April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

Lets talk with a young Poet and story Teller Pritiranjan Nayak hails from Kendrapada, district of Odisha for SLF Literary Youth Icon Award contest-. 2023

Lets talk with a young Poet and story Teller Pritiranjan Nayak hails from Kendrapada, district of Odisha for SLF Literary Youth Icon Award contest-. 2023

*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର

ନାମ – ପ୍ରୀତିରଞ୍ଜନ ନାୟକ
ପିତାଙ୍କ ନାମ- ଫକୀର ମୋହନ ନାୟକ
ମାତାଙ୍କ ନାମ- ପ୍ରତିମା ରାଣୀ ନାୟକ
ଜନ୍ମ ତାରିଖ-୧୫ ଅଗଷ୍ଟ ୧୯୯୭
ଘର ଠିକଣା-ଗ୍ରାମ/ପୋଷ୍ଟ:- ଜୟନଗର ,ଭାୟା:– ରାଜକନିକା
ଜିଲ୍ଲା-କେନ୍ଦ୍ରାପଡ଼ା,୭୫୪୨୨୦
ଶିକ୍ଷାଗତ ଯୋଗ୍ୟତା-  ଉଦ୍ଭିଦ ବିଜ୍ଞାନରେ ସ୍ନାତକୋତ୍ତର
ଇ-ମେଇଲ୍ ଠିକଣା[email protected]

ଶ୍ରଦ୍ଧେୟ  ପ୍ରୀତିରଞ୍ଜନ!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।

1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?

* ସାହିତ୍ୟ କ’ଣ, କାହାକୁ କୁହନ୍ତି, ସାହିତ୍ୟର ବ୍ୟାଖ୍ୟା କ’ଣ, ଏସବୁ ଜାଣିବା ପୂର୍ବରୁ ହିଁ ସାହିତ୍ୟ ସହ ଯୋଡ଼ି ହୋଇଯାଇଛି । ଛୋଟ ଥିଲା ବେଳେ ଇଚ୍ଛା ହୁଏ ମନର ଭାବନାକୁ କାଗଜରେ ଉତ୍ତାରି ପକେଇବାକୁ। ବର୍ଷା ହେଲେ ଟେବୁଲକୁ ପୋଟିକକୁ ଟାଣି ଆଣି ତା ଉପରେ ଚଢ଼ି ବସିଯାଏ।ଆଉ ପଦ ପାଦ ଜାଣି ନଥିବା ବୟସରେ ଶେଷ ଅକ୍ଷର ପକେଇବାକୁ ଚେଷ୍ଟାକରେ ଯେମିତି ତାହା ଶ୍ରୁତି ମଧୁର ହେବ।ସ୍କୁଲରୁ ଫେରିଲା ପରେ ଘରକୁ ଲାଗି ଅମୃତଭଣ୍ଡା ଗଛ ସାହାରାରେ ଚଢ଼ିଯାଇ ସିଡ଼ିଘର ତାଜା ଉପରେ ମନରୁ କିଛି ବି ଗାରେଇ ପକାଏ।ଆଉ ଧିରେ ନେଇ ଲୁଚେଇ ଦିଏ ସେ କାଗଜ ସବୁ।ଆଈ ବି ଲେଖା ଲେଖି କରନ୍ତି।ତାଙ୍କୁ ଦେଖି ମଧ୍ୟ ଗୁଡ଼ାଏ ପ୍ରେରଣା ସାଉଣ୍ଟିଛି। ସେବେଠୁଁ ସାହିତ୍ୟ ପ୍ରତି ପ୍ରେମ।

2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?

* ଦ୍ଵିତୀୟ ପ୍ରଶ୍ନଟି ମୋତେ ଟାଣି ନେଲା ମୋ ପ୍ଲସ ଟୁ ସମୟକୁ। ସାଲେପୁର କଲେଜରେ ପଢିଲା ବେଳେ ପ୍ରାଇଭେଟ୍ କୋଚିଂ ସେଣ୍ଟରରେ ରହିବାକୁ ପଡ଼ିଲା। କଲେଜର କୌଣସି ପ୍ରତିଯୋଗିତାକୁ ପ୍ରାୟ ବାରଣ ରୁହେ। ପାଠ ପଢ଼।ବିଜ୍ଞାନ ନେଇ ପଢୁଚ। ତୁମ ଘର ଲୋକଙ୍କୁ କଥା ଦେଇଛୁ ରେଜଲ୍ଟ ପାଇଁ।ଆମେ ଛାଡ଼ିବୁନି। ଏତେ ସବୁ ପରେ ମଧ୍ୟ ମୋର ମନେ ଅଛି କେତେଥର ପାଚେରୀ ଡେଇଁ ଯିବାର।ସଙ୍ଗେ ସଙ୍ଗେ ପ୍ରତିଯୋଗିତାରେ ଖାତା ସବମିଟ କରି ପୁଣି ଲୁଚି ଲୁଚି ହଷ୍ଟେଲ ଫେରିବା । ପୁରସ୍କାର ମାନ ଏବେ ଦେଖିଲେ ଭାରି ଖୁସି ଲାଗେ ଆଉ ହସ ମଧ୍ୟ। ସେଦିନ ଦ୍ଵିତୀୟ ବର୍ଷର ପରୀକ୍ଷା ଚାଲିଥାଏ । ବୋଧ୍ ହୁଏ ଫିଜିକ୍ସ ଥିଲା। ଖାଇବା ପାଖରେ ବସିଥାଏ ଆଉ ବାମ ହାତରେ ଧରି ପଢୁଥାଏ ଓଡ଼ିଆ ସାହିତ୍ୟ ବିଭାଗ ତରଫରୁ ପୁରସ୍କାର ସ୍ୱରୂପ ମିଳିଥିବା ତସଲିମା ନାସରିନଙ୍କ ଲଜ୍ଜା ପୁସ୍ତକ ଯାହା ନନ୍ଦିନୀ ଶତପଥୀଙ୍କ ଦ୍ଵାରା ଅନୁବାଦ ହୋଇଥାଏ। ହଷ୍ଟେଲ ଓନର ବହେ ଗାଳିଦେଲେ ଆଉ ଚାଲିଗଲେ । ସେସବୁ ଆଜି ବି ମନେ ପଡେ। ତଥାପି ଏତିକି କହିବି ଦୁଇଟା ଜିନିଷକୁ ସାଥିରେ ନେଇ ଚାଲିବା ଜରୁରୀ।ଜଣେ ଅପା ମୋତେ କହିଥିଲେ।ଲେଖାଲେଖି କର ଠିକ୍ ଅଛି।କିନ୍ତୁ ପଢା ପଢି କରି କୋଉଠି ଆଗ ଲାଗିଯା।ସତ କଥା । ତେଣୁ ପଢ଼ାପଢ଼ି ସହ ସାହିତ୍ୟକୁ ସର୍ବସମତା କରିବା ଜରୁରୀ।

