ଶୀର୍ଷକ-ବାପା
************
ଜନମି ଦୁହିତା ଦୁଇକୂଳ ହିତା
ସ୍ରଷ୍ଟାଙ୍କୁ ମୋର ପ୍ରଣାମ
ମାତୃକୋଳେ ରଖି ନଅ ମାସ ଧରି
ଦେଖାଇଲେ ଏ ଭୁବନ ll
କନ୍ୟା ରୂପେ ଜନ୍ମ ଗୃହେ ମୁହିଁ ଲଷ୍ମୀ
ଜନମିଲି ମର୍ତ୍ୟପୁରେ
ବାପା ମୋର ଖୁସି ମନକୁ ଆଶ୍ୱାସୀ
ଆସିଲା ମୋ ମାଆ ଥରେ ll
ତୁଣ୍ଡେ ମୋର ଖାଦ୍ୟ ଦେହେ ମୋର ବସ୍ତ୍ର
ସୁସଜ୍ଜିତ ଗୃହ ମଧ୍ୟେ
ବିଶାଳ ହୃଦୟ ମନେ ରଖି କୋହ
ହାତଧରି ଚାଲେ ପାଦେ ll
ସଭ୍ୟତା ସଂସାର ଭାଷା ବୁଝାଇଣ
ସମାଜରେ ସଂସ୍ଥାପିତ
ଦୟା କ୍ଷମା ଲଜ୍ଜା ସହନଶୀଳତା
ନୀତିର ଅନୁଶୀଳନ ll
ପରିବାର ସ୍ନେହ ସମାଜ ଚଳଣି
ପର୍ବ ପର୍ବାଣି ପାଳନ
ଅତିଥି ସ୍ୱାଗତ ସ୍ୱଚ୍ଛତା ନିୟମ
ଶିଖାଇ ପ୍ରେମ ବନ୍ଧନ ll
ହୃଦୟେ ଯାହାର ମଥା ରଖିଦେଲେ
ଦୂର ହୁଏ ସବୁ ଭୟ
ମଥା ଆଉଁସିଲେ ହାଲୁକା ହୁଅଇ
ମନେ ଥାଏ ଯେତେ କୋହ ll
ଦୁଇକୂଳ ଧର୍ମ ସଂକଳ୍ପର ବାର୍ତ୍ତା
ମନରେ ନୂଆ ଭାବନା
ଲଘୁଜନେ ସ୍ନେହ ଗୁରୁଜନେ ପ୍ରେମ
ଲଭି ଅମୃତ କାମନା ll
ପର୍ବ ପର୍ବାଣୀରେ ସଦା ଉପସ୍ଥିତ
ଝିଅର ସମ୍ମାନ ପାଇଁ
ମାନ ଅପମାନ ହସି କରି ପାନ
ଆଶୀର୍ବାଦ ଦ୍ୟନ୍ତି ସେହି ll
ଅଝଟ ମୋହର ପ୍ରଥମେ ପୂରଣ
ନିଜ ପାଇଁ କିଛି ନୁହଁ
ଅଲିଅଳି ଝିଅ ଯିବ ପରଘର
ସମସ୍ତ ସୁବିଧା ଦିଅ ll
ମୁହିଁ ଭାଗ୍ୟବତୀ ଦୁହିତା ରୂପରେ
ବାପା ମୋର ଭଗବାନ
ବିପଦେ ଆପଦେ ପ୍ରଚୀର ସେ ମୋର
ସ୍ନେହ ପ୍ରେମ ପ୍ରତିକ୍ଷଣ ll
ଜଗତର ନାଥ କାଳିଆ ସାଆନ୍ତ
ପାଦେ ଏତିକି ଗୁହାରି
ଯୁଗେ ଯୁଗେ ମୋର ବାପା ମୋ ପାଖରେ
ଆଶୀର୍ବାଦ ଦେବେ ଭରି ll
🙏🙏🙏🙏🙏🙏
ପୁଷ୍ପିତା ମହାରଣା, କେନ୍ଦୁଝର