Lets talk with budding bard Rahul Mohanty, hails from Anugul, district of Odisha for SLF Literary Youth Icon Award contest-. 2023
**ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର
ନାମ – ରାହୁଲ ମହାନ୍ତି
ପିତାଙ୍କ ନାମ– ପ୍ରଶାନ୍ତ କୁମାର ମହାନ୍ତି
ମାତାଙ୍କ ନାମ– ସୁଜାତା ମହାନ୍ତି
ଜନ୍ମ ତାରିଖ- ୦୯/୧୨/୨୦୦୪
ଘର ଠିକଣା- ବ୍ରାହ୍ମଣ ଶାସନ, ତାଳଚେର ଟାଉନ
ଜିଲ୍ଲା– ଅନଗୁଳ
ଶିକ୍ଷାଗତ ଯୋଗ୍ୟତା- ସ୍ନାତକତର ପ୍ରଥମ ବର୍ଷ
ଇ-ମେଇଲ୍ ଠିକଣା– [email protected]
ମୁଖପୁସ୍ତିକା /Facebook ଠିକଣା:: https://www.facebook.com/profile.php?id=100082027810955&mibextid=ZbWKwL
ଶ୍ରଦ୍ଧେୟ ରାହୁଲ!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।
1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
– ସାହିତ୍ୟ ପ୍ରତି ମୋର ଛୋଟବେଳୁ ରୁଚିଥିଲା |ଛୋଟବେଳୁ ମୋ ସ୍ବର୍ଗତ ଜେଜେବାପା ବିରଞ୍ଚି ନାରାୟଣ ମହାନ୍ତି ସବୁବେଳେ ମତେ ଉଚ୍ଚିତ କଥା ଓ ମାର୍ଗ ଦେଖାଇଆସିଛନ୍ତି ତନ୍ମଧ୍ୟରୁ ସାହିତ୍ୟ ବିଷୟରେ ବି ବହୁତ କଥା କୁହନ୍ତି ଯଥା ସାରଳାଦାସ ଙ୍କ ମହାଭାରତ ଓ ଜଗନ୍ନାଥ ଦାସ ଙ୍କ ଭାଗବତ କଥା |ମତେ ଏ ବିଷୟରେ ଶୁଣିବାକୁ ଭଲଲାଗେ ଓ ପଢିବାକୁ ମଧ୍ୟ | ସେତେବେଳେ ମୁଁ ଈଶ୍ୱରଙ୍କ କଥା ଶୁଣିବାକୁ ବହୁତ ଆଗ୍ରହଥିଲି | ସାହିତ୍ୟ ଈଶ୍ୱରଙ୍କ ସମ୍ପର୍କରେ ଆଧାରିତ ବୋଲି ସେତେବେଳେ ଭାବୁଥିଲି ଯାହାଫଳରେ ମୋର ରୁଚି ବଢ଼ିଥିଲା |
ଦଶମ ଶ୍ରେଣୀରେ ଏ ଲେଖାଲେଖି ମୋର ଆରମ୍ଭ ହୋଇଥିଲା |ମୋର ଜଣେ ଘନିଷ୍ଠ ବନ୍ଧୁ ଖୁସିରାମ ସ୍ୱାଇଁ ପ୍ରତିଦିନ ଭଗବତ ଗୀତା ପାଠ କରେ |ମତେ ଶୁଣିବାକୁ ବହୁତ ଭଲଲାଗେ |ଭଗବତ ଗୀତା ଶୁଣୁଶୁଣୁ ଭଗବାନଙ୍କ ପ୍ରତି ଆହୁରି ଭକ୍ତି, ପ୍ରେମ ବଢିଲା | ଭଗବାନ ବିଷୟରେ ଭାବୁଭାବୁ ଏମିତି ହଠାତ୍ ଏକ ସୁନ୍ଦର ଧାଡି ମନକୁ ଚାଲିଆସିଲା ଓ ସେଇଠୁ ରଚନାତ୍ମକ ଶୈଳ ଆରମ୍ଭ ହେଇଥିଲା |
