*Lets talk with multi talented young Author Suroj Roshan Mishra ,hails from Anugul, Odisha for SLF Literary Youth Icon Award contest-. 2022*
ନାମ – ସୁରୋଜ ରୋଶନ ମିଶ୍ର
ପିତାଙ୍କ ନାମ- ସର୍ବାନନ୍ଦ ମିଶ୍ର
ମାତାଙ୍କ ନାମ- ଜୟନ୍ତୀ ମିଶ୍ର
ଜନ୍ମ ତାରିଖ– 28/05/1997
ଘର ଠିକଣା– ଦୁମୁଦୁମା ନୁଆଁ ସାହି, ତାଳଚେର, ଅନୁଗୁଳ
ଶିକ୍ଷାଗତ ଯୋଗ୍ୟତା- +2 କଳା ବିଭାଗ, ITI
ଇ-ମେଇଲ୍ ଠିକଣା- surojmishra28@gmail.com
Facebook/ ମୁଖପୁସ୍ତିକା-::
https://www.facebook.com/profile.php?id=100013812673968
ଶ୍ରଦ୍ଧେୟ ସୁରୋଜ !
୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।
ଉ : ପିଲାଟି ଦିନରୁ କାହାଣୀ ଶୁଣିବା ନିମନ୍ତେ ଖୁବ୍ ଆଗ୍ରହ ଥିଲା l ଶ୍ରୀଯୁକ୍ତ ଭାଗିରଥି ମିଶ୍ର ମୋ ପୂଜ୍ୟ ଜେଜେବାପା ଙ୍କ ଠାରୁ ମହାଭାରତ ର ଅନେକ କାହାଣୀ ଶୁଣିଥିଲି l କାଳକ୍ରମେ ଏଇ ଆଗ୍ରହ ମୋତେ ନେଇଯାଇଥିଲା ପ୍ରଖ୍ୟାତ ଗାଳ୍ପିକ ଫକୀରମୋହନ ସେନାପତି, ମନୋଜ ଦାସ୍ ଇତ୍ୟାଦି ଙ୍କ ଗଳ୍ପ ସମଗ୍ର ଆଡକୁ l ଏମିତି ଅନେକ ଗଳ୍ପ, ଉପନ୍ୟାସ, ପ୍ରବନ୍ଧ ଇତ୍ୟାଦି ପୁସ୍ତକ ସହ ଜଡିତ ହେବା ସହ ମୁଁ ସୋସିଆଲ୍ ମିଡ଼ିଆର ବିଭିନ୍ନ ମାଧ୍ୟମ ରୁ ମଧ୍ୟ୍ୟ ଗପ ପଢିବାରେ ରୁଚି ରଖିଥିଲି l ଏହା ଭିତରେ ଏକଦା ମୁଁ ପରିଚିତ ହୁଏ ମୋ ନିଜ ଗ୍ରାମ ର ଶ୍ରୀ ମୁକୁନ୍ଦ ଶତପଥି ମହୋଦୟ ଙ୍କ ସହ l ଯିଏ ଏକାଧାରରେ ଜଣେ ଗାଳ୍ପିକ, ରଙ୍ଗମଞ୍ଚ ଅଭିନେତା, ନିର୍ଦ୍ଧେଶକ ଏବଂ ସମାଜସେବୀ l ତାଙ୍କ ରଚିତ ଏକ ଲେଖା ପଢିବା ପରେ ଉକ୍ତ ଲେଖା ମଧ୍ୟ୍ୟରେ ଥିବା ମୋ ନିଜ ଅଞ୍ଚଳର ବାସ୍ତବ ଚିତ୍ର ଏବଂ ଚରିତ୍ର ମାନଙ୍କୁ ଅନୁଭବ କରିବା ପରେ, ମୁଁ ନିଜେ କିଛି ସୃଜନ କରିବା ନିମନ୍ତେ ଆଗ୍ରହୀ ହେଇଥିଲି l ପୂର୍ବରୁ ସାହିତ୍ୟ ପ୍ରତି ରୁଚି ଥିବା ହେତୁ ଖୁବ୍ ସହଜ ହେଇଥିଲା ମୋର ପ୍ରଥମ ସୃଜନ l
୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉ : ଏକ ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ବିତାଉଥିଲେ ମଧ୍ୟ୍ୟ ମୁଁ ଲେଖିବା ନିମନ୍ତେ ସମୟ ଖୋଜିନିଏ l ମୋ ମତରେ ଲେଖିବା ପାଇଁ ଏକ ଶାନ୍ତ ଏବଂ ସୁସ୍ଥ ପରିବେଶ ଆବଶ୍ୟକ l ଯେତେବେଳେ ମୋତେ ସେମିତି ଏକ ସ୍ଥାନ ମିଳିଯାଏ ମୁଁ ଲେଖିବା ଆରମ୍ଭ କରେ l କିଛି ଲେଖା ସରିଯାଏ, ଆଉ କିଛି ସମୟ ଅଭାବରୁ ବାକି ରହିଯାଏ l ଯାହା ବାକିରୁହେ ତାହା ଲେଖିବାକୁ ପରବର୍ତ୍ତୀ ସମୟକୁ ଅପେକ୍ଷା କରେ l କିନ୍ତୁ ଏହାର ପାର୍ଶ୍ଵପ୍ରତିକ୍ରିୟା ରହିଛି..!!
