Lets talk with a young Poet Sunil Pradhan hails from Anugul, district of Odisha for SLF Literary Youth Icon Award contest-. 2023
*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର
ନାମ -ସୁନୀଲ ପ୍ରଧାନ
ପିତାଙ୍କ ନାମ –ଗଜେନ୍ଦ୍ର ପ୍ରଧାନ
ମାତାଙ୍କ ନାମ –ପୁଷ୍ପାଞ୍ଜଳୀ ପ୍ରଧାନ
ଜନ୍ମ ତାରିଖ -07/03/2001
ଘର ଠିକଣା -କଳାବେଡା, ବାମୁର, କିଶୋରନଗର
ଜିଲ୍ଲା -ଅନୁଗୁଳ
ଶିକ୍ଷା ଗତ ଯୋଗ୍ୟତା -+୩, ତୃତୀୟ ବର୍ଷ (କଳା ) ରେ ଅଧ୍ୟୟନ ରତ
ଇମେଲ ଠିକଣା –[email protected]
ଶ୍ରଦ୍ଧେୟ ସୁନୀଲ!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।
1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
-ମୋ ସାହିତ୍ୟ ସୃଷ୍ଟି ର ଆୟାମରମ୍ଭ ହେଇଥିଲା ମୋ ଧୂଳି ମୁଣ୍ଡିଆ, ଜହ୍ନ ଖଣ୍ଡିଆ ଗ୍ରାମ ପ୍ରାଙ୍ଗଣ ରୁ |ଗାଁ ରେ ବ୍ୟବହୃତ ଅତି ଗାଉଁଲି ଶବ୍ଦ ମୋତେ ପ୍ରେରିତ କରିଥିଲା କବିତା ଲେଖିବାକୁ |ସେତେବେଳେ ବୟସ ଥିଲା ମାତ୍ର ବାର |ଚପଳତା ପୂର୍ଣ୍ଣ ବୟସ ରେ ମୋ କବିତା ର ଧାଡି ଗୁଡିକ ଥିଲା ଭାରି ମନ ମତାଣିଆ |ସେତେବେଳେ ମୋ କବିତା ର ଧାଡି ଗୁଡିକ ନିକୃଷ୍ଠ ଧରଣ ର ହେଲେ ବି ଆକୃଷ୍ଠ କରି ପାରୁଥିଲା ମୋ ଗାଁ ର ମାଟିର ମଣିଷ କୁ |ସେବେ ଠାରୁ ମୋ ସାରସ୍ୱତୀୟ ଜୀବନ ଅବ୍ୟାହତ ରହିଛି |
2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
-ପାଠ ପଢା ତଥା ସାମାଜିକ ଜୀବନ ମୋ ସାରସ୍ୱତ ସାଧନ ରେ କେବେ ବି ପ୍ରତିବନ୍ଧକ ସାଜିନି ବରଂ ସହାୟକ ହେଇଛି |ସାମାଜିକ ଜୀବନ ର ଅନୁଭୂତି ଯେତେବେଳ ମୋ ମାନସ ପଟ୍ଟ ରେ ଉଦ୍ଭାସିତ ହୁଅନ୍ତି ସେତେବେଳେ କାଗଜ କଲମ ରେ ତାକୁ ଗାରେଇ ଦିଏ, ବାକି ସମୟ ତକ ପାଠ ପଢ଼ାରେ ସରେଇ ଦିଏ |
