ସ୍ମୃତି ଅତୀତର
******************
ମନେ ପଡ଼େ ସ୍ମୃତି ଅତୀତର ଯାହା
ଯାଇଛି କେବେଠୁ ବିତି
ସାଙ୍ଗ ସାଥି ମେଳେ କଙ୍କି ଧରୁଥିଲୁ
ନାନା ରଙ୍ଗ ନାନା ଜାତି ।।
ଭାରି ଦୁରୁବଳ ତା ପତଳା ଶରୀର
ଡେଣା ଅଟେ ଜାଲି ପରି
ହସ ମଜା କରି ଖେଳୁ ତା ସାଥିରେ
ବାନ୍ଧି ଦେଇ ଲାଞ୍ଜେ ଡୋରି ।।
କଅଁଳ ପତର ଅବା ଲମ୍ବା ଘାସ
ଦେଉ ତା ପାଟିରେ ଧରି
ଅଜଣା ଆମକୁ ତା ଖାଦ୍ୟ ତଥାପି
ସେ ଖାଏ ଟୁକୁ ଟୁକୁ କରି ।।
ଯାଆ କଙ୍କି ମୋର ଉଡ଼ିଯା ପବନେ
ପକ୍ଷୀ ତୋର ଝାଡି ଝାଡି
କଙ୍କି ମୋ ଉଡୁଛି ଦେଖରେ ଆକାଶେ
କହି ଖୁସି ହେଉ ଗଡ଼ି ।।
ଜୀବନ ମୋଡ଼ରେ ସବୁ ତ ବଦଳେ
ବଦଳି ଯାଏ ସପନ
ହେଲେ ଅତୀତର ଅପାଶୋରା ଦିନ
ରହେ ଚିରଜନ୍ମ ମନ ।।
ସମୟ ତା ବାଟେ ଫେରି ତ ଯାଇଛି
ଛାଡ଼ି ଦେଇ ମେଞ୍ଚେ ସ୍ମୃତି
ବ୍ୟସ୍ତ ବହୁଳ ଏ ଜୀବନେ ତଥାପି
ଚେଇଁଛି ଏବେ ତା ସ୍ଥିତି ।।
ସେଇ ସାଙ୍ଗ ମେଳ ଅଠାକାଠି ଖେଳ
ଆସିବନି କେବେ ଆଉ
କଙ୍କି ଅଛି ହେଲେ ବୟସ ଗଡ଼ିଛି
ଖାଲି ସ୍ମୃତିକୁ ଜୀବନ୍ତ ପାଉ ।।
ଲକ୍ଷ୍ମୀପ୍ରିୟା ସେଠୀ
ଦେଉଳି,ଯାଜପୁର