ଯନ୍ତ୍ର ମାନବ
ଯନ୍ତ୍ର କାରାଗାରେ ଘୋର ଅନ୍ଧକାରେ
ଅନ୍ଧ ସାଜିଛୁ କିଆଁ,
ପୋଡା ପାଉଁଶ ର ବାଉଁଶ ନଳିରେ
ଆହୁରି ଜାଳୁଛୁ ନିଆଁ,
ଧ୍ବଂସ ହେବୁ ତୁ ଦିନେ,
ଯନ୍ତ୍ର ମୋହରେ ସତରେ କହରେ
ଶାନ୍ତି ମିଳେ କି ମନେ || ୧ ||
ଗଢ଼ିଛୁ ତୁ ଯେଉଁ ଯନ୍ତ୍ର ବଳରେ
ସୁବିଶାଳ କାରଖାନା,
ବିଷ ତୁଲ୍ୟ ସେ ମାନବ ଜାତି କୁ
କରିଦେବ ଚୁନା ଚୁନା,
ଦୁଃଖ କଷ୍ଟ ଦେବ ଭରି,
ମରୁଡି ସାଙ୍ଗରେ ଅସାଧ୍ୟ ରୋଗ ରେ
ଆସୁଥିବ ମହାମାରୀ ||୨ ||
ତୋ ହାତ ତିଆରି ଯନ୍ତ୍ର କାରିଗରୀ
ବୋମା ଓ ବନ୍ଧୁକ ଗୁଳି,
ନିମିଷ ମଧ୍ୟରେ ବିନାଶ କରୁଛି
ଦୁନିଆଁ ଦେଉଛି ଜାଳି,
କାହାକୁ କହିବା ଦୋଷୀ,
ମଣିଷ ନିଜେ ହିଁ ନିଜରି ହାତରେ
ନିଜକୁ ଦେଉଛି ଫାଶୀ ||୩ ||
ଆମ ପାଇଁ ଆଜି ଏ ପ୍ରକୃତି ରାଜି
ଆର୍ତ୍ତନାଦ କରି କାନ୍ଦେ,
ସବୁ କଷ୍ଟ ସହି ଧିକ ଧିକ କହି
ମଣିଷ ଜାତିକୁ ନିନ୍ଦେ ,
ଜାଗରେ ମାନବ ଜାଗ,
ଛାଡି ଦେ ତୁହି ଆଧୁନିକତା ର
ଯାନ୍ତ୍ରିକ ଅନୁରାଗ ||4||
ରେ ଯନ୍ତ୍ର ମାନବ ହୁଅନା ଦାନବ
ଯନ୍ତ୍ର ମାୟା ରେ ପଡି,
ସବୁଜିମା ଭରା ପ୍ରକୃତି ଠାରେ ଅନ୍ତର ଦେ ଯୋଡି,
ଆଧୁନିକତା କୁ ଛାଡି,
ପୁରୁଣା ସଭ୍ୟତା ସଂସ୍କୃତି ମାଟିକୁ
ଦେଖ ଥରେ ମୁହଁ ମୋଡି ||୫||
ସୁନୀଲ ପ୍ରଧାନ, ଅନୁଗୁଳ