ଏ ସାହିତ୍ୟ ଜଗତ ମାର୍ଗ ଦେଖେଇବାରେ ମୋର ପ୍ରିୟ ଶିକ୍ଷକ ଦୁଃଖବନ୍ଧୁ ରାଉତ (ପଣ୍ଡିତ ସାର୍) ଓ ପ୍ରିୟ ବନ୍ଧୁ ଖୁସିରାମ ସ୍ୱାଇଁ ଙ୍କ ବହୁତ ବଡ଼ ଭୂମିକା ରହିଛି |
2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
– କହିବାକୁ ଗଲେ ପାଠପଢା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରିବା ସହ ସାରସ୍ୱତ ସାଧନା ନିତିଦିନିଆ ଜୀବନର ଏକ ଅଭ୍ୟାସରେ ପରିଣତ ହେଇସାରିଲାଣି | ଭଗବାନ କରନ୍ତୁ ଏ ନିତିଦିନିଆ ଜୀବନରେ ଏ ସାରସ୍ୱତ ସାଧନା ଅଭ୍ୟାସ ଟା ଜାରି ରହୁ | ଲେଖିବାପାଇଁ ମନ ବଳେଇଲେ ମୁଁ ଏକ ଶାନ୍ତ ଜାଗାରେ ଯାଇ ବସେ ଆଉ ଭାବିବାକୁ ଲାଗେ | ଯାହା ମନରେ ଭାବନା ଥାଏ ତାହା ଶୋଇବା ପୂର୍ବରୁ ଡ଼ାଇରୀରେ ଲେଖିଦେଇଯାଏ | ପଢା ସମୟରେ ପଢା ହେଇଯାଏ ଓ ଅନ୍ୟାନ୍ୟ ସମୟରେ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ | ଆଜିଯାଏଁ କୌଣସି ଅସୁବିଧାରେ ସମ୍ମୁଖୀନ ହେଇନି ସବୁ ଠିକଠାକ ଚାଲିଛି ଓ ଆଗକୁ ବି ଠିକଠାକ ଚାଲିଥିବ |
3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
– ପିଲାଟିଏ କୌଣସି କାମରେ ଲୟ ରଖି ଆଗେଇଚାଲିଲେ ତା ପରିବାର ର ପ୍ରଭାବ ଟି ନିଶ୍ଚୟ ରୁହେ ଓ ସେମାନଙ୍କ ପ୍ରଭାବ କେବେ କୁ-ପ୍ରଭାବ ନୁହେଁ ସୁ-ପ୍ରଭାବ ହେଇଥାଏ | ମୋ ପରିବାର ସବୁବେଳେ ମତେ କହିଆସିଛନ୍ତି ‘ଜୀବନରେ ଏମିତି କିଛି କାମ କର ଯାହା ସମାଜପାଇଁ ହିତ ସାଧନ କରୁଥିବ’ |
4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
– ପ୍ରତିଭା ରାୟଙ୍କ ଏକ ଗଳ୍ପ ସଂକଳନ ‘ମନୁଷ୍ୟର ସ୍ୱର’ ଓ ରାଧାମୋହନ ଗଡ଼ନାୟକଙ୍କ କବିତା ସଂକଳନ ‘କାବ୍ୟାୟିକା’ ବେଶ୍ ପ୍ରୋତ୍ସାହିତ କରିଛି |ମୋର ଆଦର୍ଶ ଲେଖକ କହିବାକୁ ଗଲେ ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର, ରାଧାମୋହନ ଗଡ଼ନାୟକ ଓ ପ୍ରତିଭା ରାୟ |
5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
– ଗଳ୍ପ ରେ ମୁଁ ନିଜକୁ ଅଧିକ ବ୍ୟକ୍ତ କରିଛି | କବିତା ବି କରିଛି କିନ୍ତୁ ଅଧିକ ଗପକୁ ଗୁରୁତ୍ୱ ଦେଇଛି |
6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?
