ଶୀର୍ଷକ- *ବୁଢାଶଙ୍ଖାରି ଏକ ଦୁଃଖଦ ଭରା କାହାଣୀ*
ସାହିତ୍ୟ…!
ପୁଣି ଆମ ଓଡିଆ ସାହିତ୍ୟ,ଯେଉଁଥିରେ ରସାମୟ ଶବ୍ଦପୁଞ୍ଜ ସହିତ ସୌନ୍ଦର୍ଯ୍ୟାଶ୍ରିତ ମହାନ ଭାବନା ରାଜି ଭରି ରହିଥାଏ।ଯେଉଁ ରସଯୁକ୍ତ ଶବ୍ଦପୁଞ୍ଜ ବିଷାଦମୟ ଜୀବନକୁ କରିପାରେ ରସାସକ୍ତ ପୁଣି ପାଠକଙ୍କୁ ଚଖାଇ ପାରେ କେବେ ଆନନ୍ଦର ସ୍ବାଦ ତ କେବେ ନିରାନନ୍ଦର ସ୍ବାଦ।ସାହିତ୍ୟର ସୌନ୍ଦର୍ଯ୍ୟ ପୂର୍ଣ୍ଣ ଭାବନା କାଷ୍ଠକୁ ବି କରିପାରେ ଚନ୍ଦନ ପୁଣି ନିର୍ଜୀବ ଦେହରେ ସଞ୍ଚାରି ପାରେ ଚଞ୍ଚଳପ୍ରାୟ ପ୍ରାଣ ପିଣ୍ଡୁଳା।
ଓଡ଼ିଆ ସାହିତ୍ୟ ଜଗତର ତଥା ଜଣେ ଜଣାଶୁଣା ଭାରତୀୟ-ଓଡ଼ିଆ କବି ଭାବରେ ପରିଚିତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର।ସେ ଓଡ଼ିଶାର ରାଜ୍ୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ” ରଚନା କରି ସର୍ବତ୍ର ପରିଚିତ। ସେ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ,ନାଟକ,ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ।ଯେଉଁଥିରୁ ଜଣା ପଡେ ସେ ବହୁମୁଖୀ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ଥିଲେ ।କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ୧୮୮୮ ମସିହା ଡିସେମ୍ବର ମାସ ୯ ତାରିଖ କଟକ ଜିଲ୍ଲାର ବାଖରାବାଦର ଧୂଆଁପତ୍ରିଆ ଗଳିର ଏକ ବାସଗୃହରେ ପିତା ଚୌଧୁରୀ ଭାଗବତ ପ୍ରସାଦ ଓ ମାତା ରାଧାମଣି ଦେବୀଙ୍କ କୋଳରେ ପ୍ରଥମ ସନ୍ତାନ ଭାବରେ ଜନ୍ମଗ୍ରହଣ କରିଥିଲେ।ତାଙ୍କ ପୈତୃକ ଗ୍ରାମ ହେଉଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ତାଳପଦା। ସେ ମାଣବସା ଗୁରୁବାର ତିଥିରେ ଜନ୍ମ କରିଥିବାରୁ ମା’ଲକ୍ଷ୍ମୀଙ୍କ ନାମ ଅନୁସାରେ ତାଙ୍କ ନାମ ଲକ୍ଷ୍ମୀକାନ୍ତ ବୋଲି ରଖାଯାଇଥିଲା।ତାଙ୍କ ପିତା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ବିହାର-ଓଡ଼ିଶା ବିଧାନ ସଭାରେ ୪ ଥର ପ୍ରତିନିଧିତ୍ୱ କରିଥିଲେ ଓ ସେଥି ମଧ୍ୟରୁ ଦୁଇଥର ଉପ-ବାଚସ୍ପତି ଦାୟିତ୍ୱ ନିର୍ବାହ କରିଥିଲେ ।କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବାଲେଶ୍ବର ସୁନହଟ ଜମିଦାର ଲାଲମୋହନ ଦାସଙ୍କ କନ୍ୟା ଲବଙ୍ଗଲତାଙ୍କୁ ବିବାହ କରିଥିଲେ ଏବଂ ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଓ ଜନପ୍ରିୟ ଲେଖକ ନିତ୍ୟାନନ୍ଦ ମହାପାତ୍ର ଥିଲେ ତାଙ୍କର ପୁତ୍ର ।ଅସହଯୋଗ ଆନ୍ଦୋଳନ ଏବଂ ଲବଣ ସତ୍ୟାଗ୍ରହ କାନ୍ତକବିଙ୍କର ପରିବାର ଉପରେ ଏକ ଗଭୀର ପ୍ରଭାବ ପକାଇଥିଲା । ଏହି ସବୁ ଆନ୍ଦୋଳନର ସୂତ୍ରଧାର ମହାତ୍ମା ଗାନ୍ଧୀଙ୍କ ଆହ୍ୱାନ ଲକ୍ଷ୍ମୀକାନ୍ତଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଦେଶପ୍ରେମରେ ବୁଡ଼େଇଦେଲା।ସେହି ସମୟରେ ସାଧାରଣ ଜନତାଙ୍କୁ ଏହି ସବୁ ଆନ୍ଦୋଳନରେ ଯୋଗଦାନ ଉଦ୍ଦେଶ୍ୟରେ ପ୍ରବର୍ତ୍ତାଇବା ପାଇଁ ଏବଂ ସେମାନଙ୍କୁ ଜାତୀୟତା ପ୍ରତି ଆକର୍ଷିତ କରିବା ପାଇଁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ନିଜର କଲମର ସାହାଯ୍ୟ ନେଇଥିଲେ ଏବଂ ଗଳ୍ପ, ଉପନ୍ୟାସ, ନାଟକ ଓ କବିତାମାନ ରଚନା କରି ଲୋକମାନଙ୍କ ମଧ୍ୟରେ ଦେଶପ୍ରେମ ବଢ଼ାଇବାରେ ଲାଗି ପଡ଼ିଥିଲେ ।
ତାଙ୍କ ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ ଉପନ୍ୟାସ କଣାମାମୁଁ ଓ କ୍ଷୁଦ୍ରଗଳ୍ପ ବୁଢ଼ା ଶଙ୍ଖାରୀ,ସ୍ୱରାଜ ଓ ସ୍ୱଦେଶୀ କବିତା ସଂକଳନ ତଥା “ଡିମ୍ବକ୍ରେସି ସଭା”, “ହନୁମନ୍ତ ବସ୍ତ୍ରହରଣ”, “ସମସ୍ୟା” ଆଦି ବ୍ୟଙ୍ଗ ନାଟକ ଅନ୍ୟତମ ।
ପ୍ରେମ ଓ ସୌନ୍ଦର୍ଯ୍ୟରେ ଭରପୁର ଆମ ସଂସାର।ଯେଉଁଥିରେ ସୃଷ୍ଟି ହୋଇଛୁ ଆମେ ଏବଂ ସର୍ବସ୍ବ।କବିଙ୍କ ସ୍ବତନ୍ତ୍ର ସୃଷ୍ଟି “ବୁଢାଶଙ୍ଖାରି”କ୍ଷୁଦ୍ରଗଳ୍ପଟି କରୁଣା,ପ୍ରେମ,ସୌନ୍ଦର୍ଯ୍ୟ ଓ ମଣିଷ ହୃଦୟର ଭାବାବେଗକୁ ଅତି ନିଖୁଣ ଭାବରେ ଉପସ୍ଥାପନ କରିଛନ୍ତି।
ଏହି ଗଳ୍ପଟିରେ ଗ୍ରାମ୍ୟ ଜୀବନଯାପନର ଶୈଳୀ,ଚୁଡିର ଆଦର,ନାରୀ ସଂଯମତାଗୁଣ(ଲଜ୍ୟା),ପର୍ବପର୍ବାଣିର ବିଶେଷତ୍ବ,ପ୍ରତିଶ୍ରୁତିବଦ୍ଧତା,ମାନବୀୟ ଆବେଗର ମୂଲ୍ୟକୁ ଗାଳ୍ପିକ ଭିନ୍ନ ଢଙ୍ଗରେ ଉପସ୍ଥାପନା କରିଛନ୍ତି।ପୁଣି ହିନ୍ଦୁ ଧର୍ମର ପ୍ରଥା ପରମ୍ପରା, ରୀତିନୀତି, ଗ୍ରାମ୍ଯ ସମାଜରେ ନାରୀର ମର୍ଯ୍ଯାଦା, ବାରମାସର ପାଳିତ ପର୍ବ ଓ ଛଅଋତୁ ପ୍ରସଙ୍ଗକୁ ମ
ସୁନ୍ଦର ଭାବରେ ସ୍ଥାନ ଦେଇଛନ୍ତି,ଯାହା ପାଠକଙ୍କୁ ହୃଦୟକୁ ଛୁଇଁଯିବ।
