ସଜ ସକାଳ
ସଜ ସକାଳର କୁଆଁରୀ ମୁହଁରେ
ରଙ୍ଗ ଅବିର ଯେବେ ଭରେ,
ପୂର୍ବାକାଶର ସିନ୍ଦୁର ଫୁଆରେ
ପ୍ରିୟା ମୋ ଲାଜେଇ ହସେ l
ସଜ ସକାଳର ପକ୍ଷୀର କାକଳି
ପାହାନ୍ତି ପହର ସପନ ଭାଙ୍ଗେ,
ସେ ସପନରେ ପ୍ରିୟାର ମୁହଁ ମୋ
ଜଳ ଜଳ କରି ଦିଶେ l
ସଜ ସକାଳର ଶଙ୍ଖ ହୁଳହୁଳି
ଗ୍ରାମ ଦେବତୀଙ୍କ ଠାରେ,
ଘଣ୍ଟ ଘଣ୍ଟା ସହ ମୋ ଘର ମନ୍ଦିର,
ପ୍ରେୟସୀ ପରାଣେ ମିଶେ l
ସଜ ସକାଳର ଶୀତୁଆ ଚା ‘ରେ
ବାମ୍ଫ ଉଠି ଯେବେ ମିଶେ,
ପ୍ରେୟସୀ ଅଳସୀ ରୂପ ମଦିରାରେ,
କୁହୁଡି ପରାୟେ ଦିଶେ l
ସଜ ସକାଳର ସୁନେଲି ଖରା ଟି
ପୃଥିବୀରେ ଯେବେ ମିଶେ,
ଲାଗେ ଅବା ସତେ ପ୍ରେୟସୀ ମୁହଁଟି
ଆଉଟା ସୁନାରେ ଝଲସେ l
ଚିନ୍ମୟୀ ମହାପାତ୍ର, ଅନଗୁଳ
Chinmayee Mohapatra, Angul