3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
*
ପରିବାର କଥା ଯଦି କହିବି ପ୍ରଥମତଃ ବାପା ଜଣେ ଶିକ୍ଷକ ଥିଲେ ।ସାହିତ୍ୟ ଆଉ ଇଂରାଜି ପଢାନ୍ତି।ବୋଉ ବି ବେଳେ ବେଳେ କବିତା ଲେଖେ। ପୁରୁଣା କାଠ ଆଲାମିରା ଭିତରେ କାରାକବିତା ଠୁଁ ନେଇ କନିକା ବହି ଯାଏଁ ଥାକ ହୋଇ ରହିଥାଏ। ସେତେବେଳେ ପ୍ରତି ମାସ ଶେଷରେ ହେଡମାଷ୍ଟର ମାନେ ହିଁ ଦରମା ଆଣିବାକୁ ଯାଉଥିଲେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ।ବାପା ଯାଆନ୍ତି।ଆଉ ପ୍ରତିଥର ଜହ୍ନମାମୁଁ ବହି ହେଉ ଅବା ଆଉ କିଛି ନେଇ ଆସନ୍ତି ଘରକୁ। ସେତେବେଳେ ଏବେ ଭଳି ଗାଁରେ ଏତେ ସବୁ ସୁବିଧା ଉପଲବ୍ଧ ହେଉନଥିଲା। ଖାତା ଦେଖିବାକୁ ଗଲା ବେଳେ ଫେରିବା ବାଟକୁ ଚାହିଁବାକୁ ହୁଏ କିଛି ଗଳ୍ପ ବହିର ଆଗମନକୁ ଅପେକ୍ଷା କରି । ପ୍ରତିଦିନ ଘରକୁ ସମ୍ବାଦପତ୍ର ଆସିବା ମଧ୍ୟ କେତେକାଂଶରେ ପଢା ପଢି ପାଇଁ ଉର୍ଜା ଦେଇଛି। ଘରେ ତ ଏବେ ବି କୁହନ୍ତି ଏଇ ପତ୍ରିକାକୁ ଲେଖା ଦେଉନୁ । ଏଇ ସହଯୋଗ ହିଁ ତ ମୁଖ୍ୟ ଭୂମିକା ନିଭାଏ ସାହିତ୍ୟ ଦିଗରେ ଆଗେଇ ଯିବାକୁ।

4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
 ଗୋପବନ୍ଧୁଙ୍କ କାରାକବିତା ହେଉ ଅବା ପ୍ରତିଭା ରାୟଙ୍କ ଜାଜ୍ଞସେନୀ । ସମସ୍ତେ ନିଜ ନିଜ ସମୟର ଜଣେ ଜଣେ ପୁରୁଖା ସାହିତ୍ୟାସ୍ତ୍ରଧାରୀ ଥିଲେ । ପ୍ରତିଭା ରାୟଙ୍କ ଯାଜ୍ଞସେନୀ ସ୍କୁଲରେ ପଢିଲା ବେଳେ ବାପା ଆଣିଥିଲେ କାହାକୁ ଗୋଟେ ଗିପ୍ଟ ଦେବା ପାଇଁ। ରାତି ଅନିଦ୍ରା ହେଇ ସାରିଥିଲି ସେତେବେଳେ।ଗଳ୍ପରେ କୌତୁହଳ ଭରି ରହିଲେ ଗଳ୍ପ ଆଗକୁ ଆଗକୁ ପଢିବାକୁ ସ୍ପୃହା ଜାଗ୍ରତ ହୁଏ। ସେହି କୌତୁହଳ ଭରି ହେଇଥାଏ ସେ ପୁସ୍ତକରେ ଯାହା କି ମୋତେ ବାଧ୍ୟ କଲା ରାତିକୁ ଦିନ ଭାବିବାକୁ।

5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?