3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
-ନିଶ୍ଚୟ, ପରିବାର ତ ଜୀବନ ଯୁଦ୍ଧ ର ତଲବାର ସଦୃଶ |ପରିବାର ବିନା ମୋ ସାରସ୍ୱତ ଜୀବନ ଯାତ୍ରା କଳ୍ପନା ମାତ୍ର |ଏ ଦିଗରେ ମୋ ମା ‘ ର ଭୂମିକା ଗୁରୁତ୍ୱପୂର୍ଣ |ମୋ ମନେ ଅଛି,ଅର୍ଥ ର ଘୋର ଅନଟନ ଭିତରେ ସେ ମୋତେ ଧାନ ବିକି ଅର୍ଥ ଯୋଗାଇଛି ସାହିତ୍ୟ ସଂସଦ ଗୁଡିକର କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ |ଘୋର ଅଭାବ ଭିତରେ ମୋତେ ନବାବ ସଜେଇଥିବା ମୋ ମା ‘ ପାଖେ ଚିର ଋଣୀ |
4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
-ଯେଉଁ ସାହିତ୍ୟ ମାନବ ବାଦ ର କଥା କହେ, ଜାତୀୟତାବାଦ ର ଧ୍ବଜା କୁ ଉଦ୍ଦୀୟମାନ କରାଏ, ତାହା ବାସ୍ତବ ସାହିତ୍ୟ ପଦବାଚ୍ୟ |ସେହି ସାହିତ୍ୟ ର ଧାରା କବି ଗୋଦାବରୀଶ ମହାପାତ୍ର ଙ୍କ କବିତା ରୁ ସ୍ପଷ୍ଟ ବାରି ହୁଏ |ସୁପ୍ତ ମାନବୀୟ ଚେତନା କୁ ଜାଗ୍ରତ କରିବାରେ ତାଙ୍କ କଲମ ମୂନ ସଦା ଚଳ ଚଞ୍ଚଳ |ତାଙ୍କ ଜୀବନା ଦର୍ଶ ମୋତେ ଲେଖିବାକୁ ଖୋରାକ ଯୋଗାଏ |
5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
-ଉପନ୍ୟାସ, ଗଳ୍ପ, ନାଟକ ଏସବୁ ନିଶ୍ଚୟ ପାଠକ ଗ୍ରାହ୍ୟ କିନ୍ତୁ କବିତା ହିଁ ହୃଦୟ ରୁ ଆଞ୍ଜୁଳା ଆଞ୍ଜୁଳା କରି ସାହିତ୍ୟ ରସ କୁ ପ୍ରସ୍ଫୁଟିତ କରାଏ |ତେଣୁ ମୁଁ କବିତା ରେ ନିଜକୁ ବେଶୀ ବ୍ୟକ୍ତ କରେ |
6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?
-ଗଳ୍ପ /କବିତା ଲେଖିଲା ବେଳେ ଆମକୁ ଶବ୍ଦ ସଂଯୋଜନା ପ୍ରତି ତୀକ୍ଷ୍ଣ ଦୃଷ୍ଟି ନିକ୍ଷେପ କରିବାକୁ ହେବ |ତା ସହିତ ଭାବ ପ୍ରବଣତା ମଧ୍ୟ ଗଳ୍ପ କବିତା ଲେଖିବାର ମୁଖ୍ୟ ଉପାଦାନ |ଏତିକି ଲକ୍ଷ୍ୟ କରିବା ଉଚିତ ଯେ ‘ ଆମ କବିତା ର ଶବ୍ଦ ଗୁଡିକ କେଉଁଠୁ ବାହାରୁ ଛନ୍ତି, ମୁଖ ଗହ୍ୱର ରୁ ନା ହୃଦୟ ରୁ!