କୌଣସି ଏକ ବିଷୟବସ୍ତୁ ଉପରେ କଳ୍ପନା କରି ଲେଖିବା ସମୟରେ ଯେଉଁ ଚିନ୍ତାଧାରା ଉପୁଜିଥାଏ,ପୁନଃ ସେଇ ସମାନ ବିଷୟବସ୍ତୁ ଉପରେ ଲେଖିଲାବେଳେ ଚିନ୍ତାଧାରା ବଦଳି ଯାଏ l ହୁଏତ ତାହା ପୂର୍ବ ଅପେକ୍ଷା ଉନ୍ନତ ହେଇପାରେ ଅଥବା ନହେଇବି ପାରେ l
୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।
ଉ : ମୋ ଗ୍ରାମର ଅଭିଜ୍ଞ ଶ୍ରୀ ମୁକୁନ୍ଦ ଶତପଥୀ ମହୋଦୟ ମୋତେ ସମୟ ସମୟରେ ପଥ ଦେଖାଇଥାନ୍ତି l ଆହୁରି ମଧ୍ୟ୍ୟ ଦୂରଭାଷ ଯନ୍ତ୍ରରେ ଥିବା ବିଭିନ୍ନ ମାଧ୍ୟ୍ୟମ ର ସହାୟତାରେ ମୁଁ ଅନେକ ପ୍ରତିଷ୍ଠିତ ଏବଂ ଅଭିଜ୍ଞ ସାହିତ୍ୟିକ ମାନଙ୍କ ସହ ଯୋଗାଯୋଗ ରେ ଅଛି l ସେମାନଙ୍କ ପରାମର୍ଶ ମଧ୍ୟ୍ୟ ମୋ ଲେଖାକୁ ସାବଲୀଳ କରାଏ l
୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?
ଉ : ମୋ ଲେଖାଟି କିପରି ପାଠକ ଜଣଙ୍କୁ ମୋ ଲେଖାର ଅନ୍ତିମ ଧାଡି ପର୍ଯ୍ୟନ୍ତ ବାନ୍ଧି ରଖି ପାରିବ ସେଇ ବିଷୟ ପ୍ରତି ମୁଁ ବିଶେଷ ଧ୍ୟାନ ଦିଏ l ଆଉ ଲେଖାଟିଏ ଲେଖି ସାରିବା ପରେ କିପରି ଅଧିକରୁ ଅଧିକ ପାଠକ ମାନଙ୍କ ପାଖରେ ପହଞ୍ଚିବ ଏବଂ ଲେଖାଟି ପଢି ସେମାନଙ୍କ ମୂଲ୍ୟବାନ ସମୟର ଅପଚୟ ନହେବ ସେଇ ଇଚ୍ଛାରେ ଥାଏ l
୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?
