ନାମ – ଶ୍ରୀ ଆଦିତ୍ୟ ଦାସ
ପିତାଙ୍କ ନାମ– ଶ୍ରୀ ଗୋଦାବରୀ ଦାସ
ମାତାଙ୍କ ନାମ– ଶ୍ରୀମତୀ ସୌଦାମିନୀ ଦାସ
ଜନ୍ମ ତାରିଖ- ୦୧.୦୭.୧୯୯୩
ଘର ଠିକଣା- ଗ୍ରା/ପ – ବଡ଼ବାଡ଼,
ପୋ-କୋଳିଗାଁ, ଇଚ୍ଛାପୁରମ
ମଣ୍ଡଳ,ଶ୍ରୀକାକୁଲମ ଜିଲ୍ଳା,
ଆନ୍ଧ୍ରପ୍ରଦେଶ -୫୩୨୩୧୨
ଶିକ୍ଷାଗତ ଯୋଗ୍ୟତା– ସ୍ନାତକସ୍ନାତକ,ବି.ଏଡ଼(ହିନ୍ଦୀ),ସି.ଟି(D.El.Ed)
ଇ-ମେଇଲ୍ ଠିକଣା- poetadityadas93@gmail.com
ମୁଖ ପୁସ୍ତିକା/Facebook
https://www.facebook.com/kabiaditya.das
ହେ ପ୍ରିୟ ଯୁବ କବି ଆଦିତ୍ୟ!
ନିମ୍ନଲିଖିତ ପ୍ରଶ୍ନ ସମୂହର ଉତ୍ତର ଦିଅନ୍ତୁ
୧ – ଲେଖାଲେଖି କରିବା ପାଇଁ ଆପଣ କିପରି ଆଗ୍ରହୀ ହେଲେ ଏବଂ କ’ଣ ଏପରି ଘଟଣା ଦୁର୍ଘଟଣା ଅବା ଅନୁଭୂତି ଆପଣଙ୍କୁ ଲେଖିବା ପାଇଁ ପ୍ରେରଣା ଯୋଗାଇଲା, ତାହା ବିଷୟରେ କିଛି ମତାମତ ରଖିବାକୁ ଅନୁରୋଧ ।
ଉ : ୨୦୦୯ ମସିହାରେ କଟକ ସ୍ଥିତ ସହୀଦ ଭବନରେ “ଶତାବ୍ଦୀ ଶିଶୁଲେଖ ” ତରଫରୁ ଆୟୋଜିତ ଏକ କବି ସମ୍ମିଳନୀରେ ମୋ ନନାଙ୍କୁ ସମ୍ବର୍ଦ୍ଧନା(ପାଲାଗାୟକ କ୍ଷେତ୍ରରେ) କରିବାର କାର୍ଯ୍ୟକ୍ରମ ରେ ଯୋଗଦେଇଥିଲି । ଅନେକ କବିଙ୍କ ସମାହାର ଓ ସେମାନଙ୍କ କବିତା ପାଠ ରେ ଖୁବ ଅନୁପ୍ରେରିତ ହେଲି । ସେ ସାହିତ୍ୟ ପରିବେଶଟି ମୋତେ ବହୁତ ଆକର୍ଷିତ କରିଥିଲା ଯେହେତୁ ମୁଁ ସେତେବେଳେ କବିତା ନ ଲେଖିଲେ ବି ସାହିତ୍ୟ ପ୍ରତି ଦୁର୍ବଳତା ଛୋଟ ବେଳୁ ଥିଲା । ସେହିଦିନର ଦୁର୍ଘଟଣା ଟି କବିତା ଲେଖିବାର ପ୍ରେରଣା ଯୋଗାଇଥିଲା ।
୨ – ଆପଣ କିପରି ଭାବେ ଲେଖା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉ : ପାଠପଢ଼ା ପାଠ୍ୟକ୍ରମରେ ସାହିତ୍ୟ ରହିଛି । ତା ସହ ସାହିତ୍ୟରେ ସମାଜ,ଶିକ୍ଷା, ନୀତି ଇତ୍ୟାଦି ଅନ୍ତର୍ଭୁକ୍ତ । ଜୀବନ ଜିଇଁବାର କଳା ବି ସାହିତ୍ୟରୁ ପାଇଥାଉ । ତେଣୁ ସ୍ପଷ୍ଟ ଭାବେ ସ୍ଵତଃପ୍ରବୃତ୍ତ, ଲେଖା-ପାଠପଢ଼ା-ସାମାଜିକ ଜୀବନ ମଧ୍ୟରେ ଏକ ସୁସଂଯତ,ସୁସ୍ଥ,ପରିପୁଷ୍ଟ ସର୍ବସମତା ରକ୍ଷା ହୋଇଯାଏ ।