* କବିତା ଲେଖେ ।ଗଳ୍ପ ମଧ୍ୟ ଲେଖିବାକୁ ଭଲ ଲାଗେ।

6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?
* ଗଳ୍ପ ଲେଖିଲା ବେଳେ ସସ୍ପେନ୍ସ ଉପରେ ନଜର ଦେବାକୁ ପଡ଼େ ଯାହା ଆଗକୁ ଆଗକୁ ପଢିବାକୁ ସ୍ପୃହା ସୃଷ୍ଟି କରେ। ଟୁଇଷ୍ଟ୍ ସହ ସସ୍ପେନ୍ସ ଏବଂ ଗଳ୍ପ ସମାଜ ସଂସ୍କାର ଦିଗରେ ରହୁ ବୋଲି ଗଳ୍ପ ଲେଖିଲା ବେଳେ ନଜର ଦେବାକୁ ପଡ଼େ।
କବିତା ଲେଖିଲା ବେଳେ ମୁଖ୍ୟତଃ ଅଳ୍ପରେ ବହୁତ୍ କିଛି କହିବାକୁ ପଡ଼ିଥାଏ । କବିତାଟି ଛନ୍ଦ ଅଳଙ୍କାର ଯୁକ୍ତ ହେଲେ ଶ୍ରୁତି ମଧୁର ହୋଇଥାଏ।ଅବଶ୍ୟ ବର୍ତ୍ତମାନ ସମୟରେ ଆଧୁନିକ କବିତା ମଧ୍ୟ ଲେଖା ଯାଉଛି।

7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
* ସାମ୍ୟ କଥା ଉଠାଯାଏ ଯଦି ତେବେ ମୋ ମତରେ ଲକ୍ଷ୍ୟ ସମାନ କେବଳ ପଥ ଅଲଗା ଯାହା।ତଥ୍ୟ ଆଧାରିତ ହୋଇଥାଏ ଗଳ୍ପ ଓ କବିତା।
ବୈଷମ୍ୟ କଥା କହିବାକୁ ଗଲେ ଗଳ୍ପ ମଧ୍ୟରେ ବ୍ୟାଖ୍ୟା ବେଶୀ ଥାଏ କିନ୍ତୁ କବିତା ଅତି କମ୍ ଭିତରେ ତଥ୍ୟକୁ ଉପସ୍ଥାପନ କରେ।

8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
*ନିହାତି। ଗଳ୍ପକୁ ଫେଣେଇବାକୁ ପଡେ ,ଲମ୍ବେଇବାକୁ ପଡେ।ଗୋଟେ ଜିନିଷ ଜଣେଇବାକୁ ତାକୁ ଆମୂଳଚୁଳ ବ୍ୟାଖ୍ୟା କରିବାକୁ ପଡ଼େ କିନ୍ତୁ କବିତାରେ ଅଳ୍ପରେ ଅନେକ କିଛି ଲୁକ୍କାୟିତ ହୋଇ ରହିଥାଏ। ଏକପଦରେ କହିବାକୁ ଗଲେ ଗଳ୍ପ ଆମୂଳଚୁଳ ବ୍ୟାଖ୍ୟା କୁ କବିତା ଅଳ୍ପରେ ଅନେକ କିଛି କହିବାର ଚତୁରତା ।ଲକ୍ଷ୍ୟ ସମାନ କିନ୍ତୁ ପଥ ଭିନ୍ନ ।

9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?

* ଆଧୁନିକତା ସହ ତାଳ ଦେଇ ପୁରାତନର ହାତଧରି ସାହିତ୍ୟକୁ ବିଶ୍ବ ଦରବାରେ ପ୍ରତିଷ୍ଠିତ କରାଯାଉ। ଆଧୁନିକତାର ନାଁରେ ପୁରାତନର ତଣ୍ଟି ଚିପା ନଯାଉ କିମ୍ବା ଆଧୁନିକତାକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରା ନଯାଉ।

10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?

* ଭାଷା ପ୍ରୀତି ଆନ୍ଦୋଳନ ଯୋଗୁଁ ଓଡ଼ିଆ ଭାଷା ନିଜର ପରିଚୟ ପାଇ ପାରିଥିଲା। ସେତେବେଳର ସାହିତ୍ୟିକଙ୍କୁ ଯୋଦ୍ଧା ବୋଲି ବିବେଚନା କରାଯାଇପାରେ । ବର୍ତ୍ତମାନ ଗୋଡ଼ ଟଣା ଟଣି ବେଶୀ।କଙ୍କଡା ପ୍ରକୃତି ଯୋଗୁଁ ନା ନିଜେ ଆଗକୁ ଯିବେ ନା ଅନ୍ୟକୁ ଆଗକୁ ଯିବାକୁ ଦେବେ। କଷ୍ଟ ହେଲେ ବି ଏହା ସତ୍ୟ ଯେ ପୁରସ୍କାର ପାଇଁ କେତେ ବିତର୍କ କେତେ ସଲା ସୁତୁରା ଆଉ ପଇସାର ଖେଳ ଚାଲିଛି। ଗୋଟେ ପୁରସ୍କାର ଘୋଷଣା ପରେ ସପୋର୍ଟରେ ଦଳେ ଆଉ ବିପକ୍ଷରେ ଦଳେ ବହାରୁଛନ୍ତି ସତେ ଯେମିତି ବିପକ୍ଷବାଦୀ ବିଧାନସଭାରେ ତୁମୁଳକାଣ୍ଡ କରୁଛନ୍ତି ।ଏହା ସତ୍ୟ ଯେ ନିଆଁ ନଥିଲେ ଧୂଆଁ ମଧ୍ୟ ଉଠେନି। ସେ ଯାହା ବି ହେଉ।ସେସବୁ ଦୃଷ୍ଟି ଅଗୋଚରରେ ରହୁ ଆଉ ସମସ୍ତେ ମିଳିମିଶି କେମିତି ଆମ ସାହିତ୍ୟକୁ ଆଗକୁ ନେବାକୁ ହେବ ସେ ବିଷୟରେ ଭାବିବା ଜରୁରୀ।