ଉ : ସାହିତ୍ୟ ଜଗତରେ ଏକ ଅନାମଧେୟ ଦୀପଶିଖା ଟିଏ ହେବାସତ୍ୱେ ଏକଦା ଜଣେ ପାଠକଙ୍କ ଫୋନ୍ ଆସେ ମୋତେ l ଫୋନ୍ ରେ ସିଏ ମୋତେ ମୋର ଏକ ଧାରାବାହିକ+ଉପନ୍ୟାସ କୁ ନେଇ ଅନେକ ପ୍ରଶଂସା କରନ୍ତି ଏବଂ ଭେଟିବାକୁ ଆଗ୍ରହ ପ୍ରକାଶ କରନ୍ତି l ତାଙ୍କସହ ସାକ୍ଷାତ ହେବା ଏବଂ ପରସ୍ପର ସେଇ ଉପନ୍ୟାସର ଗଭୀରତା ବିଷୟରେ ଆଲୋଚନା କରିବା ହେଉଛି ଏକ ଯୁବ ଲେଖକ ଭାବରେ ମୋର ବଡ଼ ଅନୁଭୂତି l
୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉ : ଉପରୋକ୍ତ ଉକ୍ତିଟି ସାହିତ୍ୟ ସହ ନିବିଡ଼ ଭାବରେ ଜଡିତ, ଏବଂ ମୋ ମତରେ ପ୍ରତିଟି ସାହିତ୍ୟିକ ଏହା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ l ସାହିତ୍ୟ କେବଳ ମନୋରଞ୍ଜନ ଦେଇଥାଏ ଏହା ଆଦୌ ନୁହେଁ..!! ଏହାର ଗଭୀରତା କୁ ଗଲେ ଆମେ ଜାଣିପାରିବା ଯେ ସାହିତ୍ୟ ଆମକୁ ସଂସ୍କାର, ଶୁଦ୍ଧ ଚିନ୍ତାଧାରା, ସାମାଜିକ ଶିକ୍ଷା, ସତର୍କତା ଇତ୍ୟାଦି ଶିଖାଇଥାଏ l ତେଣୁ ଏସବୁ ପ୍ରାପ୍ତ କରିବା ନିମନ୍ତେ କୌଣସି ବୟସସୀମା ର ନିର୍ଦ୍ଧାରଣ ଅନାବଶ୍ୟକ l
ସାହିତ୍ୟ କ୍ଷେତ୍ରରେ ଅଗ୍ରସର ହେବାକୁ, ନିଜର କଲମ ମୁନକ ସାବଲୀଳ କରିବାକୁ ପୁସ୍ତକ ପଠନ ଏବଂ ଗଭୀର ଚିନ୍ତନ ର ଆବଶ୍ୟକତା ଅବଶ୍ୟ ରହିଛି l
୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?
ଉ : ମୋର ପ୍ରିୟ ଗାଳ୍ପିକ ହେଉଛନ୍ତି ବ୍ୟାସକବି ଫକୀରମୋହନ ସେନାପତି ଏବଂ ପଦ୍ମଶ୍ରୀ ମନୋଜ ଦାସ୍ l ବ୍ୟାସକବି ମୋହଦୟ ମୋ ଜନ୍ମ ପୂର୍ବରୁ ଇହଲୀଳା ସମ୍ବରଣ କରି ସାରିଛନ୍ତି l ଏବଂ ଦୁର୍ଭାଗ୍ୟବଶତଃ ମନୋଜ ଦାସ୍ ମୋହଦୟ ଗତବର୍ଷ ସାହିତ୍ୟ ଜଗତକୁ ବାପ ଛେଉଣ୍ଡ କରି ଚାଲି ଯାଇଛନ୍ତି l
୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।
ଉ : ବ୍ୟାସକବି ଫକୀରମୋହନ ସେନାପତି ଙ୍କ ରଚିତ ମାମୁଁ, ଲଛମା, ପ୍ରାୟଶ୍ଚିତ,ଛ’ମାଣ ଆଠଗୁଣ୍ଠ, ରେବତୀ… ଇତ୍ୟାଦି l
ପଦ୍ମଶ୍ରୀ ମନୋଜ ଦାସ୍ ଙ୍କ ରଚିତ ଶେଷ ବସନ୍ତର ଚିଠି,ଶେଷ ତାନ୍ତ୍ରିକର ସନ୍ଧାନରେ,ଅମୃତଫଳ,ଆକାଶର ଇସାରା, ଗୋଧୂଳିର ବାଘ, ତନ୍ଦ୍ରାଲୋକର ପ୍ରହରୀ…ଇତ୍ୟାଦି l
୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।
ଉ : ପରିବାର ଲୋକ ଓ ମୋର ପ୍ରିୟଜନ ମାନେ ମୋ ଲେଖା ପ୍ରତି ନିଜର ସ୍ନେହ ଆଦର ଦେଖାନ୍ତି ଏବଂ ଆଶୀର୍ବାଦ ଦେଇ ପ୍ରୋତ୍ସାହିତ କରନ୍ତି l ବିଶେଷ ଭାବରେ ବୋଉ ସମସ୍ତଙ୍କ ଠାରୁ ଅଧିକ ମାର୍ଗଦେଖାଏ ଏବଂ ମୋ ଦ୍ୱାରା ରଚିତ ହେଇଥିବା ଲେଖା ସର୍ବପ୍ରଥମେ ସିଏ ପଢେ ଏବଂ ନିଜର ମତାମତ ରଖେ l
୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?