୩ – ଲେଖିବା ନିମନ୍ତେ କେହି ଆପଣଙ୍କୁ ସାହାଯ୍ୟ କରନ୍ତି କି / ପଥ ପ୍ରଦର୍ଶନ କରନ୍ତି କି / ଭୁଲ୍, ଠିକ୍ ସୂଚନା ଦେଇ ଆଗକୁ ଯିବାକୁ କେହି ପ୍ରେରଣା ଦେଇଛନ୍ତି କି..? ଯଦି ହଁ , ଆପଣ ତାଙ୍କ ସହ କିପରି ପରିଚିତ ହେଲେ ଅବା ତାଙ୍କର କିପରି ସାହାଯ୍ୟ ନେଲେ ସେ ସମ୍ପର୍କରେ କିଞ୍ଚିତ ମତାମତ ରଖନ୍ତୁ ।
ଉ: ଲେଖିବା ପାଇଁ ସାହାଯ୍ୟ ଲୋଡ଼େ ସେହି ପ୍ରଭୁ ଆଉ ମାଁ ଙ୍କ କରୁଣାକୁ ଏବଂ ଲେଖିଲା ପରେ ଲେଖାଟିକୁ ଅନୁଶୀଳନ କରେ ।ଯଦି କିଛି ସ୍ଥାନରେ ନିର୍ଦ୍ଦିଷ୍ଟ ଶବ୍ଦର ବ୍ୟବହାର ଆତ୍ମତୃପ୍ତି ଦିଏନାହିଁ ତେବେ ପରିବର୍ତ୍ତନ କରିବାକୁ ଚେଷ୍ଟା କରେ । ସେ ପରିବର୍ତ୍ତନ ଯେତେବେଳେ ନିଜ ଦ୍ୱାରା ସମ୍ଭବପର ହୋଇପାରେନା ସେତେବେଳେ ନନାଙ୍କୁ ପଚାରେ ବୋଉଙ୍କ ସହ ବି ଆଲୋଚନା କରେ । ସେମାନେ ହିଁ ମୋର ପଥ ପ୍ରଦର୍ଶକ ଓ ପ୍ରେରଣାର ଉତ୍ସ ।
୪ – ଆପଣ ଏକ ଲେଖାକୁ ଆରମ୍ଭ କରିବା ପୂର୍ବରୁ କେଉଁ ସବୁ ବିଷୟ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତି ? ଲେଖାଟିକୁ ଲେଖି ସାରିବା ପରେ କଣ ସବୁ ଇଚ୍ଛା ରଖନ୍ତି ?
ଉ: ଲେଖାଟିର ବିଷୟବସ୍ତୁ ସମ୍ବନ୍ଧୀୟ ତଥ୍ୟ, ଉପଯୁକ୍ତ ଶବ୍ଦପୁଞ୍ଜ ଓ ପ୍ରୟୋଗ କୌଶଳତା,ବିଷୟ ଉପସ୍ଥାପନା ସୋପାନର ସଠିକ କ୍ରମ, ପୂର୍ବ ଧାଡ଼ି ସହ ପରବର୍ତ୍ତୀ ଧାଡ଼ିର ସାମଞ୍ଜସ୍ୟ,ମୂଲ୍ୟବୋଧ,ବାର୍ତ୍ତା,ଛନ୍ଦ,ଅଳଙ୍କାର,ବ୍ୟାକରଣଗତ ଶୁଦ୍ଧତା,ନିଜସ୍ୱ କାବ୍ୟିକ ଚାତୁର୍ଯ୍ୟ,ସ୍ୱର ମାଧୁର୍ଯ୍ୟ,ଭାବ,ରସ ଆଦି ବିଷୟ ପ୍ରତି ଧ୍ୟାନ ଦିଏ ।
୫ – ଜଣେ ଯୁବ ଲେଖକ / ଲେଖିକା ଭାବେ ଆପଣଙ୍କ ଜୀବନର ସବୁଠାରୁ ବଡ଼ ଅନୁଭୂତି କ’ଣ ରହିଛି .. ?
