ସୁନ୍ଦରେ କି ଅଛି ଲାଭ
ରୂପ ଅଛି ଗନ୍ଧ ନାହିଁ,ନାହିଁ ବାସ ତାର,
କିଛି ମୂଲ୍ୟ ନାହି ତାର, ନାହିଁ ଟି ଆଦର।
ବିଦ୍ୟା ନାହିଁ ଜ୍ଞାନ ନାହିଁ ନାହିଁ କର୍ମ ତାର,
ନର ଜନ୍ମ ତାର ଅତି ହୁଏଟି ଅନ୍ଧାର।।୧।
ପଲାସ ଫୁଲଟା ଦିଶେ ଅତି ହିଁ ସୁନ୍ଦର,
ଆଦର ନ କରେ ଜନ ପଲାସ ଫୁଲର।
ସୁନ୍ଦରେ ମୂଲ୍ୟ ନାହିଁ ନାହିହିଁ ଆଦର,
ହୃଦୟରେ ଯଦି ନାହିଁ ବିଦ୍ୟାର ଭଣ୍ଡାର।।୨।
ସୁନ୍ଦରରେ କିଛି ନାହିଁ ଯଦି କର୍ମ ନାହିଁ,
କିଛି ନାହିଁ ଜୀବନରେ ଯଦି ଜ୍ଞାନ ନାହିଁ।
ଯଦି ସତ୍ୟପଥଗାମୀ ଜୀବନରେ ନାହିଁ,
ବୃଥା ତା ଜୀବନ ଅଟେ ଅନ୍ଧକାର ତହିଁ।।୩।
ରାଷ୍ଟ୍ର ସେବା ନାହିଁ ଯଦି ଜୀବନେ ତାହର
ଜନସେବା ଯଦି ନାହିଁ ମନ୍ତ୍ର ହିଁ ତାହାର।
ଜଗନ୍ନାଥ ଭକ୍ତି ନାହିଁ ହୃଦୟରେ ତାର,
ମୂର୍ଖାମିର ପାତ୍ର, ବୃଥା ନରଜନ୍ମ ତାର।।୪।
ଜ୍ଞାନୀ ହୋଇ ଜ୍ଞାନ ଦିଏ ଏ ଭବ ସଂସାରେ,
ଜନସେବା କରେ ସେହୁ କର୍ତ୍ତବ୍ୟ ପଥରେ।
ଧର୍ମ ପଥେ ରହି ଥାଏ ପବିତ୍ର ମନରେ,
ହିଂସା ଭାବ ନାହିଁ କେବେ କର୍ମର ପଥରେ।।୫।
ଅନ୍ୟର ଭବିଷ୍ୟ ସେହୁ ଗଢୁ ଥାଏ ନିତି,
ରାଷ୍ଟ୍ର ହିତେ କରେ ସେହୁ ଜନସେବା ନିତି।
ପ୍ରଭୁ ସେବା ଆଟେ ତାର ମନ୍ତ୍ର ଦିନରାତି,
ଜୀବନ ସଫଳ କରେ କରି ପ୍ରଭୁ ଭକ୍ତି।।୬।
ମିଥ୍ୟା କଥା କୁହେ ନାହିଁ ଜୀବନ ଯାତ୍ରାରେ,
ପର ହିଂସା କରେ ନାହିଁ କର୍ମର ପଥରେ।
ଦୁଃଖୀ ହେଉ ଥାଏ ସଦା ପରର ଦୁଃଖରେ,
ଅଶ୍ରୁ ପଛୁ ଥାଏ ତାର ପ୍ରେମ ଓ ଭକ୍ତିରେ।।୭।
ମନୁଷ୍ୟ ଜୀବନ ତାର କରେଟି ସାର୍ଥକ,
ଗୌରବ ଗାଥା ଲେଖେ ହୋଇଣ ପଥିକ।
ପ୍ରଭୁ କାର୍ଯ୍ୟ କରେ ସଦା ହୋଇଣ ନିର୍ଭୀକ,
ରାଷ୍ଟ୍ର ହିତେ ରୁହେ ସଦା ହୋଇଣ ସତର୍କ।।୮।
ମାତୃଭାଷା ମାତୃଭୂମି କରେଟି ଆଦର,
କୃଷ୍ଣ ରାମ ନାମ ଅଟେ ଜପାମାଳି ଯାର।
ଜଗନ୍ନାଥ ଭକ୍ତି କରେ ହୋଇଣ ତତ୍ପର,
ଦୁର୍ଲ୍ଲଭ ଜୀବନ ହୁଏ ସାର୍ଥକ ତାହାର।।୯।
ରୂପ ଅଛି ଗନ୍ଧ ନାହିଁ, ନାହିଁ ବାସ ତାର,
କିଛି ମୂଲ୍ୟ ନାହିଁ ତାର ନାହିଁ ଟି ଆଦର।
ବିଦ୍ୟା ନାହିଁ ଜ୍ଞାନ ନାହିଁ ନାହିଁ କର୍ମ ତାର
ନରଜନ୍ମ ତାର ଅତି ହୁଏଟି ଅନ୍ଧାର।।୧୦।
ଅଜିତ କୁମାର ରାଉତ
ଗାଁ କଳାବାଡିଆ
ସଭାପତି, ଉତ୍କଳ ସମ୍ମିଳନୀ
ସଢୈଇକଳା ଖରସୁଆଁ ଜିଲ୍ଲାର
ରାଜନଗର ବ୍ଲକ ଶାଖା
ଝାଡ଼ଖଣ୍ଡ ରାଜ୍ୟ