ସୁନୀଳ ଆକାଶ
ସୀମାଞ୍ଚଳ ପଣ୍ଡା
ସୁନୀଳ ଅମ୍ବର ତୁମ କଳେବର
ଅନନ୍ତ ଅସୀମ ଉନ୍ମୁକ୍ତ ଅତି,
କୋଟି ଜ୍ୟୋତିଷର ଦିବ୍ୟ ପ୍ରକାଶର
ଲାବାଣ୍ୟ ପ୍ରତିମ ଘେନ ପ୍ରଣତି!
ସହସ୍ର ସଉର ଜଗତର ଘର
ଅଜସ୍ର ତାରକା ଶରୀରେ ଠୁଳ,
ବ୍ରହ୍ମାଣ୍ଡ ପିଣ୍ଡର ଅନନ୍ତ ଭଣ୍ଡାର
ସୌର ପରିବାର ଆଶ୍ରୟ ସ୍ଥଳ,
ବିଶାଳ କାରଣ ସୁନୀଳ ବରନ
କରିଛ ଧାରଣ ଶାନ୍ତ ମୂରତି,
ସୁନୀଳ ଅମ୍ବର ତୁମ କଳେବର
ଅନନ୍ତ ଅସୀମ ଉନ୍ମୁକ୍ତ ଅତି।
ସବୁରି ନିମନ୍ତେ ଶାନ୍ତ କାନ୍ତ ପଥେ
ଚଳାଚଳ କୃତେ ନ ଦିଅ ବାଧା,
ହୃଦୟ ତୁମର ଅତ୍ୟନ୍ତ ଉଦାର
କାନ୍ତ କମନୀୟ ଶାନ୍ତ ସମୃଦ୍ଧା।
ସଉର ଜଗତ କ୍ଷୁଦ୍ର ଅଂଶ ମାତ୍ର
ଧରା ତୁମ ଦେହେ ଧୂଳି ସମାନ,
ଅଣୁ ପରି ମୋର ଛୋଟ ଏ ଶରୀର
ବୃଥା ଅହଙ୍କାରେ କରେ ତୁଳନ!
ଘୂରି ଯାଏ ମଥା ଗାଏ ଜୟ ଗାଥା
ତୁମେ ହିଁ ଅନନ୍ତ ପରମ ଶକ୍ତି,
କୋଟି ଜ୍ୟୋତିଷର ଦିବ୍ୟ ପ୍ରକାଶର
ଲାବାଣ୍ୟ ପ୍ରତିମ ଘେନ ପ୍ରଣତି।
ଅନନ୍ତ ଅସୀମ ଅହଙ୍କାର ଶୂନ୍ୟ
ସୁଶାନ୍ତ ସୁଧୀର ସୁନ୍ଦର ମୂର୍ତ୍ତି,
ସହସ୍ର ସୂର୍ଯ୍ୟର ସତେଜ ଶୌର୍ଯ୍ୟର
ଅନନ୍ତ ପ୍ରକାଶ ଦିଅ ସଦ୍ଗତି!
ଶିକ୍ଷକ ,ଡେଙ୍ଗାଡି ,ଗଞ୍ଜାମ,