ଉ : ପ୍ରତିଭା ମନୁଷ୍ୟକୁ ଅମର କରେ । ନିଜ ବଂଶର ସର୍ବାଧିକ ୭ ପୁରୁଷଙ୍କ ନାଁ ମନେ ରହେ ଆଉ ତାହା ବି ନିଜ ପରିବାର ଲୋକେ ମନେ ରଖନ୍ତି । କିନ୍ତୁ ଜଣେ ପ୍ରତିଭାବାନ ବ୍ୟକ୍ତିର ନାଁ ୧୦୦ ପିଢ଼ି ଯାଏଁ ବି ଏ ସମାଜ ମନେରଖେ । ତେଣୁ ତ ସେ ଅମର । ସୃଷ୍ଟି କରିବା ସାହିତ୍ୟ ସେମିତି ଚିର ସବୁଜ ଭଳି ହେବା ନିତାନ୍ତ ଜରୁରୀ । ମନ ଭିତରର ଅହଂକାରକୁ ଯେବେ ତ୍ୟାଗ କରି ସତ ସଙ୍ଗରେ ରହିବା,ପିତାମାତାଙ୍କ କଥା ମାନିବା,ସକାରାତ୍ମକ ମୂଲ୍ୟବୋଧ ପୁସ୍ତକ ପଢିବା,ଜୀବନରେ ସେତେ ଉନ୍ନତି କରିପାରିବା ଓ ପିତାମାତା,ପରଂବ୍ରହ୍ମ,ମାଁ କରୁଣାମୟୀ ଙ୍କ ଆଶୀର୍ବାଦ ପ୍ରାପ୍ତିରେ ଏକ ସୁନ୍ଦର ଜୀବନ ଶୈଳୀକୁ ଆପଣେଇପାରିବା ଯାହା କି ଜଣେ ଅନୁଭବୀ ହିଁ ଜାଣେ ।
୬ – “ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉ : ହଁ, ଠିକ । କାହିଁକି ନା ସୃଜନଶୀଳତାର ଅନୁକୂଳ ଉପାଦାନ ଗୁଡ଼ିକ ହେଉଛି ଅନୁଭବ,ଅନୁଭୂତି,ପୁସ୍ତକ ପଠନ ଓ ଗଭୀର ମନନ ତଥା ଚିନ୍ତନ ତତ୍ ସହିତ ମାଁ ସରସ୍ୱତୀ/ଦୈବୀ/ଐଶ୍ୱରୀୟ କୃପା ।
୭ – ତୁମର ପ୍ରିୟ କବି/ଲେଖକ/ଗାଳ୍ପିକ କିଏ ? ସେ କ’ଣ ଏବେ ଏହି ଧରାପୃଷ୍ଠରେ ଜୀବିତ ଅଛନ୍ତି ନା ଇହଧାମ ତ୍ୟାଗ କରି ସାରିଛନ୍ତି ..?