ଏବେ ପିଲା ଓଡ଼ିଆ କହିବାକୁ ମଧ୍ୟ କୁଣ୍ଠାବୋଧ କରୁଛନ୍ତି।ଓଡ଼ିଆ ଶବ୍ଦ ଶୁଣିଲେ ସତେ ଯେମିତି ସେମାନେ ଭାବୁଛନ୍ତି ଏ କୁଆଡୁ ଗାଉଁଲି ଆସିଗଲା।ଖାଲି ଭାବୁ ନାହାନ୍ତି ତ ବରଂ କହି ବି ଦେଉଛନ୍ତି।ଭାରି ଦୁଃଖ ଲାଗେ ଶୁଣି। ହଁ ଠିକ୍ ଅଛି ଆମେ ଗାଉଁଲି ହେଇ ବଞ୍ଚିବୁ କିନ୍ତୁ ତୁମ ମାନଂକ ଭଳି ମାତୃଭାଷାକୁ ହେୟଜ୍ଞାନ କରି ପାରିବୁନି।ଏସବୁ ପାଇଁ ଘରୁ ହିଁ ଆରମ୍ଭ ହେବା ଜରୁରୀ। ବାପା ମା ଛୁଆଙ୍କୁ ମାତୃଭାଷା ଶିଖେଇବାକୁ ଆଗଭର ହେଉ ନାହାନ୍ତି। ତତ୍ପରେ ସରକାର। ଓଡ଼ିଆ ପାଇଁ ଅଲଗା ପ୍ୟାକେଜ ରଖି ପ୍ରୋତ୍ସାହନ ଦେଇ କେମିତି ଓଡ଼ିଆ ଭାଷାକୁ ସମୃଦ୍ଧ କରି ହେବ ସେ ଦିଗରେ ନଜର ଦେଲେ ଯାଇ ଭାଷା ଆନ୍ଦୋଳନର ମୂଳଦୁଆରେ ଛାତ ପଡ଼ିପାରିବ । ନା ଖାଲି ସରକାର ବରଂ ସରକାର ସହିତ ଆମ ମାନଙ୍କୁ ମଧ୍ୟ ସହଯୋଗରେ ଯୋଗଦେବାକୁ ହେବ ତେବେ ଯାଇ ଲକ୍ଷ୍ୟ ହାସଲର ବାଟ ଫିଟିବ।

11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?

* ଭଲ ଗଳ୍ପଟିଏ ପଢ଼ିଲେ ଭଲ କବିତାଟିଏ ପଢ଼ିଲେ ତ ସବୁଠୁ ବେଶୀ ଖୁସି ଲାଗେ। ଆଉ ଏଇଟା ସତ୍ୟ କି ସୋସିଆଲ ମିଡିଆରେ ଭଲ ଗଳ୍ପ ଆଉ ଭଲ କବିତା ପଢିଲା ମାତ୍ରେ ହାତ ଚାଲିଯାଏ କିଛି ମନ୍ତବ୍ୟ ରଖିବାକୁ । କିଛି ଗଳ୍ପ ବହି ଆତ୍ମସନ୍ତୋଷ ଭରି ଦିଏ। ତା ଠୁ ସୁଖକର ଅନୁଭୂତି ବେଶୀ ଆଉ କଣ୍ ହୋଇପାରେ ଯେ। ପାଠକର ପାଠକୀୟ ପ୍ରେମ ହିଁ ତ ସାହିତ୍ୟ ପ୍ରେମ। ସାରସ୍ବତ ପ୍ରେମୀ କହିଲେ ମୁଁ ନିଜକୁ ପାଠକ ଭାବେ ବେଶୀ ସୁଖକର ଅନୁଭୂତି ସାଉଁଟିଛି। ଆଉ ଯଦି ଲେଖା କଥା କୁହାଯାଏ ତେବେ କହିବି କି ଲେଖା ଯାହା ଯେଉଁଠି ବାହାରେ କେବେ ଆମ ଘର ଲୋକ ଦେଖନ୍ତିନି। ହଠାତ୍ ଦିନେ ବାପା ବଜାରରୁ ଆସି କହିଲେ କି କେହି ଜଣେ ତାଙ୍କୁ କହୁଥିଲେ ଲେଖା ଲେଖି କଥା।ଆଉ ଆମ କନିକାର ଗୋଟେ ପତ୍ରିକାରେ ଲେଖା ଦେବାକୁ କହିଲେ। ଏ ମୋ ପାଇଁ ବଡ଼ ସୁଖକର ଅନୁଭୂତି ଥିଲା।

12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।

*ଜଗତୀକରଣ ଓ ବିଶ୍ୱାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟ ଧୀରେ ଧୀରେ ଆଗକୁ ଆଗକୁ ବଢ଼ି ଚାଲିଛି ଓ ସ୍ଵତନ୍ତ୍ର ପରିଚୟ ତିଆରି କରି ଚାଲିଛି। ଜଗତୀକରଣ ସହ ଘରୋଇକରଣ ରଥ ଯେତେ ଆଗକୁ ଗଡିବ ସେତେ ଓଡ଼ିଆ ସାହିତ୍ୟ ସମୃଦ୍ଧ ହେବ ବୋଲି ଆଶା।

13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?