ଉ : ମୋ ମତରେ ଅର୍ଥାତ ମୋ ପାଇଁ କୌଣସି କବିତା ଏବଂ ପ୍ରବନ୍ଧ ଲେଖିବା ସାମାନ୍ୟ କାଠିକର l
୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?
ଉ : ମୁଁ ମୁଖ୍ୟତଃ ରହସ୍ୟମୟୀ ଉପନ୍ୟାସ ଏବଂ ସାମାଜିକ କାହାଣୀ ଲେଖିବାକୁ ଆଗ୍ରହ ପ୍ରକାଶ କରେ l
୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।
ଉ : ଭବିଷ୍ୟତରେ ମୁଁ ଯେଉଁ ପୁସ୍ତକ ମୁଦ୍ରଣ ନିମନ୍ତେ ଆଶାବାଦୀ ଅଛି, ସେଥିରେ ବିଶେଷତଃ ସମାଜରେ ଥିବା କୁପ୍ରଥା, ଅନ୍ଧବିଶ୍ୱାସ ଏବଂ ସମ୍ପର୍କରେ ଦେଖାଦେଉଥିବା ସନ୍ଦେହ ତଥା ଫାଟ, ଆଉକିଛି ରହସ୍ୟ ଭରା ଗଳ୍ପ ରହିବ l ଯଦ୍ୱାରା ପୁସ୍ତକଟି ପାଠକ ମାନଙ୍କର ହୃଦୟସ୍ପର୍ଶୀ ହେବା ସହ ସମାଜରେ ସଚେତନତା ର ବାର୍ତ୍ତା ପ୍ରେରଣ କରିବ l
୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?
ଉ : ଖୁବ୍ ସ୍ୱଳ୍ପ ଦିନର ପରିଚୟ ଏହି ପ୍ରତିଷ୍ଠାନ ସହ l କିନ୍ତୁ ଏଇ କମ୍ ସମୟରେ ମଧ୍ୟ୍ୟ ଏହାର ବିଶ୍ଵବ୍ୟାପୀ ସୁଦୂରପ୍ରସାରୀ ମାଧ୍ୟମ ଏବଂ ଲେଖକ /ଲେଖିକା ମାନଙ୍କର ଅନ୍ତର ଭାବକୁ ପଢ଼ିବାର ପ୍ରୟାସ ମୋତେ ପ୍ରଭାବିତ କରିଛି l
୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!
ଉ : ଏତେବଡ଼ ପ୍ରତିଷ୍ଠାନରେ ମୋତେ ସୁଯୋଗ ମିଳିଥିବା ହେତୁ ପ୍ରତିଷ୍ଠାତାଙ୍କୁ ମୋର ସାଧୁବାଦ ସହ ପ୍ରଣାମ l ଆପଣଙ୍କ ପ୍ରତିଷ୍ଠାନର ମହନୀୟତା କୁ ରକ୍ଷା କରିବା ନିମନ୍ତେ ମୁଁ ଉଦ୍ୟମ ଜାରୀ ରଖିବି l
୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?