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ କବି ସୂର୍ଯ୍ୟ ବଳଦେବ ରଥ ଙ୍କ ବ୍ୟତୀତ ଅନ୍ୟ ସମସ୍ତ ପ୍ରିୟ କବିମାନେ ଜୀବିତ ଅଛନ୍ତି ।
୮ – ତୁମ ପ୍ରିୟ କବି/ଲେଖକ/ଗାଳ୍ପିକ ମାନଙ୍କର ନାମ ତଥା ସେମାନଙ୍କର ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବାକୁ ଅନୁରୋଧ ।
ଉ: ପ୍ରିୟ କବି : କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ,କବି ସୂର୍ଯ୍ୟ ବଳଦେବ ରଥ
ପୁସ୍ତକ : ବୈଦେହୀଶ ବିଳାସ,ଲାବଣ୍ୟବତୀ, ଅବନା ରସତରଙ୍ଗ,କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଆଦି ସମସ୍ତ ପୁସ୍ତକ ଓ ବଳଦେବ ରଥଙ୍କ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ଆଦି ସୃଷ୍ଟି କୁ ବହୁତ ପସନ୍ଦ କରେ ।
ବର୍ତ୍ତମାନ ସମୟର କବି ମାନଙ୍କ ମଧ୍ୟରେ ଶ୍ରୀମାନ ରାଈରଞ୍ଜନ ନନ୍ଦ,ଶ୍ରୀମତୀ ସଂଘମିତ୍ରା ରାଏଗୁରୁ,ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପଶାଏତ,ଶ୍ରୀଯୁକ୍ତ ଏମ୍.ହିମାଂଶୁ ଆଚାରୀ,ଶ୍ରୀମାନ ଜ୍ଞାନେନ୍ଦ୍ର ପଣ୍ଡା, ଶ୍ରୀମାନ ଦେବାଶିଷ ସେନାପତି, ଶ୍ରୀମାନ ବିଶ୍ୱପ୍ରତାପ ବେହେରା,ଶ୍ରୀମାନ ଶ୍ୟାମସୁନ୍ଦର ଦାଶ ମୋର ପ୍ରିୟ କବି ଅଟନ୍ତି ।
୯ – ଆପଣଙ୍କ ବାପା/ମାଆ, ବନ୍ଧୁ/ପରିବାର ବର୍ଗ ଲେଖାଲେଖିକୁ କେତେ ମାତ୍ରାରେ ପ୍ରୋତ୍ସାହିତ କରନ୍ତି ..? ତଥା ସେମାନେ କେଉଁ ପ୍ରକାରର ଲେଖା ଲେଖିବା ପାଇଁ ଅଧିକ ମାତ୍ରାରେ ପ୍ରେରଣା ଯୋଗାନ୍ତି ..? ଉତ୍ତର ରଖିବେ ବୋଲି ଆଶା ।
ଉ : ପରିବାର ବର୍ଗ ସମସ୍ତେ ୧୦୦ ପ୍ରତିଶତ ଲେଖାଲେଖିକୁ ପ୍ରୋତ୍ସାହିତ କରନ୍ତି । ବିଶେଷ କରି ମୋ ନନା ଏ ଦିଗରେ ମୋ ପାଇଁ ପଥ ପ୍ରଦର୍ଶକ । ପୁରାତନ ରୀତି ଯୁଗୀୟ କାବ୍ୟ ଶୈଳୀ କୁ ଅନୁସରଣ କରିବାକୁ ପ୍ରେରଣା ଯୋଗାନ୍ତି ।
୧୦ – ଆପଣଙ୍କ ମତରେ ଲେଖିବା ପାଇଁ ସବୁଠାରୁ କଷ୍ଟକର କ’ଣ ହୋଇଥାଏ ..?
ଉ: କୁସଙ୍ଗ ଯୋଗୁଁ କବିତା ଲେଖିବା ପାଇଁ ଆବଶ୍ୟକୀୟ ପବିତ୍ର ସକାରାତ୍ମକ ମାନସିକ ଉତ୍ତେଜନା ହ୍ରାସ ହୁଏ । ତେଣୁ କୁସଙ୍ଗ ଲେଖାଲେଖି ପାଇଁ ପ୍ରତିବନ୍ଧକର କାନ୍ଥଟିଏ ହୋଇ ଛିଡ଼ାହୋଇଯାଏ ।
୧୧ – ଆପଣ ମୁଖ୍ୟତଃ ସାହିତ୍ୟର କେଉଁ କେଉଁ ବିଭାଗରେ ଲେଖାଲେଖି କରନ୍ତି ..?