*ଓଡ଼ିଆ କ୍ଷୁଦ୍ରଗଳ୍ପ ପାଠକର ନିକଟତର ହୋଇପାରିଛି। ଆଜି କାଲି ସମୟରେ ସମସ୍ତେ ବ୍ୟସ୍ତ। କ୍ରିକେଟ୍ କଥା ବିଚାରକୁ ନିଆଯାଉ।ଟେଷ୍ଟ କ୍ରିକେଟ ଠାରୁ ଯେମିତି ଏକଦିବସୀୟ ମ୍ୟାଚରେ ବେଶୀ ରୋମାଞ୍ଚ ରହୁଛି ଏବଂ ଏକଦିବସୀୟ ଠାରୁ ଟି ଟ୍ୱେଣ୍ଟି ବେଶୀ ଲୋକପ୍ରିୟ ହୋଇପାରିଛି ଠିକ୍ ସେମିତି କ୍ଷୁଦ୍ରଗଳ୍ପ ବେଶୀ ଲୋକପ୍ରିୟ । ବ୍ୟସ୍ତ ବହୁଳ ସମୟ ଭିତରେ ବହୁ ଲୋକ ଅଳ୍ପ ସମୟରେ ରେଜଲ୍ଟ ଖୋଜୁଛନ୍ତି।ବୋଧହୁଏ ସେଥିପାଇଁ କ୍ଷୁଦ୍ର ଗଳ୍ପ ଅଣୁଗଳ୍ପ ବେଶୀ ଆଦୃତ ହେଉଛି।

14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।

*ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ବହୁ କାଳରୁ ରହି ଆସିଛି।ଗୋପବନ୍ଧୁଙ୍କର ବନ୍ଦୀର ଆତ୍ମକଥା କଥା ବିଚାରକୁ ନିଆଯାଇପାରେ । ଦ୍ବିତୀୟତଃ ଓଡ଼ିଶାର ପ୍ରଥମ ବ୍ୟାଜାପ୍ତି ପୁସ୍ତକ “ଦୁଃଖିନୀ କନିକା” କଥା ମନକୁ ଆସେ।ବୀର ଆନନ୍ଦ ଚନ୍ଦ୍ର ଜେନା କନିକବାସୀଙ୍କ ଦୁଃଖ ଦୁର୍ଦ୍ଦଶାକୁ ଏମିତି କେମିତି ଭାବେ ଲେଖିଦେଲେ ଯେ ତାହାକୁ ବ୍ୟାଜାପ୍ତି କରିବାକୁ ବାଧ୍ୟ ହୋଇଥିଲେ ସେମାନେ।ସାହିତ୍ୟ ଅସ୍ତ୍ର ସାଜିପାରେ,ସାହିତ୍ୟ ଢାଲ ସାଜିପାରେ,ସାହିତ୍ୟ ହସେଇପାରେ,ସାହିତ୍ୟ କନ୍ଦେଇପାରେ।

15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?

* କବିତାଟି ଲେଖିଲା ବେଳେ ମୋ ମତରେ କବି/କବୀ କେବେ ଶତପ୍ରତିଶତ ସନ୍ତୁଷ୍ଟ ହୁଅନ୍ତି ନାହିଁ। ମୋ ମତରେ ହେବା କଥା ମଧ୍ୟ ନୁହେଁ। ହେବା କଥା ନୁହେଁ କହିଲି ବୋଲି ହସନ୍ତୁନି। କାରଣଟେ ଅଛି।ଯେବେ ସନ୍ତୁଷ୍ଟିକରଣ ହୁଏ ସେତେବେଳେ ପୂର୍ଣ୍ଣଚ୍ଛେଦ ପଡ଼ିଯାଏ। ସାହିତ୍ୟ କ୍ଷେତ୍ରରେ ପୂର୍ଣ୍ଣଚ୍ଛେଦ ନପଡୁ। ନିଜର ଭୁଲକୁ ସୁଧରାଯାଉ ନଚେତ୍ କିଛି ନୂତନତ୍ବର ଯୋଗରେ ଅପଗ୍ରେଡେଶନ ହେଉ।ମୋ ମତରେ ସାହିତ୍ୟ ପାଇଁ ଏହା ଏକ ଶୁଭ ରାସ୍ତା। ନିଜ ଆଡକୁ ଯଦି ଯିବି ତେବେ ଏତିକି କହିବି ଯେ ଯେତେଥର ନିଜେ ପଢ଼େ ସେତେଥର ଶବ୍ଦ ବଦଳାଏ ଅର୍ଥାତ ଏହା ଏକ ପାରମ୍ପରିକ ପରିସ୍ଥିତି ଭଳି ଜଡିତ ମୋ ସହ। ମୋ ମତରେ ଲେଖିବା କାଟିବା ଯୋଡିବା ଆଉ ନୂଆ ଏକ ଭିନ୍ନର ସୃଷ୍ଟିର ଚେଷ୍ଟା କରିବା ।

16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।

* ସାହିତ୍ୟ ପାଇଁ ବୟସ କଣ। ରସ୍କିନ୍ ବଣ୍ଡ୍ ଥରେ ତାଙ୍କ ଇଣ୍ଟରଭିଉରେ କହିଥିଲେ ବାହାରୁ ବୁଢ଼ା ଦେଖାଯାଉଥିବା ଲେଖକ ତଥା କବିମାନେ କେବେ ବୁଢ଼ା ନୁହନ୍ତି।ହୃଦୟରୁ ପିଲା ହିଁ। ବୟସର ଅପରାହ୍ନରେ ବି ରାହତ୍ ଇନ୍ଦୁରି ସାର୍ ଲେଖିପାରନ୍ତି ପ୍ରେମ ଭରା କବିତା। ଜନ୍ କିଟସଙ୍କ ଭଳି ମହାନ୍ କବି ମାତ୍ର ୨୫ ବର୍ଷ ବୟସରେ ମୃତ୍ୟୁବରଣ କଲେ ମଧ୍ୟ କାଳ କାଳ ପାଇଁ ରଚିଯାଇଛନ୍ତି କୀର୍ତ୍ତି । କମ୍ ବୟସରେ ହେଉ ଅବା ବେଶୀ ବୟସରେ ହେଉ ,ସାହିତ୍ୟ ରଚନା ପାଇଁ ସେସବୁ ଲୋଡା ପଡେନି। ହଁ ଅବଶ୍ୟ ଏହା ସତ୍ୟ ଯେ ବୟସ ଗଡିବା ସହ ବହୁ ଅନୁଭବ ଓ ଅନୁଭୂତିମାନ ପାକଳ ହୁଅନ୍ତି, ଭଲ ପାଠକଟିଏ ହେବା ପାଇଁ ସମୟ ମଧ୍ୟ ମିଳିଥାଏ।