ଉ : ଅଭିଯୋଗ କିମ୍ବା ପରାମର୍ଶ ନିମନ୍ତେ ମୁଁ ନିହାତି ଅଯୋଗ୍ୟ l କେବଳ ଏତିକି କହିବି ଯେ ଏମିତି କୌଣସି ପଦକ୍ଷେପ କେହି ଉଠାନ୍ତୁ ନାହିଁ ଯାହା ଫଳରେ ପ୍ରତିଷ୍ଠାନରେ କଳଙ୍କ ଲାଗିଯିବ l
୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।
ଉ : ଶୀର୍ଷକ – ସାହିତ୍ୟ
ସାହିତ୍ୟ ମହାଦ୍ରୁମ ତଳେ ବସିଥିବା ଦିଗହରା ପଥିକ ଟିଏ ମୁଁ l
ସାହିତ୍ୟ ଫୁଲରୁ ମଧୁ ସଂଗ୍ରହ କରି ସମାଜକୁ ମଧୁରତା ବାଣ୍ଟୁଥିବା ଭ୍ରମର ଟିଏ ମୁଁ l
ମୁଁ ଖଡ୍ଗ ହେଲେ ସେ ମୋ ଧାର,
ମୁଁ କଲମ ହେଲେ ସେ ମୋ ଗାର lସାହିତ୍ୟ ମୋ ପ୍ରେମ,
ସାହିତ୍ୟ ମୋ ଧର୍ମ l
କୋଟି କୋଟି ସାହିତ୍ୟିକ ମୋ ବନ୍ଧୁ lକଲମ ତରଣୀରେ ନାବିକ ଟେ ହେଇ ପାରିହେବି ଦିନେ ସାହିତ୍ୟ ସିନ୍ଧୁ, ପାରିହେବି ଦିନେ ସାହିତ୍ୟ ସିନ୍ଧୁ l
୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?
ଉ : ମୋ ଲେଖାରେ ମୁଁ ସମାଜରେ ଥିବା ଅନ୍ଧବିଶ୍ୱାସ ତଥା କୁପ୍ରଥା କୁ ସର୍ବଦା ପଦାଘାତ କରିବାକୁ ପ୍ରୟାସ ଜାରୀ ରଖିଥିବି l ଯଦ୍ୱାରା ସଚେତନତା ସୃଷ୍ଟି ହେବାର ସମ୍ଭାବନା ଉପୁଜିବ ଏବଂ ନିଷ୍ପେସିତ ଜନ କିଛି ମାତ୍ରାରେ ନ୍ୟାୟ ପ୍ରାପ୍ତ କରିପାରିବେ l
୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?
ଉ : ମୋ ମତରେ ପ୍ରୋତ୍ସାହନ ଏବଂ ପୁରସ୍କାର ର ଆବଶ୍ୟକତା ରହିଛି l ଏହାଦ୍ୱାରା ସର୍ଜନା ଦିଗରେ ଆଗ୍ରହ ବଢିଥାଏ l କିନ୍ତୁ ବିଚାରକ ମଣ୍ଡଳୀ ମାନଙ୍କର ନିରପେକ୍ଷ ରହିବା ଜରୁରୀ, ଏବଂ ପୁରସ୍କାର ନିମନ୍ତେ ଆଶାବାଦୀ ଥିବା ଲେଖକ / ଲେଖିକା ଜଣଙ୍କ ବିଚାରକ ମାନଙ୍କ ଘୋଷଣା କୁ ସମ୍ମାନ ଦେବା ନିହାତି ଜରୁରୀ l
ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୌଣସି ଘୋଷଣାରେ ଭାଙ୍ଗି ପଡ଼ି କିମ୍ବା ଅଧିକ ଉତ୍ସlହିତ ହେଇ ନିଜର ମୂଳକର୍ମ ତଥା ଲେଖାକୁ ପ୍ରଭାବିତ କରିବା ଅନୁଚିତ l
୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।
ଉ : ଅସଫଳତା ହିଁ ବୃହତ୍ ସଫଳତା ର ଫାଟକ l
୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉ : ଏତେ ବଡ଼ ପ୍ରତିଷ୍ଠାନ ସହ ଯୋଡିହେବା ପରେ ମୁଁ ଖୁସିରେ ଆତ୍ମହରା l ପ୍ରତିଷ୍ଠାନ କୁ ନିଜ ଲେଖା ଦ୍ୱାରା ବିଶ୍ୱ ଦରବାରରେ ଆହୁରି ପରିଚିତ କରେଇ ପାରିବି ବୋଲି ମୁଁ ଆଶାବାଦୀ l
ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା,ବାଲେଶ୍ଵର
ଖୁବ ମନଛୁଆଁ ଆପଣଙ୍କର ଉତ୍ତର ସବୁ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।ନିଜ ଲେଖନୀକୁ ଏମିତି ଦୃଢ଼ କରିଚାଲନ୍ତୁ।