ଉ : କେବଳ କବିତା ବିଭାଗରେ ଜଣାଣ,ମାଳିକା,ଚଉତିଶା,ଓଡ଼ିଶୀ,ଆଧ୍ୟାତ୍ମିକ ଚେତନାଧର୍ମୀ, ନାରୀ ସୌନ୍ଦର୍ଯ୍ୟ ବର୍ଣ୍ଣନା, ପ୍ରେମ, ବିରହ,ମାନ ଭଞ୍ଜନ ଆଦି ଲେଖାଲେଖି କରେ ।
୧୨ – ଆପଣଙ୍କର କିଛି ପୁସ୍ତକ ପ୍ରକାଶିତ ହୋଇଛି କି ଅବା ପ୍ରକାଶିତ ହେବା ପାଇଁ ଅପେକ୍ଷାରେ ରହିଛି କି ..? ଯଦି ହଁ.., ତେବେ ସେହି ପୁସ୍ତକରେ କେଉଁ ସବୁ ବିଷୟ ଉପରେ ବିଶେଷ ଭାବରେ ଆଲୋକପାତ କରିଛନ୍ତି ଯାହା ଫଳରେ ତାହା ପାଠକାଦୃତି ଲାଭ କରିବ ବୋଲି ଇଚ୍ଛା ବାଢ଼ୁଛନ୍ତି ତାହା ନିଶ୍ଚିତ ଜଣାଇବେ ।
କିମ୍ବା
ଆପଣଙ୍କ ର ପୁସ୍ତକ ଅବା ସଙ୍କଳନ ଯଦି ଭବିଷ୍ୟତରେ ପ୍ରକାଶିତ ହୁଏ , ସେଥିରେ କେଉଁ ସବୁ କଥା ଉପସ୍ଥାପନ କରିବେ ଯାହା ପାଠକ ମାନଙ୍କ ମନରେ ସ୍ୱତନ୍ତ୍ର ପ୍ରଭାବ ସୃଷ୍ଟି କରି ପାରିବ ବୋଲି ଭାବୁଛନ୍ତି ତାହା ବ୍ୟକ୍ତ କରିବାକୁ ଅନୁରୋଧ ।
ଉ: ଏକ ପୁସ୍ତକ ପ୍ରକାଶିତ ହୋଇଛି ଯେଉଁଥିରେ ଅବନା ଶବ୍ଦର ବ୍ୟବହାର ସ୍ୱତନ୍ତ୍ରତା ବହନ କରୁଛି ।
ଆଗାମୀ ଦିନରେ ଯେଉଁ ପୁସ୍ତକ ପ୍ରକାଶ କରିବାକୁ ମନସ୍ଥ କରିଛି,ସେଥିରେ ସମସ୍ତ ଛନ୍ଦମୟ ରୀତିଯୁଗୀୟ କବିତା ଓ ଚଉତିଶା ସ୍ଥାନୀତ ହେବ ଯାହା ଦ୍ୱାରା ପାଠକମାନେ ବିଭିନ୍ନ ଛନ୍ଦ ବିଷୟରେ ଏକ ଧାରଣା ପାଇବା ସହ ସାହିତ୍ୟରେ ସଙ୍ଗୀତ ର ସମ୍ପର୍କ ରକ୍ଷା କରି ତାର ରସସୁଧା ପାନ କରିବେ । ବିଶେଷ ଭାବରେ ପାଲା,ଦାସକାଠିଆ,ଭାରତଲୀଳା ଆଦି ପ୍ରାଚୀନ ଲୋକ କଳା ପାଇଁ ଉଦ୍ଦିଷ୍ଟ ।
୧୩ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..?
ଉ: କ. ଭାଷା ସାହିତ୍ୟ କୁ ବଞ୍ଚାଇ ରଖିବାର ଦୃଢ଼ ପ୍ରତିଜ୍ଞାବଦ୍ଧତା
ଖ. ଯେ କୌଣସି ପରିସ୍ଥିତିରେ ବି ଆଗକୁ ଯିବାର ଦୁର୍ବାର ସାହସ
ଗ. କବିତା ଆସରରେ ସମାୟାନୁବର୍ତ୍ତିତା ଅନୁସରଣ
ଘ. ଯୁବ ପ୍ରତିଭା ମାନଙ୍କୁ ଆଗକୁ ବଢ଼ିବାରେ ସହଯୋଗ ଓ ମାର୍ଗଦର୍ଶକ ମାନଙ୍କୁ ଚୟନ କରି ସେମାନଙ୍କ ଦ୍ବାରା ସୁପରିଚାଳନା।
ଙ. କୌଣସି ବିଶେଷ ଅଭିଯାନ/କାର୍ଯ୍ୟକ୍ରମରେ ଏକ ନିର୍ଦ୍ଦିଷ୍ଟ ପରିପକ୍ୱ ପଦ୍ଧତି କୁ ଅବଲମ୍ବନ କରିବା ।
୧୪ – ବିଶ୍ୱକବି ସଙ୍ଗଠନ, ଇଟାଲୀ ତଥା ବିଶ୍ୱ ଲେଖକ ସଙ୍ଗଠନ , କାଜାକ୍ଷୀସ୍ଥାନ ଦ୍ଵାରା ପ୍ରେରିତ ସମସ୍ତ ନୀତି ନିୟମ ଏବଂ କଟକଣାକୁ ସମ୍ମାନ ଜଣାଇ ସୂର୍ଯ୍ୟୋଦୟ ପରିବାର ପ୍ରଯୋଜିତ ଯୁବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଛନ୍ତି, ଏକଥା ଆପଣ ଜାଣିଛନ୍ତି ତ ..? ସେ ବିଷୟ ସମ୍ପର୍କିତ କିଛି ମତାମତ ରଖିବେ କି…!