– ଲେଖନୀ ମୁନ ଧରି ସୃଷ୍ଟି କରିବା ପୂର୍ବରୁ କେଉଁ କେଉଁ ଉପାୟ ଅବଲମ୍ବନ କରାଯାଏ ସେ କଥା ତ ମୁଁ ଠିକଭାବେ ଦର୍ଶାଇପାରିବିନି କିନ୍ତୁ ଯେତେବେଳେ ମୁଁ ଲେଖା ଆରମ୍ଭ କରେ ସେତେବେଳେ ସରସ୍ବତୀ ଓ ଗଣେଶଙ୍କୁ ସ୍ମରଣ କରିଥାଏ କାରଣ ବାପା କୁହନ୍ତି କୌଣସି ଜିନିଷ ଲେଖିବା ପୂର୍ବରୁ ପ୍ରଥମେ ଗଣେଶ ଓ ସରସ୍ବତୀଙ୍କୁ ସ୍ମରଣ କରିବୁ ତାପରେ ଲେଖିବୁ ଆଉ ଦେଖିବୁ ସେ ହିଁ ନିଶ୍ଚୟ ସାହାହେବେ |
7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
– କବିତା ଓ ଗଳ୍ପ ମଧ୍ୟରେ ବହୁତ ପ୍ରଭେଦଥାଏ |କବିତା ଯାହା ଯୋଡିଏ ଧାଡ଼ିରେ ବହୁତ କିଛି କଥା ଖଞ୍ଜିକରି ରଖିଥାଏ, ଅଳ୍ପ କହି ମଧ୍ୟ ବହୁତ କିଛି ଶିଖେଇଦେଇଥାଏ | ଗଳ୍ପ ବହୁତ କିଛି କହିଦେଇଥାଏ |ତା କଥାରେ କି ଯାଦୁ ଥାଏ କେଜାଣି ପାଠକ ଥରେ ପଶିଗଲେ ତା ଭିତରେ ମୋହି ହେଇଯାଏ |ପରିଶେଷରେ ଏତିକି କହିବି ସେ କବିତା କବିତା ହୁଏନାହିଁ କି ସେ ଗପ ଗପ ହୁଏନାହିଁ ଯେଉଁ କବିତା, ଗପରେ ଭାବ ର ଆଦୌ ପ୍ରଶ୍ନ ଉଠେନାହିଁ |କାରଣ ଭାବ ଥିଲେ ଉଭୟ ସୁନ୍ଦର ଦିଶନ୍ତି |
8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
– କବିତାରେ ସେମିତି ଅନୁଭବ କରେନି କିନ୍ତୁ ଗଳ୍ପ ରେ ଅନୁଭବ କରେ |ଅନେକଙ୍କ ଜୀବନ କାହାଣୀ ପଢ଼ିଲେ ମତେ ଲାଗେ ଯେମିତି ଏଇ କାହାଣୀରେ ଥିବା ମୂଳ ଚରିତ୍ର ଟି ‘ମୁଁ ନିଜେ’ |ଆଉ ମୁଁ ଏଇଭଳି ଭାବେ ପଢ଼ିଲେ ମୋତେ ଆହୁରି ପଢିବାକୁ ଇଚ୍ଛା ହୁଏ |
9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
– ସାହିତ୍ୟ ସବୁବେଳେ ଆଗେଇ ଆସିଛି ଆଉ ଆଗେଇବ ମଧ୍ୟ | ସେ ଯେ କୌଣସି ଯୁଗ ଆସୁ ନା କାହିଁକି ସାହିତ୍ୟ ସମାଜରେ ହିତ ସାଧନ କରିଆସିଛି ଓ ଯୁଗେ ଯୁଗେ କରିଆସିବ ମଧ୍ୟ | ପୂର୍ବକାଳରେ ବହୁତ ବଣମଲ୍ଲୀ ଥିଲେ ଯେଉଁମାନେ ବଣରେ ରହି ହିଁ ମଉଳି ଯାଆନ୍ତି କିନ୍ତୁ ଏ ଉତ୍ତର ଆଧୁନିକ ଯୁଗ ବଣମଲ୍ଲୀ ର ବାସ୍ନାକୁ ବଣରୁ ସବୁଆଡେ ବିଛୁରିତ କରିବାରେ ସାହାଯ୍ୟ କଲା | ଆଉ କେଉଁ ବନମଲ୍ଲୀ ବଣରେ ରହିବେନାହିଁ ଇଣ୍ଟେର୍ନେଟ ମାଧ୍ୟମରେ ସମସ୍ତେ ପଦାକୁ ଆସି ନିଜ ପ୍ରତିଭା ଦେଖେଇଦେବେ |