7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
-କବିତା ଓ ଗଳ୍ପ ଉଭୟ ଙ୍କ ଠାରେ ଆନନ୍ଦ ପ୍ରଦାୟିନୀ ଶକ୍ତି ରହିଛି |କବିତା ର ଲୟ ବଦ୍ଧ ପଂକ୍ତି ଆତ୍ମା କୁ ଝଙ୍କୃତ କରି ଦିଅନ୍ତି, କିନ୍ତୁ ଗଳ୍ପ କେବଳ ମନୋରଞ୍ଜନଧର୍ମୀ ପରି ପରିଦୃଷ୍ଟ ହୁଏ |
8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
-ଗଳ୍ପ ରେ ଥିବା ଚରିତ୍ର ଗୁଡିକ ବିସ୍ତୃତ ଭାବେ ବର୍ଣ୍ଣିତ ହୋଇ ଥିବା ବେଳେ କବିତା ରେ ଚରିତ୍ର ଚିତ୍ରଣ ଅତି ସଂକ୍ଷେପ |କିନ୍ତୁ କବିତା ଓ ଗଳ୍ପ ଉଭୟ ଙ୍କ ଚରିତ୍ର ଗୁଡିକ ଜୀବନ୍ତ ପ୍ରତୀତ ହୁଅନ୍ତି |
9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
-ବାସ୍ତବିକ ସାହିତ୍ୟ କେବେବି ଆଧୁନିକ ନଭସଚୁମ୍ଭି ଅଟ୍ଟାଳିକା ର କଥା କହେନି, ସେ କହେ ଝୁମ୍ପୁଡ଼ିଆ ଦରଭଙ୍ଗା ଝାଟି ମାଟି କୁଡ଼ିଆ ର କଥା |ଆଉ କହେ ବିଲ କ୍ଷେତ ଖମାର ର ମନ ମତାଣିଆ ଆଇଁଶିଆ ଗନ୍ଧ ର କଥା |ଆଧୁନିକତା ର ପରସ୍ତ ସାହିତ୍ୟ ଭଳି ଦିବ୍ୟ ଚେତନା କୁ ଯେମିତି ଧରାଶାୟୀ ନ କରୁ |
10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
-ପୁରାତନ କାଳରେ ସଙ୍ଘଟିତ ଭାଷା ପ୍ରୀତି ଆନ୍ଦୋଳନ ଆମକୁ ସ୍ୱତନ୍ତ୍ର ପରିଚିତି ପ୍ରଦାନ କରିଚି |ପୁରାତନ କାଳରେ ନିଜସ୍ୱ ଭାଷା ପାଇଁ କବି ଲେଖକ ମାନଙ୍କର ରକ୍ତ ଟକମକ ହେଇ ତାତି ଉଠୁଥିଲା, ଆଉ ମାତି ଉଠୁଥିଲା କଲମ ମୂନ ନିଜସ୍ୱ ଭାଷା ର ଆଧିପତ୍ୟ ସ୍ଥାପନ ପାଇଁ |ଏବେ କିନ୍ତୁ କବି ମାନଙ୍କ କଲମ ମୂନ ଶିଥିଳ ପଡି ଯାଇଛି |ଆଉ ବୀର -କବି ନାହାନ୍ତି ସବୁ ଧୀର -କବି ହେଇ ଗଲେଣି |ଯାହାଙ୍କର ଉତ୍ସାହ, ଅଦ୍ଦୀପନା ଆଜି ପଡି ଯାଇଛି ଧୀର ମନ୍ଥର |
11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
-“ବିଫଳତା ହିଁ ସଫଳତା ର ଜନନୀ “-ଏହି ପଂକ୍ତି ଭିତରେ ମୋ ସୁଖକର ଅନୁଭୂତି ନିହିତ ଅଛି |ଓଷ୍ଟା ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ କବିତା ରଚନା ପ୍ରତି ଯୋଗିତା ରେ ଦୁଇ ଥର ବିଫଳତା ପରେ ୩ୟ ବାର ସମଗ୍ର ରାଜ୍ୟରେ ମୁଁ ୨ୟ ସ୍ଥାନ ଅଧିକାର କରି ରୋପ୍ୟ ଫଳକ ପ୍ରାପ୍ତ କରିଥିଲି |ୟା ଠାରୁ ବଳି ସୁଖକର ଅନୁଭୂତି ମୋ ଜୀବନ ରେ ଆଉ ନାହିଁ କହିଲେ ଚଳେ |