ଉ : ହଁ, ଅବଗତ ଅଛି । ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଆନ୍ତର୍ଜାତିକ ସଂସ୍ଥା ଯିଏ କି ସାହିତ୍ୟ ସର୍ଜନାର ନବ କଳିକା ମାନଙ୍କୁ ବିଶ୍ୱ ସ୍ତରୀୟ ମଞ୍ଚରେ ସାମିଲ କରେଇ ସେମାନଙ୍କ ସାହିତ୍ୟ ବିକାଶର ପ୍ରତ୍ୟେକ ସୋପାନରେ ମାର୍ଗଦର୍ଶକ ହୋଇପାରିଛି । ତେଣୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ସଦା ଏ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରୁଛି ।
୧୫ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଖରେ ଆପଣଙ୍କ କିଛି ଅଭିଯୋଗ ରଖିବେ କି..! ଅବା କିଛି ପରାମର୍ଶ ଦେବେ କି ..?
ଉ : କୌଣସି ଅଭିଯୋଗ ନାହିଁ । କିଛି ପରାମର୍ଶ ର ଆବଶ୍ୟକତା ନାହିଁ । କେବଳ ଏ ପ୍ରତିଷ୍ଠାନ ର ପ୍ରତିଷ୍ଠାତା ଓ ସମସ୍ତ କର୍ମକର୍ତ୍ତା ଙ୍କ ଠାରେ କୃତଜ୍ଞ ।
୧୬- ଆପଣଙ୍କ ମତରେ ଆପଣଙ୍କ ପାଇଁ ସାହିତ୍ୟ କଣ ? ଛୋଟ କବିତାଟିଏ ମାଧ୍ୟମରେ ପ୍ରକାଶ କରିବାକୁ ଅନୁରୋଧ ।
ଉ:
ଜୀବନର ମହାନଦୀ ପାର ହେବା ପାଇଁ,
ସାହିତ୍ୟର ସେତୁଟିଏ ଅଛି ବନ୍ଧା ହୋଇ ।
ଗୋଟିଏ କୂଳ ଜନମ ଆରେକ ମରଣ,
ତା ମଧ୍ୟରେ ବହୁଅଛି ଜୀବନର ବନ ।
ସାହିତ୍ୟର ଆଦ୍ୟ ପ୍ରାନ୍ତ ଅଟେ ସ ତ ବର୍ଣ୍ଣ,
ସେତୁ ବୋଲି ସାହିତ୍ୟକୁ କରିଲି ବଖାଣ ।
ସେ ଆଉ ତୁ ମଧ୍ୟେ ସମ୍ପର୍କ ଯେ ଯୋଡ଼େ,
ସେହି ଯେ ସାହିତ୍ୟ ସେତୁ ମଣିଷକୁ ଗଢ଼େ ।
ସାହିତ୍ୟ ବିନା ଜୀବନ ହୁଏ ବିପର୍ଯ୍ୟସ୍ତ,
ଅତ କହି ଏ ଗୀତରେ ଭଣିଲେ ଆଦିତ୍ୟ ।
୧୭ – ସାହିତ୍ୟ ସାଧନାରେ ନିଜକୁ ବ୍ରତୀ ରଖି ଆପଣ କେଉଁ କେଉଁ ମାଧ୍ୟମରେ ସମାଜର ମଙ୍ଗଳ କରି ପାରିବେ ..?