10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
– ପୂର୍ବ କାଳରେ ଆମ ଭାଷା କେତେ ମହାନ ଓ ମିଠା ଥିଲା |ଭାଗବତ ର ନବାକ୍ଷର ପଦ , ବଳରାମ ଦାସ ଙ୍କ ଲକ୍ଷ୍ମୀ ପୁରାଣ, ଭଞ୍ଜ ଙ୍କ ସାହିତ୍ୟ, ଛନ୍ଦକବି ରାଧାମୋହନ ଙ୍କ ଛନ୍ଦ…… ଆଃ!ବେଶ୍ ମୁଗ୍ଧକର |ଉତ୍ତର ଆଧୁନିକ ଯୁଗ ପାଦ ଥାପୁଣୁ କାହିଁକି କେଜାଣି ଭାଷା ପ୍ରତି ଲୋକଙ୍କ ଭଲପାଇବା ଧୀରେ ଧୀରେ କମିକମି ଗଲାଣି |ଛୁଆ ଟି ପାଟିରୁ ମାଆ, ବାପା ଡାକ ଶୁଭୁନି| ଓଡ଼ିଆ ପୁଅ ଏବେ କେଇପଦ ଓଡ଼ିଆ କହିବାପାଇଁ ପାଟିରେ ଖନି ବାଜିଯାଉଛି | ଗୋଟେ କବିଟିଏ ମଧ୍ୟ ତା ଭାଷା ର ମହତ ପାଇଁ କାଗଜରେ କାଳୀ ବିଞ୍ଚି ଲେଖିବା ବଦଳରେ କାଚରେ ଟିପ ଚିପି ଲେଖୁଛି | ଏଇମିତି ସବୁ ଚାଲିଛି |କିନ୍ତୁ ସମସ୍ତେ ବୁଝିବା ଦରକାର ଓଡ଼ିଆ ଭାଷା ଏକ ଭାଷା ନୁହଁ ଅମୃତ ଏ ଅମୃତ କୁ ହତାଦର କରି ବିଷ ଆପଣେଇଲେ ଭବିଷ୍ୟରେ ପରିଣାମ ବହୁତ ଭୟାଭୟ ହେବ |
11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
– ସାହିତ୍ୟକୁ ଭଲପାଉଛି ୟା ଠୁ ବଳି ସୁଖକର ଆଉ କଣ ବା ଅଛି |ମୋତେ ଉପସ୍ଥାପନା କରିବାକୁ ବେଶ୍ ଭଲଲାଗେ ସେଥିପାଇଁ ମୁଁ ମୋ ଗପସବୁ ଉପସ୍ଥାପନା କରି youtube ରେ ପୋଷ୍ଟ କରୁଛି |
ମୋ youtube id ନାମ – the rising writer
12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
– ଜଗତୀକାରଣ ଓ ବିଶ୍ୱାୟନ ପ୍ରକ୍ରିୟା ଦ୍ୱାରା ଓଡ଼ିଆ ସାହିତ୍ୟ ବହୁତ ଆଗକୁ ଯାଇପାରିବ | ଦେଶ, ବିଦେଶରେ ଆମ ମଧୁର ଭାଷା ସମ୍ବନ୍ଧୀୟ ତଥା ଆମ ଜଗନ୍ନାଥ ସଂସ୍କୃତି, ଆମ ପରମ୍ପରା ବିଷୟରେ ବେଶ୍ ଚର୍ଚ୍ଚା କରିପାରିବ |ଯାହାଫଳରେ ଆମ ଭାଷା, ଆମ ସାହିତ୍ୟ, ଆମ ଓଡ଼ିଆ ଖୁବ ଉର୍ଦ୍ଧଗାମୀ ହେବ |
13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
– ଗପ ଆଗରୁ ପାଠକଙ୍କ ପ୍ରିୟ ଥିଲା,ଏବେ ବି ମଧ୍ୟ ଅଛି ଓ ଆଗକୁ ମଧ୍ୟ ରହିବ | ଆଗରୁ ଗପ ନା ଶୁଣିଲେ ଲୋକଙ୍କ ପ୍ରତି ଆଗ୍ରହ ଚାଲିଆସୁଥିଲା ଏବେ ଆସୁନି କିନ୍ତୁ ଥରେ ସେ ଗପରେ ବନ୍ଦିହେଇଗଲେ ଥମିହୋଇଯାଇଥିବା ଆଗ୍ରହଟି ଲମ୍ପ ମାରି ପୁଣି ବଢିଯାଏ ଗପର ଶେଷ ପୂର୍ଣ୍ଣଛେଦ ଯାଏଁ |
