***** *ସ୍ମୃତିରେ ମୋ ଗାଆଁ* * *****
*ରୋହିତ୍ ଦାସ*
ଆହା କି ସୁନ୍ଦର ଦିଶଇ ମୋ ଗାଆଁ
ଅତି ମନଲୋଭା ଦୃଶ୍ୟ ତାହାରି,
ସୁନ୍ଦର ସୃଷ୍ଟିରେ ସୁନ୍ଦର ଗାଆଁଟେ
ମନ କିଣିନିଏ କିମିଆଁ କରି ।।
କେଡ଼େ ନିଆରା ମୋ ଗାଆଁର ପ୍ରକୃତି
ଚୋରି କରିନିଏ ସଭିଙ୍କ ମନ,
ବାନ୍ଧି ଦେଇଯାଏ ତା ମାଟି ମହକେ
ଆନନ୍ଦେ ଭରଇ ଆମ ଜୀବନ ।।
ଯେବେ ମନେ ପଡେ ମୋ ଗାଆଁର କଥା
ମନେ ଆସିଯାଏ ଅମାପ ଦୁଃଖ
ଭୁଲି ହୁଏନାହିଁ ସାଙ୍ଗ ସାଥି ମେଳ
ପିଲାଦିନର ସେ ଅସୀମ ସୁଖ ।।
ଗୁଡ଼ି ଉଡେଇବା ପାଇଁ ଆମେ ସର୍ବେ
ଯାଉଥିଲୁ ଗାଁ ପର୍ବତ ଶିଖେ,
ଆନନ୍ଦ ଉଲ୍ଲାସେ ଖେଳୁଥିଲୁ ମିଶି
ଖୁସି ହେଉଥିଲୁ ଅଳପ ସୁଖେ ।।
ଗାଆଁ ପୋଖରୀରେ ଗାଧେଇବା ମଜା
ମିଳିବ ନାହିଁ ଯେ ଆଉ କେଉଁଠି,
ପୋଖରୀ ହୁଡ଼ାରେ ମାଛ ଧରି ଆମେ
କେତେ ଖୁସି ହେଉଥିଲୁ ସେଇଠି ।
ଯାତରା ଦେଖିବା ପାଇଁ ମିଳିମିଶି
ଯାଉଥିଲୁ ରାତି ଅଧରେ ଆମେ,
ସେହି ସ୍ମୃତି ମନେ ପଡ଼ିଯାଏ ଯେବେ
ଭାବେ ଦେଖୁଅଛି ସ୍ୱପ୍ନର ଭ୍ରମେ।।
ସମୟ ସୁଅରେ ବଦଳି ଯାଇଛି
ପରିବେଶ ଆଜି ଗ୍ରାମ ଭୂମିର,
ବଦଳିଛି ସିନା ଚାଳଘର ସବୁ
ବଦଳିନି ଦୃଶ୍ୟ ଜନ୍ମ ମାଟିର ।।
ଭାରି ମନେ ପଢ଼େ ସେହି ସବୁ ସ୍ମୃତି
ଫେରି ଆସନ୍ତାକି ସେ ପିଲା ଦିନ,
ହସ ଖେଳ ଆଉ ମଜା କଉତୁକେ
ହୁଅନ୍ତା କି ପୁଣି ବିଭୋର ମନ ।।
*ଜିଲ୍ଲା – ଗଞ୍ଜାମ*
ଖୁବ୍ ସୁନ୍ଦର ଭାବେ ଉପସ୍ଥାପନା କରିଛନ୍ତି ଗାଁ ର ଦୃଶ୍ୟ କୁ
ଖୁବ୍ ସୁନ୍ଦର ଗାଁ ର ବର୍ଣ୍ଣନା
ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ବାଃ ସମୁଚିତ ପରିବେଶରେ ଉତ୍ତୋଳିତ ସୁନ୍ଦର୍ ଆବୃତ୍ତିର ଦୃଶ୍ୟ
ଶୁଭେଚ୍ଛା ମୋ ଭାଇ
ରୋହିତ ଭାଇ ଆପଣଙ୍କ କବିତା ହୃଦୟସ୍ପର୍ଶୀ
ମନ ଛୁଆଁ ଭାଇ ଧନ୍ୟବାଦ