ଉ: ସାହିତ୍ୟ ସାଧନାରେ ବ୍ରତୀ ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମ,ଆଧ୍ୟାତ୍ମିକ ବିଚାର ଧାରା,ସମାଜ ସହିତ ସୁ ସମ୍ପର୍କ ସ୍ଥାପନ,ପୌରାଣିକ ବିଷୟ ଚର୍ଚ୍ଚା ଆଦି ମାଧ୍ୟମରେ ସମାଜର ମଙ୍ଗଳ କରିବା ଦିଗରେ ସଦା ଚେଷ୍ଟିତ ।
୧୮ – ଆପଣଙ୍କ ମତରେ ପୁରସ୍କାର ବା କୌଣସି ପ୍ରକାର ପ୍ରୋତ୍ସାହନ ସାହିତ୍ୟ ସର୍ଜନା ଦିଗରେ ଆବଶ୍ୟକୀୟ ମନେ ହୁଏ କି..?
ଉ : ହଁ । ଏହାର ସ୍ପଷ୍ଟୀକରଣ ପରବର୍ତ୍ତୀ ପ୍ରଶ୍ନର ଉତ୍ତରରେ ରହିଛି ।
୧୯ – ଯଦି ଜଣେ ପୁରସ୍କାର ପାଇବାରୁ ବଞ୍ଚିତ ରହେ, ତାହା ଦ୍ଵାରା ତା’ର ସୃଷ୍ଟି କରିବାର ଦକ୍ଷତା ଏବଂ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ କି..? ଆପଣଙ୍କ ନିଜସ୍ଵ ମତବ୍ୟକ୍ତ ପାଇଁ ଅନୁରୋଧ ।
ଉ : ନିଶ୍ଚିତ ଭାବେ ଅନ୍ତର୍ନିହିତ ପ୍ରତିଭା ପ୍ରଭାବିତ ହୁଏ । କେବଳ ଏତିକି ନୁହଁ ସାଧାରଣ ସଭାରେ ବି ଉତ୍ସାହିତ କରିବା ପାଇଁ କରତାଳି ର ଆବଶ୍ୟକତା ରହିଛି ।କାରଣ ପ୍ରତିଭା ଓ ପ୍ରେରଣା ଉଭୟ ପରସ୍ପର ପରିପୂରକ । କିନ୍ତୁ ପୁରସ୍କାରରୁ ବଂଚିତ ହେବାର ମାନେ ନୁହଁ ଯେ କେବଳ କୌଣସି ଅନୁଷ୍ଠାନ ତରଫରୁ ମାନପତ୍ର/ସମ୍ବର୍ଦ୍ଧନା ରୁ ବଞ୍ଚିତ ହେବା । ଅସଲି ପୁରସ୍କାର ତ ତାହା ଯେବେ ଜଣେ ବ୍ୟକ୍ତିର ପ୍ରତିଭାକୁ ନେଇ ନିଜ ଅଞ୍ଚଳର ଲୋକେ ଗର୍ବ ଅନୁଭବ କରିବେ ଓ ସମ୍ମାନ ଦେବେ । ଏହି ପୁରସ୍କାରଟି ନୋବେଲ ପୁରସ୍କାର ଠାରୁ ବି କିଛି କମ ନୁହଁ । ହଁ ,ଏଥିରେ ସନ୍ଦେହ ବି ନାହିଁ ଯେ ,କୌଣସି ପ୍ରତିଭାକୁ ନେଇ ସେ ଅଞ୍ଚଳ ଗର୍ବିତ ନୁହଁ । ଏହା ଜଣେ ପ୍ରତିଭାଧାରୀର ବ୍ୟକ୍ତିଗତ ପ୍ରବୃତ୍ତି ଉପରେ ନିର୍ଭର କରେ ଯେ ସେ କେଉଁ ପ୍ରକାର ପୁରସ୍କାର କୁ ଅଗ୍ରାଧିକାର ଦେବେ ।
୨୦ – ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉ : ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର ଅଭିଯାନରେ ସାମିଲ ହୋଇ ନିଜର ପ୍ରତିଭାକୁ ବିଶ୍ଵଦରବାରରେ ଉପସ୍ଥାପନ କରିବା ପୂର୍ବକ ଅନେକ ଅନୁଭୂତିକୁ ସାଉଁଟିବାର ସୁଯୋଗ ପାଇ ନିଜକୁ ଖୁବ ଭାଗ୍ୟବାନ ମଣୁଛି । ଏ ଖୁସି ଅବ୍ୟକ୍ତ,ଅବର୍ଣ୍ଣନୀୟ । ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଠାରେ ଏ ଅଧମ ଚିର ଋଣୀ ।
