁମେ କୁହ ସତ୍ୟବାନ
ବନିବା ମୋ ପାଇଁ
ଅବାଞ୍ଛିତ ଶବ୍ଦଟିଏ ମାତ୍ର ।
—xxxx—
ସଦସ୍ୟ, ଓଡିଶା ସାହିତ୍ୟ ଏକାଡେମୀ
ମାର୍କୋଣା ,ବାଲେଶ୍ବର -୭୫୬ ୧୨୬
ଭ୍ରାମ୍ୟଭାଷ -୯୪୩୭୩୭୨୧୬୬
ରଚନାକାଳ – ମେ ୩୦,୨୦୨୨
ପୂର୍ବାହ୍ଣ ୦୯.୧୦