12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
ଓଡ଼ିଆ ସଂସ୍କୃତି ପରମ୍ପରା ଓ ଭାଷାରେ କେତେ ଯେ ମିଠାସ ଭରି ରହିଛି, ତାହା ବୋଧେ ବିଶ୍ୱ ଅନାଭିଜ୍ଞ |ବିଶ୍ୱ ଦରବାର ରେ ଯଦି ଓଡ଼ିଆ ସାହିତ୍ୟ ର ମାଧୁର୍ଯ୍ୟତା ପ୍ରତିଷ୍ଠିତ ହେଇ ପାରେ ତାଠାରୁ ଗର୍ବର ବିଷୟ ଆଉ କଣ ହେଇ ପାରେ |
13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
ଆଜିର କ୍ଷୁଦ୍ର ଗଳ୍ପ ଜନପ୍ରିୟତା ର ଚରମ ସୀମା ରେ ନ ପହଁଚିଲେ ବି ଶିଶୁ କିଶୋର ପାଠକ ଙ୍କ ପାଇଁ ଖୁବ ନିକଟତର ଓ ଆନନ୍ଦ ପ୍ରଦାୟକ |
14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
-କୁହାଯାଏ “କବି ତୁଣ୍ଡ, ମେଣ୍ଢା ମୁଣ୍ଡ “|ଅର୍ଥାତ କବିତ୍ଵ ଶକ୍ତି ବଳରେ କବି ଚାହିଁଲେ ରବି କୁ ବି ସୌର ମଣ୍ଡଳ ରୁ ଆବାହନ କରି ଆଲୋକ ଦେଖାଇ ପାରେ ଅନ୍ଧକାର ସମାଜ କୁ |ତେଣୁ ନିଃସନ୍ଦେହ, ସାହିତ୍ୟ ହିଁ ନୀତି ହୀନ, ସଂସ୍କାର ହୀନ ଦର ଭଙ୍ଗା ସମାଜ କୁ ପୁନଃ ଦଣ୍ଡାୟମାନ କରାଇ ପାରେ |
15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
-ଯଦି ମୋ ଲେଖାରେ କିଛି ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହୁଏ, ତାହେଲେ ମୋ ମନରେ ଉଠୁ ଥିବା ନୈରାଶ୍ୟ ଭାବ କୁ ସଂଯତ କରି ତାକୁ ସଂଶୋଧନ ମାଧ୍ୟମରେ ଆଶା ର ଆଲୋକ ଦିଏ |କବିତା ଟିକୁ ସଂଶୋଧିତ କରି ଆଉ ଥରେ ପରଖି ନିଏ ଓ ନିରେଖି ନିଏ |
16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
-ସାହିତ୍ୟ ସୃଷ୍ଟି ପାଇଁ ବୟସ ଓ ଅନୁଭବ ଉଭୟ ଉଭୟ ଙ୍କର ପରସ୍ପର ପରିପୂରକ |ଜୀବନ କୁ ସମ୍ପୂର୍ଣ ଜିଁଥିବା ଜଣେ ଵୟୋ ପ୍ରାପ୍ତ ସାହିତ୍ୟିକ ପାଖରେ ହିଁ ଅନୁଭବ, ଅନୁଭୂତି ବହୁଳ ମାତ୍ରା ରେ ରହିଥାଏ ଯାହାକି ଜଣେ କୈଶୋର ଅବସ୍ଥାରେ ଉପନୀତ କିଶୋର ଲେଖକ ପାଖରେ ନ ଥାଏ |
17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
-ବଣ ମଲ୍ଲୀ ସଦୃଶ ବଣ ରେ ନ ଝଡି ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ରୂପୀ ଫୁଲ ବଗିଚାରେ ନିଜକୁ ସ୍ଥାପିତ ହେବାର ଦେଖି ମୁଁ ବହୁତ ଖୁସି |ମଫସଲିଆ ଅଂଚଳରୁ ବିଶ୍ୱ ଦରବାରରେ ନିଜର ପ୍ରତିଭା ପ୍ରଦର୍ଶନ କରିବା ମୋ ବିଶ୍ୱାସ ପରିଧି ବାହାରେ |ଖୁସି ଆଜି କହିଲେ ନ ସରେ |