ସୌଜନ୍ୟ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର
2,063 total views, 1 views today
ଅତି ଉଚ୍ଚକୋଟୀର ଶବ୍ଦ ମାନଙ୍କୁ ସଜେଇ ଉତ୍ତର ରଖିଛନ୍ତି ଆପଣ ।ଅଜସ୍ର ସାଧୁବାଦ ।
ଭାଇ ଉତ୍ତର ସବୁରେ ଆତ୍ମ ସନ୍ତୋଷ ମିଳିଲା…. ଢେର୍ ସାରା ଶୁଭେଚ୍ଛା…
ମୁଁ ସବୁବେଳେ କୁହେ ମୋ ଭାଇ ଜଗନ୍ନାଥ, ମୋ ପ୍ରଭୁ ଜଗନ୍ନାଥ । ଏମିତି ଆମେ ଶ୍ରଦ୍ଧା ରେ ,ହସ ଖୁସିରେ ଜୀବନକୁ ବିତେଇଦେବା । ଆଉ ସେ ପ୍ରଭୁ ରାଈରଞ୍ଜନ ଙ୍କ କୃପା ବି ରହିଥାଉ ଆମ ଉପରେ ।
Ati Sundar
ଧନ୍ୟବାଦ ଭାଇ ।
ମୋ ପ୍ରିୟ ଆଦିତ୍ୟ ଭାଇନାଙ୍କ ପାଇଁ ଆମ ଅଞ୍ଚଳ ସଦା ଗର୍ବିତ ଅଟେ l SLF ରେ ଯୋଗ ଦେଇ ଆମ ଅଞ୍ଚଳ ପାଇଁ ଉଦାହରଣ ସୃଷ୍ଟି କରିଛ ଭାଇନା l
ସୁନ୍ଦର ଉପସ୍ଥାପନା
ଆଦିତ୍ୟ ଭାଇନା l
ସମସ୍ତ ପ୍ରଶ୍ନ ର ଉତ୍ତର ଅତି ସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି ଭାଇ.. ଆଉ ଦୁଇପାଦ ଆଗକୁ ବଢ଼ି ଆସନ୍ତୁ.. ବିଶ୍ୱ ଦରବାରରେ ନିଜକୁ ପରିଚିତ କରନ୍ତୁ.. ହୃଦୟରୁ ଅଜସ୍ର ଭଲପାଇବା ଓ ଅଭିନନ୍ଦନ … ମହାପ୍ରଭୁ ଜଗନ୍ନାଥ ଅପାର କରୁଣା ଢାଳିଦିଅନ୍ତୁ ଆପଣଙ୍କ ଉପରେ.. ଜୟ ଜଗନ୍ନାଥ ❤❤❤❤
ଅଜସ୍ର ଆନ୍ତରିକ ଧନ୍ୟବାଦ ଭଉଣୀ । ଶ୍ରଦ୍ଧା ରୂପକ ଆଶୀର୍ବାଦ ଢାଳୁଥାନ୍ତୁ
ବହୁତ ସୁନ୍ଦର ଉତ୍ତର ରଖିଛ ସଙ୍ଗାତେ…….
ଧନ୍ୟବାଦ ସଙ୍ଗାତେ…
ବହୁତ ସୁନ୍ଦର ଉପସ୍ଥାପନା ହୋଇଛି। କବି ଟି ଯେତେବେଳେ କଥା କୁହେ ସେ ଖୁବ୍ ଗଭୀର କୁ ଯାଇ ଆଲୋଚନା କରେ। ଆପଣଙ୍କ ଉତ୍ତର ସବୁ ହୃଦୟକୁ ଛୁଇଁଲା। ☺️
ହୃଦୟର ନିଭୃତ କୋଣରୁ ଧନ୍ୟବାଦ ଜ୍ଞାପନ କରୁଛି ।
All the best Aditya Bhai ❤️❤️
THANK YOU SO MUCH BRO
ବହୁତ୍ ସୁନ୍ଦର୍ ଭାଇ, ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।
ଧନ୍ୟବାଦ ଭଉଣୀ ।