17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।

*ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଅନୁପମ ପଥ ଆପଣେଇଛି ନୂଆ ନୂଆ ଯୁବ ପ୍ରତିଭାମାନଙ୍କୁ ସୁଯୋଗ ଦେବା ପାଇଁ। ସେଥିପାଇଁ ପ୍ରଥମେ ମୁଁ ସୂର୍ଯ୍ୟୋଦୟ ପରିବାରକୁ ସାଧୁବାଦ ଦେବି।ହୃଦୟର ପ୍ରତ୍ୟେକ କୋଣ ଅନୁକୋଣରୁ ଧନ୍ୟବାଦ ।

18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?

* କ୍ଷୁଦ୍ର ଗଳ୍ପ ରଚନା ହେଉ ଅବା କବିତା ତଥା ନୂଆ ନୂଆ ଶୈଳୀରେ ଲେଖାଯାଉଥିବା କବିତାମାନ ନିଶ୍ଚୟ ପ୍ରଭାବିତ କରିଛି। ପ୍ରଥମରୁ କହି ଆସୁଛି ମୁଁ ଲେଖକ କି କବି ନୁହେଁ ।ମୁଁ ଜଣେ ପାଠକ। ଭିନ୍ନ ଭିନ୍ନ ଧରଣର ଲେଖା ପଢିବାକୁ ମିଳୁଛି ଏଠାରେ ।ନୂଆ ନୂଆ ତଥ୍ୟ ଜାଣିବାକୁ ମିଳୁଛି । ଜଣେ ପାଠକ ହିସାବରେ ମୋ ପାଇଁ ଏହା ଏକ ବଡ଼ ସୁଯୋଗ ।

19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?

*ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ମୁଁ ମୋ ପିଜି ବେଳରୁ ଜଣାଶୁଣା। ପ୍ରତିଷ୍ଠାତା ମହୋଦୟଙ୍କ ସହ ଜଣାଶୁଣା ହେବା ଦିନଠୁ ମୁଁ ଯୋଡ଼ି ହୋଇଯାଇଛି ଏହି ପରିବାର ସହ।
ଦ୍ଵିତୀୟ ପ୍ରଶ୍ନ ଆଡ଼କୁ ଯିବା। ବ୍ୟସ୍ତବହୁଳ ଜୀବନ କାହା ପାଇଁ? ଖାଇବା ,ପିଇବା,ବୁଲିବା,ପିନ୍ଧିବା, ଇତ୍ୟାଦି ଇତ୍ୟାଦି।ସର୍ବ ଶେଷରେ ଦେଖିବାକୁ ଗଲେ ସୁଖ ହିଁ ଜରୁରୀ। ମୋ ମତରେ ମୁଁ ସାହିତ୍ୟରେ ହିଁ ସେ ସୁଖ ଖୋଜି ପାଏ।

“ମୀନ କି ରହିବ ଜଳ ବିନା କୁହ
ଯେତେ ଅମ୍ଳଜାନ ଦେଲେ,
ସାହିତ୍ୟ ବିନା କି ଜୀବନ ସମ୍ଭବ
ବିଜ୍ଞାନେ ଯେତେ ବୁଡ଼ିଲେ।”

20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।

* ସାହିତ୍ୟର ସ ଏଯାଏଁ ଛୁଇଁନି।ଜୀବନ ଦର୍ଶନ ବହୁତ୍ ଦୂର । ଇଚ୍ଛା ଅଛି ଭଲ ପାଠକଟେ ହେବି।ଦେଖାଯାଉ ସମୟର ସୁଅ କେଉଁ ଆଡ଼କୁ ବୋହି ନେଉଛି।
ମୋ ପାଇଁ ଏମିତି ନୂଆ ନୂଆ ଲେଖକ ଲେଖିକାମାନଙ୍କର ଭଲ ଭଲ ଲେଖା ପରଶୁଥାଆନ୍ତୁ।ଏତିକି ମାଗୁଣି ଏହି ପରିବାର ପାଖରେ ।


ସ୍ନେହର ପ୍ରୀତିରଞ୍ଜନ
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ

Loading

35 thoughts on “Lets talk with a young Poet and story Teller Pritiranjan Nayak hails from Kendrapada, district of Odisha for SLF Literary Youth Icon Award contest-. 2023

