*ସୃଜନ ର ଶିଖରପୁରୁଷ*

ତୂମେ ସୃଜନର
ଶିଖର ପୁରୁଷ
ସୃଜନୀର ଶିଖା ତୋଳି ।
ଦିବ୍ୟ ଚେତନାର
ପ୍ରଜ୍ବଳିତ ପ୍ରଜ୍ଞା
ଅନ୍ତରେ ଦେଇଛ ଜାଳି ।।
ଅମୋଘ ସ୍ପର୍ଶରେ
ବଳିଷ୍ଠ ପ୍ରତିଭା
ସ୍ବର୍ଣ୍ଣାକ୍ଷରେ ସ୍ବାକ୍ଷରିତ ।
ଦେବଭୂମି ପରେ
ମାନସପଟରେ
ପ୍ରତିପ୍ରାଣେ ବିଭୋରିତ ।।
ଭୂମିରୁ ଆକାଶ
ଆକର୍ଷଣ କରେ
ଆଜି ତୁମ ସ୍ବରଲିପି ।
ଅମୃତ ଧାରାରେ
ଯୋଗଜନ୍ମା ତୁମେ
ଶବ୍ଦ ତୁମ ବିଶ୍ବବ୍ୟାପି ।।
ତୁମ ଶବ୍ଦାବଳୀ
ନିନାଦିତ ଆଜି
ତୋଳି ଚେତନାର ଛନ୍ଦ ।
ଶାଶ୍ବତ ପ୍ରେମର
ସୌରଭ ସ୍ତବକେ
ଜୀବନର ଅନୁବନ୍ଧ ।।
ଜାଗ୍ରତ ହୁଅ ହେ
ପୁନର୍ବାର ତୁମେ
ଆଶାୟୀ ଆୟୂଷ ଧାରେ ।
ସ୍ବର୍ଣ୍ଣାଭ ଆଭାରେ
ପ୍ରସ୍ଫୁଟିତ ହେଉ
ଶବ୍ଦ କାରୁଶିଳ୍ପ ପରେ ।।
ସେହି ମଧୁସ୍ପର୍ଶେ
ବିମୁଗ୍ଧ ମହ୍ଲାର
ସଞ୍ଜିବନୀ ମହାମନ୍ତ୍ର ।
ପବିତ୍ର ମୂହୁର୍ତ୍ତ
ପୁନଃ ପୁନଃ ଫେରୁ
ଗାଇ ମୂର୍ଚ୍ଛନା ର ସ୍ତୋତ୍ର ।।
ବିସ୍ତୃତ ଭାବନା
ନୈସର୍ଗିକ ଧାରା
ଆଜି ବି ଅପେକ୍ଷାରତ ।
ଗୋପନ ଗୀତିକା
ସୁସ୍ପଷ୍ଟ ଅକ୍ଷରେ
କରିଦିଅ ପ୍ରଣୋଦିତ ।।
ଘନ ତମସାକୁ
ଭେଦକରି ଆସ
ଆସ୍ପୃହା ର ପ୍ରଦୀପ ରେ ।
ଉଦୟଭାନୁର
ପ୍ରଭାତ ପ୍ରକଳ୍ପେ
ଜାଗିଉଠ ଆଉଥରେ ।।
ଯନ୍ତ୍ରଣା ର ଭାର
ପ୍ରଶମିତ ହେଉ
ସମୁହ ପ୍ରଦୀପେ ଆଜି ।
ଅୟୁତ ସ୍ପନ୍ଦନେ
ଅମୂଲ୍ୟ ପ୍ରାର୍ଥନା
ଦିବ୍ୟ କରୁଣାରେ ଭିଜି ।।

*ସସ୍ମିତା ପଣ୍ଡା*
*କଟିକଟା, କଟକ*

 58 total views,  1 views today

Leave a Reply

Your email address will not be published. Required fields are marked *