ଶରତ ସନ୍ଧ୍ୟାରେ….. 🌺
ସାଧନା ପଣ୍ଡା
ଶରଦ ସନ୍ଧ୍ୟାର ଗୋଧୂଳି ଖେଳଇ
ସୁନୀଳ-ଗଗନ ତୀରେ
କାଶତଣ୍ଡୀ-ବଣ ଚିତ୍ର ଛାୟା ଭାସେ
ସରସୀର ନୀଳ- ନୀରେ ।।୧
କ୍ଳାନ୍ତ ପଥିକ କେ’ ବଜାଏ ତା’ ବଂଶୀ
ମରମରେ ଲାଗେ ବ୍ୟଥା
ତାଳ ମାଳେ ଡାକେ ଡାହୁକ ଆତୁରେ
ଗାଇ ପରାଣର ଗାଥା ।।୨
ଧାନ କିଆରୀରେ ଶୀତଳ ସମୀର
ମଦିରା କାକର ବିନ୍ଦୁ
ପ୍ରକୃତି ରାଣୀର ନବ- ନୀଳ ବେଶ
ସୁଷମାରେ ଶୋହେ ଇନ୍ଦୁ।।୩
ଚଉରାର ପାଶେ ନବବଧୂ ବେଶେ
ସନ୍ଧ୍ୟା ପ୍ରଦୀପ ଜାଳେ
ତ୍ରସ୍ତ କିଶୋରୀ ଧୂପ ଡାଲା ହସ୍ତେ
ସଧୀରେ ଚରଣ ଚାଳେ ।।୪
ଝାପସା ଅନ୍ଧାର ପଣତକୁ ଟାଣି
ସନ୍ଧ୍ୟା ଆସଇ ଧୀରେ
ତରୁଣୀ ଚଳଇ କଳସୀ କାଖେଇ
ଛନ୍ଦ-ମଦାଳସୀ ଭୋରେ ।।୫
(ସାଧନା ପଣ୍ଡା
ଭୁବନେଶ୍ବର )
Sadhana Panda KALPANA
Bhubaneswar
610 total views, 1 views today