  1. ଆପଣଙ୍କ ସାକ୍ଷାତକାର ପଢି ଜାଣିବାକୁ ପାଇଲି ଯେ ଆପଣ ସାହିତ୍ୟରେ ହିଁ ନିଜର ସୁଖ ଖୋଜନ୍ତି।ସୁନ୍ଦର ସୁନ୍ଦର ସୃଷ୍ଟି ରଚନା କରି ମଧ୍ୟ ଆପଣ ନିଜକୁ ଏକ ପାଠକ ଏବଂ ସାହିତ୍ୟର ସ ଏଯାଏଁ ଛୁଇଁନାହାନ୍ତି ବୋଲି ମତ ବ୍ୟକ୍ତ କରନ୍ତି।ଏଭଳି ସୁନ୍ଦର ଚିନ୍ତାଧାରା ଏକ ସୁ-ସାହିତିକର ବୋଲି ମୋର ମତ,ତେଣୁ ଆପଣଙ୍କୁ ଢେର୍ ସାରା ଶୁଭେଚ୍ଛା ଆଜ୍ଞା ଆପଣଙ୍କ ରଚନା ଅନବରତ ଚାଲୁଥାଉ।ସୁନ୍ଦର ସୃଷ୍ଟି ମାଧ୍ୟମରେ ଅନ୍ୟ ସାହିତ୍ୟପ୍ରେମୀଙ୍କ ପାଇଁ ପ୍ରେରଣା ସାଜନ୍ତୁ ଏବଂ ଯେପରି “ଡିବିରି” ଗଳ୍ପରେ ମୁଁ ସାହିତ୍ୟର ଗଭୀର ଚିନ୍ତନ ପ୍ରତି ଆକୃଷ୍ଟ ହୋଇଥିଲି ଅନ୍ୟମାନେବି ସେପରି ସାହିତ୍ୟ ପ୍ରତି ଆକୃଷ୍ଟ ହୁଅନ୍ତୁ।

  2. ଅନୁଭବର ଶବ୍ଦମାନଙ୍କ ଗହଣରେ ହଜିଗଲି କିଛି କ୍ଷଣ

    ଭଲ ପାଠକଟିଏ ସୁନ୍ଦର ସୃଷ୍ଟିମାନଙ୍କର ସ୍ରଷ୍ଟା ମଧ୍ୟ..✨️

    କଲମ ଏମିତି ଦୃଢ଼ ଭାବରେ ଲେଖୁଥାଉ,, ଶୁଭେଚ୍ଛା ଭାଇ ❣️

  3. Khub kam dina pain tuma saha misichi. Au setiki dina bhitare janili je tume jane bhala manisa. Tume bastaba jibana re jemiti, taha tuma lekha re pratifalita hue.
    Tume ahuri unnati kara au odia bhasa sahitya ku sirsa re pahanchao, etiki iswara nka nikatare kamana.

    1. ଏ ଭଲ ପାଇବା , ଏ ସ୍ନେହ ପାଖରେ ମୁଁ ଚିର ରୁଣିି ଭାଇ। ଅଳ୍ପ ଦିନ ଭିତରେ ବେଶୀ ମିଶିଛନ୍ତି।ଏହି ଭାତୃତ୍ବ ଭାବ ଅତୁଟ ରହୁ। ଏତିକି କାମନା

  4. ଅନେକ ଅନେକ ଶୁଭେଚ୍ଛା ତରୁଣ କବି ତଥା ଲେଖକଙ୍କୁl ଆଗକୁ ଏମିତି ସ ଯାତ୍ରା ଜାରି ରହୁl ପ୍ରଭୁ ମଙ୍ଗଳ କରନ୍ତୁl

    1. ମେଞ୍ଚାଏ ଧନ୍ୟବାଦ ପ୍ରଭାସିନୀ। ଖୁସି ଲାଗିଲା

  5. Congratulations sir.I like your every poem and story. and i like the way you rhyme and ur voice is very sweet . You are a good and lovable poet.

    1. Uffff….First time I listen about my rhyming ability and my voice….Thank you so much from the core of my heart for such lovable statemnt which is new for me.Thanks a lot again dear

  6. ବହୁତ୍ ଭଲ ଭାବରେ ସାହିତ୍ୟ ଆଉ ମାତୃଭାଷା ର ମୂଲ୍ୟ କୁ ବୁଝିଛନ୍ତି. ଆପଣଙ୍କ ଭଳି ମଣିଷ ସାହିତ୍ୟ କୁ ଜୀବନ୍ତ କରିରଖିଚତି . ବହୁତ୍ ସୁନ୍ଦର ଭାବରେ ପ୍ରତି ଉତ୍ତର ମନ ରଖିଛନ୍ତି. ଜୀବନରେ ବହୁତ୍ ଆଗକୁ ଯାଆନ୍ତୁ ଆପଣ ଜଗନ୍ନାଥ ଙ୍କ ପାଖରେ ଏତିକି ପ୍ରାଥନା.

    1. ଏତେ ସୁନ୍ଦର ଅଭିମତ ଦେଲେ ଯେ କେମିତି ଧନ୍ୟବାଦ ଜଣେଇବି ମୁଁ ମଧ୍ୟ ଅଜ୍ଞ। ହୃଦୟର ଗଭୀରତମ ଗଣ୍ଡରୁ ଏ ଅନେକ ଅନେକ ଅନେକ ଅନେକ ଧନ୍ୟବାଦ

  7. ସାହିତ୍ୟ ମନସ୍କ ପ୍ରୀତିଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା l
    ତୁମ ପାଇଁ ସାହିତ୍ୟ ଆଉ ଶବ୍ଦର ଦୁଆରବନ୍ଧ ସର୍ବଦା ଖୋଲା ଥାଉ, ତୁମେ ଏମିତି ନୂଆ ନୂଆ ପାଠକୁ ଆପଣେଇବା ସହ ନୂଆ ନୂଆ ଲେଖାମାନ ଭେଟିଦେଉଥାଅ ଏତିକି ମୋର ମହାପ୍ରଭୁଙ୍କ ନିକଟରେ ପାର୍ଥନା l

