ଶ୍ରମିକ ଦିବସ
ବିଶ୍ୱେଶ୍ୱର ମାଝୀ
ଶୀଳ୍ପି କାରିଗର କୃଷକ ଶ୍ରମିକ ମିଶି
ଶ୍ରମରେ ଗଢା ଏ ଜଗତର ଯାହାକିଛି।
ଶ୍ରମଦାନେ ଗଢା ଅଟ୍ଟାଳିକା ବନ୍ଧ ବାଡ
ମନ୍ଦିର ମସଜିଦ କଳ କାରଖାନା ବଡ।
ଶ୍ରମିକ ଶୃଙ୍ଖଳା ସହ ନିଷ୍ପାଦନ କରେ କାର୍ଯ୍ଯ
ଶୃଙ୍ଖଳା ନିଷ୍ଠାରେ ହୁଏ ଉତ୍ପାଦନ ଧାର୍ଯ୍ଯ।
ପିମ୍ପୁଡି ଯେପରି ଧାଡିବାନ୍ଧି ଚାଲିଥାଏ
ଭଲ୍ଲୁକ ମର୍କଟ ସେତୁ ବନ୍ଧ ବାନ୍ଧିଦିଏ।
ଶ୍ରମିକ ଶୋଷିତ ଚିରଦିନ ଉପେକ୍ଷିତ
ଫରାସୀ ବିପ୍ଳବ ହେଲା ତହିଁ ସୂତ୍ରପାତ।
ଶୋଷକ ବିରୁଦ୍ଧେ ହେଲା ମହା ଆନ୍ଦୋଳନ
ସଂଗଠିତ ହେଲେ ଶୋଷିତ ଶ୍ରମିକ ମାନ।
ମଇ ପହିଲାରେ ପାଳୁ ଶ୍ରମିକ ଦିବସ
ମିଠା ଭାଷଣରେ ଆସିବକି ମୁଖେ ହସ !
ପରିଶ୍ରମ କରି ପାରିଶ୍ରମିକ ଅମିଳ
ଶୋଷଣକାରୀଟି ଭୋଗକରେ ସବୁ ଫଳ।
ଶ୍ରମିକ ଏକତା ଇନକିଲାବ ଜିନ୍ଦାବାଦ
ସଂଗଠନ ଶକ୍ତି ଦେଖି କମ୍ପେ ସେ ଜହ୍ଲାଦ।
ହେ ଶ୍ରମିକ ଘେନ ସମାଜର ପ୍ରଣିପାତ
ମେରୁଦଣ୍ଡ ସିଧା ହେଲେ ଶରୀରଟି ସୁସ୍ଥ।
@ଚନ୍ଦ୍ରଶେଖରପୁର, ଭୁବନେଶ୍ବର।
110 total views, 1 views today