18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
-ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ଏକ ନିଖୁଣ ସକାରାତ୍ମକ ଦିଗ ହେଉଛି ନୂଆ ନୂଆ ପ୍ରତିଭା ମାନଙ୍କୁ ନିଜ ପ୍ରତିଷ୍ଠାନ ରେ ସ୍ଥାନ ପ୍ରାପ୍ତ କରାଇବା |ଏ ପ୍ରତିଷ୍ଠାନ କେବେ ଦେଖିନି ଯୁବ ପ୍ରତିଭା ମାନଙ୍କ ରୂପ ଧନ ବୈଭବ, ଦେଖିଛି ତ କେବଳ କୋମଳମତି ଭାବ ପ୍ରବଣତା |ଆଉ ଜିତେନ୍ଦ୍ର ଭାଇ, ମନୋଜ ଭାଇ ଦୁଇ ଜଣ ଭାବ ର ଠାକୁର ସଦୃଶ, ଭାବରେ ବନ୍ଧା |ଏହି ସବୁ ଦିଗ ମୋତେ ଭାରି ଆକୃଷ୍ଠ କରେ |
19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
-ମୋ ପ୍ରେରଣା ଦାତ୍ରୀ ଚିନ୍ମୟୀ ମାଡାମ ଙ୍କ ପଥ ପ୍ରଦର୍ଶନ ରେ ମୁଁ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଅନୁବନ୍ଧିତ ହୋଇ ପାରିଲି |ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପରି ଗୋଟେ ପରିବାର ଓ ପରିସର ଭେଟି ଦେଇ ମୋତେ ଚିନ୍ମୟୀ ମାଡାମ କୃତାର୍ଥ କରି ଦେଲେ |ଆଜି ବ୍ୟସ୍ତ ବହୁଳ ଜୀବନ ରେ ଭିଟା ମାଟିରେ ଖଟି ଖଟି ଶ୍ରମ ଲାଘବ ପାଇଁ ସାହିତ୍ୟଟା ଭିଟାମିନ ପରି ଲାଗେ |
20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
-ମୋ ସାହିତ୍ୟ କୁ ନେଇ ବଡ ସ୍ବପ୍ନ ହେଉଛି ଧର୍ମ ପରାୟଣତା |ସାହିତ୍ୟ କେବଳ ମନୋରଞ୍ଜନ ରେ ଆବଦ୍ଧ ନ ହୋଇ ଧର୍ମ ର କଥା କହୁ |ଦୁଃଖି ର ଲୁହ ର ବର୍ଣନା ରେ ନୁହେଁ ବରଂ ଦୁଃଖି ର ଲୁହ ପୋଛିବାରେ ସାହିତ୍ୟ ଆଗଭର ହେଉ |ମୋ ଅମାପ ଆଶା ଅଛି ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର କର୍ମ କର୍ତ୍ତା ବୃନ୍ଦ ଏ ଦିଗ ରେ ପଦକ୍ଷେପ ନେବେ |
ସ୍ନେହର ସୁନୀଲ!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।
ଅଭିନନ୍ଦନ ସହିତ
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ
ଚପଳତା ପୂର୍ଣ୍ଣ ବୟସରେ ଆପଣଙ୍କର କବିତାର ନିକୃଷ୍ଠ ଧରଣ ଥିଲେ ବି ତାହା ଅନ୍ୟମାନଙ୍କୁ ଆକୃଷ୍ଠ କରିପାରୁଥିଲା ତାହା ଆପଣଙ୍କ ସାକ୍ଷାତକାରରୁ ଜାଣି ଖୁବ୍ ଖୁସି ଲାଗିଲା।ପୁଣି ସାହିତ୍ୟ ମାଧ୍ୟମରେ ଧର୍ମ ପରାୟଣତାକୁ ସମସ୍ତଙ୍କ ହୃଦୟରେ ସ୍ଥାପନ କରିବାର ଆପଣଙ୍କର ସ୍ବପ୍ନ ସାକାର ହେଉ।ଏହା ମୋର ପ୍ରଭୁଙ୍କ ଠାରେ ପ୍ରାର୍ଥନା।