14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
– ହଁ… ନିଶ୍ଚିତ ଭାବେ ରହିବା ଆବଶ୍ୟକ
15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
– ମୋ ନିଜସ୍ୱ ଅଭିଜ୍ଞତାରୁ କହୁଛି | ବିବେକ ବୋଲି କିଏ ଜଣେ ମାନବ ଭିତରେ ଲୁଚିକରିଥାଏ |ସେ ଈଶ୍ୱର ହୁଅନ୍ତୁ କି ଆଉ କେହି ସବୁବେଳେ ସଠିକ ମାର୍ଗ ହିଁ ଦେଖାଏ | କବିତା ଲେଖିଲା ବେଳେ ଯେତେବେଳେ ମତେ ଲାଗେ ଏଇଟା ଭୁଲବୋଲି ମୁଁ ସେ କବିତା ଫର୍ଦକୁ ଚିରିଦିଏନି କି mobile ରୁ delete କରିଦିଏନି | ବାରମ୍ବାର ତାକୁ ପଢେ ଆଉ କେଉଁଠି ତ୍ରୁଟି ରହିଛି ବିବେକକୁ ବାରମ୍ବାର ପଚାରେ |ଯେତେବେଳେ ମତେ ଲାଗେ କବିତାଟି ସମ୍ପୂର୍ଣ୍ଣ ଭାବେ ନିର୍ଭୁଲ ତେବେ ଯାଇ ସବୁଆଡେ ଛାଡେ |
16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
– ଏହି ମତରେ ମୁଁ ଏକମତ |ସର୍ଜନାତ୍ମକ ଶୈଳୀ ଭଗବାନ ସଭିଙ୍କୁ ଦେଇଥାଏ |ସାହିତ୍ୟ ରଚନା କରିବାପାଇଁ କୌଣସି ବୟସ, ସମୟ ନଥାଏ |ପ୍ରାକୃତିକ ଅନୁଭବ, ଅଙ୍ଗଲିଭା ଅନୁଭୂତି, ବିଭିନ୍ନ ପୁସ୍ତକ ପଠନ ଦ୍ୱାରା ହିଁ ମନୁଷ୍ୟ ର ରଚନାତ୍ମକ ଶକ୍ତି ବଢିଥାଏ |
17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ |
– ଏହା ମୋର ଭାଗ୍ୟ ଯେ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଭା ପରିଦର୍ଶନ କରିବାପାଇଁ ମୋତେ ସୁଯୋଗ ମିଳିଛି |ଏହାଠାରୁ ଆଉ ବଡ଼ କଥା କିଛି ନାହିଁ |
18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
– ଖୁସିଲାଗୁଛି ଯେ, ଆନ୍ତର୍ଜାତିକ ସ୍ଥରର ସମସ୍ତ ସ୍ରଷ୍ଟା ଙ୍କୁ ସୁଯୋଗ ଦେଇ ତାଙ୍କ ପ୍ରତିଭା କୁ ସମ୍ମାନ ଦେଇଆସୁଛି |ଏବଂ ସମସ୍ତଙ୍କୁ ଆଗକୁ ବଢିବା ର ପ୍ରେରଣା ମଧ୍ୟ ଦେଇଆସୁଛି | ସମ୍ମାନ ପାଇଁ ଏଇଠିଯୋଗେ ଆଗ୍ରହୀ ହେଲି ଯେ ‘ଏ ସମ୍ମାନ ଭାଷାପାଇଁ ମୋ ଭିତରେ ଆହୁରି ପ୍ରୀତି, ପ୍ରେମ, ଶ୍ରଦ୍ଧା, ଭଲପାଇବା ଇତ୍ୟାଦି ବଢ଼େଇବ |
19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
– ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ସମ୍ପୃକ୍ତ ମନୋଜ ଭାଇଙ୍କ ଯୋଗୁଁ ସମ୍ଭବ ହେଲା ଓ ମୋର ଅତିପ୍ରିୟ ରାଇମୋହନ ରାଉତ(ଗୁଲ୍ଲୁରୁ ଭାଇ) ମୋତେ ଏଥିରେ ଆଗକୁ ବଢିବାକୁ ବହୁତ ପ୍ରୋତ୍ସାହନ ଦିଅନ୍ତି | ସବୁବେଳେ ମତେ କହିଆସନ୍ତି ସବୁବେଳେ ସଫଳ ହେଉଥିବା ବ୍ୟକ୍ତି ତା ଜୀବନରେ ଖାଲି ସୁନା ଦେଖେ କିନ୍ତୁ ସବୁବେଳେ ହାରିଯାଇ ପୁନର୍ବାର ଲଢ଼ୁଥିବା ବ୍ୟକ୍ତି ତା ଜୀବନରେ ୨ଟା ଜିନିଷ ଦେଖେ |ଗୋଟେ ସୁନା ଦେଖେ ଆଉଗୋଟେ ପ୍ଲାଣ୍ଟିନମ୍| ଆଉ ବାକି ରହିଲା ‘ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା’ ଏଇଟା ମୁଁ ଆଗରୁ କହିସାରିଛି ସାହିତ୍ୟ ସାଧନା ମୋ ନିତିଦିନିଆ ଜୀବନର ଅଭ୍ୟାସରେ ପରିଣତ ହେଇଗଲାଣି | ଆଜିଯାଏଁ କିଛି ଅସୁବିଧା ହୋଇନି ସବୁ ଆବଶ୍ୟକତା ପୂରଣ ହେଇଆସିଛି ଓ ଆଗକୁ ବି ହେଇଆସିବ |
20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
– ମୋ ଜୀବନ ଦର୍ଶନରେ ସାହିତ୍ୟକୁ ନେଇ ଗୋଟେ ସାମାଜିକ କର୍ମୀ ହବାର ସ୍ୱପ୍ନ ଅଛି | ଯେମିତି କି ମୁଁ ମୋ ଗପ କିମ୍ବା କବିତାକୁ ଉପସ୍ଥାପନା କରି ଭିଡ଼ିଓ ମାଧ୍ୟମରେ ସମାଜକୁ ଯେମିତି ଉଚ୍ଚିତ ବାର୍ତ୍ତା ଦେବି ଓ ଲୋକଙ୍କ ମନରେ ଭାଷାପ୍ରତି ଆଗ୍ରହ ବଢ଼େଇବାକୁ ଚେଷ୍ଟା କରିବି | ପରିଶେଷରେ ଏତିକି କହିବି ସୁର୍ଯୋଦୟ ର ସମସ୍ତ କର୍ତ୍ତା ମାନଙ୍କ ଆଶୀର୍ବାଦ ଆମ କୁନିସ୍ରଷ୍ଟା ମାନଙ୍କ ଉପରେ ଏମିତି ରହିଥାଉ | ଆମେ ସମସ୍ତେ କିପରି ଆଗକୁ ଯାଇ ଭାଷା ର ମାନ, ମହତ ରଖୁ ଏତିକି ହିଁ ଆଶା ମୋର 🙏|
ଜୟ ଜଗନ୍ନାଥ
ସ୍ନେହର ରାହୁଲ!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।
ଅଭିନନ୍ଦନ ସହିତ
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ
କୁନିସ୍ରଷ୍ଟ୍ରା ଭାବେ ସାହିତ୍ୟକୁ ନେଇ ସାମାଜିକ କର୍ମୀ ହୋଇ ସମାଜକୁ ଉଚିତ୍ ବାର୍ତ୍ତା ତଥା ମାତୃଭାଷା ପ୍ରତି ଲୋକଙ୍କ ଆଗ୍ରହ ବଢାଇବାର ସ୍ୱପ୍ନ ଅତ୍ୟନ୍ତ ସ୍ବାଗତଯୋଗ୍ୟ । ଏହି ସପ୍ନକୁ ସାକାର କରିବା ପାଇଁ ସାହିତ୍ୟର ଅର୍ନ୍ତନିହିତ ଜ୍ଞାନକୁ ପ୍ରାପ୍ତ କରି ଲୋକଙ୍କୁ ସଚେତନ କରାନ୍ତୁ।ଏହି ସପ୍ନ ଆପଣଙ୍କର ସଫଳତାର ଶୀର୍ଷକୁ ଛୁଉଁ ଏହା ହିଁ ପ୍ରଭୁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା।