ମୋ ବାପା
★★★★★★★★★★★
ବହୁଦିନ ହେଲା ଭାବିଲିଣି ବାପା
ଲେଖିବି ଗୋଟିଏ କବିତା ।
ତୁମପାଇଁ ବାପା, ମିଳୁନାହିଁ ଶବ୍ଦ
ଖୋଜିଲିଣି କେତେ ସଂହିତା ।।
ଖଣ୍ଡେ କଲମରେ ଫର୍ଦେ କାଗଜରେ
ପାରୁନି ସାଉଁଟି ଆକାଶ ।
ଦିନ ସରିଯିବ ପୋଥି ହେଇଯିବ
ଲେଖିଲେ ତୁମ ଇତିହାସ ।।
ସ୍କୁଲ ଗଲାବେଳେ ନେଇନାହଁ କେବେ
ହାତ ଧରି ତୁମ ହାତରେ ।
ଦେଖିନାହିଁ କେଉଁ ମେଳଣ ଯାତରା
ବୁଲିନାହିଁ ତୁମ କାନ୍ଧରେ ।।
ମୋ ପାଇଁ ଆଣିନ ତୁମ ପସନ୍ଦର
ଡ୍ରେସ କି ଖେଳନା କଣ୍ଢେଇ ।
ଏହି ମାପଦଣ୍ଡେ ମାପିଲେ ତୁମକୁ
ଦେଇଅଛ ମତେ ଭଣ୍ଡେଇ ।।
କିନ୍ତୁ ଶୁଣ ବାପା ନାହିଁ ମୋ ମନରେ
ଏମିତି ଗୋଟିଏ ନିକିତି ।
ପାରିବିନି ମାପି ବାପ ପଣିଆକୁ
ନାହିଁ ମୋର ଏତେ ଶକତି ।।
ହାତ ଧରି ମୋର ଶିଖେଇଲ ଚାଲି
ଚିହ୍ନେଇ ଜୀବନ ବାଟକୁ ।
ଝୁଣ୍ଟିପଡି ପୁଣି ପାରିଲି ମୁଁ ଉଠି
ଧରି ତୁମ ଶକ୍ତ ହାତକୁ ।।
କାନ୍ଧରେ ବସିକି ଦେଖିନି ମେଳଣ
ନାହିଁ ଦୁଃଖ ମୋର ମନରେ ।
ପରିବାର ପାଇଁ କେତେ କେତେ ଦୁଃଖ
ବୋହି ଅଛ ସେଇ କାନ୍ଧରେ ।।
ହାତରେ ମୋ ରଖି ଦେଇ ଅଛ ବାପା
ଜୀବନ ଜୀଇଁବା ଆଦର୍ଶ ।
ତୁମ ହାତ ଥିଲେ, ମୁଣ୍ଡରେ ମୋ ବାପା
ଲୋଡ଼ା କି କାହା ପରାମର୍ଶ ?
ଜନ୍ମ ହୁଏ ଥରେ ମରିଯାଏ ନିଶ୍ଚେ
ଧରାପୃଷ୍ଠେ ହେଲେ ଜନମ ।
ମୋ ପାଇଁ କି ବାପା, ଅଲଗା ହୋଇଲା
ବିଧାତାଙ୍କର ସେ ନିୟମ ??
ଗୋଟେ ଆୟୁଷରେ, ପୁର୍ନଜନ୍ମ ନେଲି
ଫେରିଲି ମୁ ଯମ ହାତରୁ
ବାପର ପ୍ରାର୍ଥନା, ଜିତିଗଲା ଅବା
ହାରିଲା ମୃତ୍ୟୁ ମୋ ପାଖରୁ ।।
ସ୍ନେହ ସ୍ରୋତ କେବେ ଥମିନାହିଁ ବାପା
ଶୁଖିନି ଆଶିଷ ଝରଣା ।।
ତୁମ ଆଶୀର୍ବାଦ ସଂଜୀବନି ମୋର
କରିଛି ଦୁଃଖକୁ ଭରଣା ।।
ମନ ଗହନରେ ଈଶ୍ୱରଙ୍କ ପାଖେ
ଜାଲୁଚି ଇଛାର ସଳିତା। ।
ସବୁ ଜନମରେ। ତୁମ କୋଳେ ବାପା
ଜନ୍ମିବି ହୋଇ ମୁଁ ଦ୍ୱହିତା ।।
ଜନ୍ମିବ ହୋଇ ମୁଁ ଦ୍ୱହିତା ।।
×××××××
@ସସ୍ମିତା ସାହୁ
ଥେଣ୍ଟ ପୁର,
ବିର ନରସିଂହ ପୁର,ପୁରୀ
ଚମତ୍କାର ରଚନା ଭଉଣୀ ।
ସୁନ୍ଦର ରଚନା ଭଉଣୀ
Waa ଖୁବ୍ ସୁନ୍ଦର ରଚନା
ବାପା ଯାହାଙ୍କୁ ଲେଖିବା କୁ କଲମ ବି ଭାଙ୍ଗିପଡେ, ଖୁବ୍ ସୁନ୍ଦର ଭାବେ ତାଙ୍କୁ ବର୍ଣିଛ।
ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ମୋ ମିଠା ଦିଦି
ମିଠା ମିଠା ଶୁଭେଚ୍ଛା ତୁମ ପାଇଁ
ବାପାଙ୍କ ପାଇଁ କେତେ ପ୍ରେମ ଆପଣଙ୍କର ଅଛି ଏ କବିତାରୁ ବାସିଯାଉଛି…
ଅନେକ ଅନେକ ଶୁଭେଚ୍ଛା ଭଉଣୀ
ଆନ୍ତରିକ ଧନ୍ୟବାଦ ।