    1. ବହୁତ୍ ଖୁସି ଲାଗିଲା। ଜଣେ ସାହିତ୍ୟ ମନସ୍କାଙ୍କ ଠୁ ଶୁଭକାମନା ପାଇବା ବଡ଼ ଭାଗ୍ୟର କଥା। ଏ ସ୍ନେହ ସଦିଚ୍ଛା ଭଲ ପାଇବା ସଦାବେଳେ ରହୁଥାଉ। ହୃଦୟରୁ ଅନେକ ଅନେକ ଧନ୍ୟବାଦ।

    1. From your busy schedule you find out time to read all d qsn answers nd also replied here.First of all hats off for that.Thank you sanga…Take care of u n ur baby boy

  8. ଅନନ୍ୟ ପ୍ରତିଭାଙ୍କୁ ଢେର୍ ଶୁଭେଚ୍ଛା।ଆଶା କରେ ଆପଣ ” ଯୁବ ପ୍ରତିଭା” ରୂପେ ବିବେଚିତ ହୁଅନ୍ତୁ।ସାହିତ୍ୟର ଯାତ୍ରା ସୁଦୂର ପ୍ରସାରି ହେଉ।

    1. ଡଙ୍ଗାର ମଙ୍ଗ ହୁଏତ କୂଳରେ ଆଗ ପହଞ୍ଚି ପାରେ କିନ୍ତୁ ସମ୍ଭବର କାରଣ ନାଉରିଆ ଆଉ ତାହା ପଛରୁ ହିଁ ହେଉଥାଏ। ପ୍ରତି ଭାଙ୍ଗି ପଡ଼ିଥିବା ମୁହୂର୍ତ୍ତରେ ବନ୍ଧୁତାର ହାତ ଦେଇ ଦେଉଥିବା ସାହାରା ପାଇଁ ସଦାବେଳେ ଧନ୍ୟବାଦର ପାତ୍ର ଆପଣ। ଆପଣଙ୍କ ସାହିତ୍ୟ ଯାତ୍ରା ମଧ୍ୟ ସୁଦୂର ହେଉ ବନ୍ଧୁ ।ଧନ୍ୟବାଦ

  9. Recently,I read ur post and I just fell in love with ur writing. U r such a natural Poet , Every poem u write is just a unique experience , masterpiece & absolutely breathtaking . It seems like u ve a magical pen at ur home ,huh ? I am really impressed with ur writting style. Keep it up !

    1. Thank you so much for ur such valuable complement towards me . I think which will encourage me to write more ad more.Thank you again dear

  10. ପ୍ରଥମତଃ ଅନେକ ଅନେକ ଶୁଭେଚ୍ଛା ଆପଣଙ୍କୁ ।। ଆପଣଙ୍କ କବିତା ଆଉ ଗଳ୍ପର ମୁଁ ଜଣେ ପ୍ରିୟ ପାଠକ ।। ଖୁବ୍ ସୁନ୍ଦର ଭାବେ ଆପଣ କବିତା ଆଉ ଗଳ୍ପ କୁ ଉପସ୍ଥାପନା କରନ୍ତି ।। ଆଧୁନିକ କବିତା ହେଉ ଅବା ଛନ୍ଦ ଯୁକ୍ତ କବିତା , ସବୁଥିରେ ଆପଣଙ୍କ ଶବ୍ଦ ଶୈଳୀ ଖୁବ୍ ଉଚ୍ଚକୋଟୀର ହେଇଥାଏ ।। ଭଗବାନ ଙ୍କ କୃପାରୁ ଆପଣଙ୍କ କଲମ ଅବିରତ ଚାଲୁଥାଉ।। ଆପଣ ନୂଆ ନୂଆ କବିତା ଗଳ୍ପ ଏମିତି ଭେଟି ଦେଉଥାନ୍ତୁ ।।

    ସମସ୍ତ ପ୍ରଶ୍ନର ଉତ୍ତର ଖୁବ୍ ସୁନ୍ଦର ଭାବେ ଦେଇଛନ୍ତି।। ସମସ୍ତ ପ୍ରଶ୍ନର ଉତ୍ତର ପଢ଼ି ସାରିବା ପରେ ସାହିତ୍ୟ ପ୍ରତି ଆପଣଙ୍କ ଦୁର୍ବଳତା ଯେ ଅନେକ ତାହା ବାରିହୋଇ ପଡ଼ୁଛି ।। ଶେଷରେ ଏତିକି କହିବି ଭଲ ପାଠକଟିଏ ହେବା ସହ ଭଲ ଲେଖକଟିଏ ମଧ୍ୟ ହୁଅନ୍ତୁ ଏବଂ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜନ୍ତୁ।।

    Lots of love

    1. ଏ ଭଲ ପାଇବା ,ଏ ସ୍ନେହ, ଏ ସଦିଚ୍ଛା ସବୁବେଳେ ଏମିତି ଅତୁଟ ରହୁ ବୋଲି ମୁଁ ଚାହିଁବି। ମୋ ଜୀବନ ଘଟରୁ ପାଣି ଶୁଖି ଯିବା ଯାଏଁ,ଛ ଖଣ୍ଡ କାଠର କୋକେଇରେ ବୁହା ହେଲା ଯାଏଁ କଲମ ସହ ରହିବାକୁ ଚେଷ୍ଟା ନିଶ୍ଚୟ କରିବି। ଏ ଭାଇଟାକୁ ସେତିକି ଭଲ ପାଇବା ସବୁବେଳେ ଦେଉଥା ….. Lots of Love

Leave a Reply

Your email address will not be published. Required fields are marked *