ଗଳ୍ପରେ ଚାରୋଟି ଚରିତ୍ର:-ଶଙ୍ଖାରି ବୁଢା,ଦାସୀ,ଶାଶୁ ଏବଂ ନୂଆ ବୋହୂ। ଶଙ୍ଖାରି ବୁଢ଼ାଟିଏ ପ୍ରତିଦିନ ଗାଁ ଗାଁ ବୁଲି ଶଙ୍ଖା(କାଚ-ହସ୍ତ ନିମିତ୍ତ ଅଳଙ୍କାର)ବିକ୍ରି କରେ ।ହଠାତ୍ ଦିନେ ଉଦୁଉଦିଆ ଦିପ୍ରହ ସମୟରେ ଗୋଟିଏ ଗାଁରେ ପ୍ରବେଶ କରି ଦାଣ୍ଡରେ ଯାଉଥିବା ବେଳେ ଥକ୍କା ମେଣ୍ଟାଇବା ପାଇଁ ବୁଢ଼ାଟି ଗାଁ ମୁଣ୍ଡରେ ଥିବା ଗୋଟିଏ ଘରର ପିଣ୍ଡା ଉପରେ ବୋଝଟି ଥୋଇ ଦେଇ ବସିପଡି ସେ ଘରର ଦାସୀକୁ ତୃଷା ମେଣ୍ଟାଇବା ପାଇଁ ମାଗିଛି ପାଣି ଲୋଟାଏ ପିଇବାର କଥାରୁ ଜାଣିବାକୁ ମିଳିଛି:- ମାନବତା/ମାନବିକତା ବଞ୍ଚି ରହିଛି।ପୁଣି ଗ୍ରାମ୍ଯଜୀବନରେ ଜାତି ଭେଦ କମା ହେବାର ଉଦ୍ଦେଶ୍ୟରେ ଦାସୀ ତାକୁ ଭିତର ବାରଣ୍ଡାକୁ ଡାକି ନେଇଛି। ଘର ଭିତରୁ ବୋହୂଟିଏ ଆସି ବୁଢ଼ା ପାଖରେ ଠିଆ ହୋଇ ଶଙ୍ଖା ଦେଖିଲା ବେଳେ ଓଢ଼ଣା ଫାଙ୍କରୁ ତା’ର ସୁନ୍ଦର ଗୋରା ମୁହଁଟିର ଗଢଣଟିକୁ ଦେଖି ବୁଢ଼ାର ଅପୂର୍ବ ଆନନ୍ଦରେ ବିଭୋର ହୋଇଉଠିବାର କଥା ବର୍ଣ୍ଣିତ ହୋଇଛି। ଏତେ ସୁନ୍ଦର ମୁହଁର ବୋହୂଟିକୁ ଥରେ ମା’ ବୋଲି ଡାକିବା ପାଇଁ ବୁଢ଼ା ମନ କରିଛି ଏବଂ ଗାଳ୍ପିକ ବୋହୂକୁ ଗୋଟିଏ ଚାଉଳରେ ଗଢା ବୋଲି ଲେଖିଛନ୍ତି।ମା’ ବୋଲି ଡାକି ବୁଢାଟି ହୃଦୟରୁ ଯେମିତି ସମ୍ପର୍କଟେ ଯୋଡି ହୋଇଯାଛି ବୋହୂ ସହିତ।ବୋହୂକୁ ମା’ ବୋଲି ଡାକି ତା’ ପସନ୍ଦର ମୁତାବକ ଶଙ୍ଖା ବାଛି ନେବା ପାଇଁ କହିବା ସମୟରେ ବୋହୂଟି “ଆସମାନତାରା ଶଙ୍ଖା” ପସନ୍ଦ କରିଛି। ମାତ୍ର,ବୁଢ଼ା ପାଖରେ ସେତେବେଳେ “ଆସମାନତାରା ଶଙ୍ଖା” ନ ଥିବାରୁ ଶଙ୍ଖାରି ବୁଢା ମନ ଦୁଃଖ ହୋଇଯାଇଛି।ଆଗାମୀ ରଜ ସଂକ୍ରାନ୍ତି ପୂର୍ବରୁ ସେ ଶଙ୍ଖା ଗଢି ଆଣି ଦେବ ବୋଲି ପ୍ରତିଶ୍ରୁତି ଦେଇଛି ଏଠାରେ ପ୍ରତିଶ୍ରୁତିବଦ୍ଧତାର ଝଲକ ଦେଖିବାକୁ ମିଳିଛି।। ବୋହୂଟିକୁ ବୁଢା ତା’ ନିଜ ମନ ପସନ୍ଦର ଆଉ କିଛି ଶଙ୍ଖା ବାଛି ପିନ୍ଧାଇ ଦେବାକୁ ଚାହିଁ ଥିବାବେଳେ ବୋହୂଟି ବୁଢ଼ା ପାଖରୁ ଶଙ୍ଖା ପିନ୍ଧିବାକୁ ସଂକୋଚ ମନ କରିଛି:-ଏଥିରୁ ଜଣାପଡେ ବୋହୂଟିର ନାରୀ ସୁଲଭଗୁଣ(ଲଜ୍ୟା) କଥା। ବୋହୂଟିର କୋମଳ ହାତରେ ଖୁବ୍ ଯତ୍ନର ସହ ସ୍ନେହ ଭାବନାରେ ସେ ବୋହୂଟି ହାତରେ ପିନ୍ଧାଇ ଦେଇଛି ଶଙ୍ଖା । ବୋହୂଟିର ହାତଟି ବୁଢ଼ା ହାତ ଭିତରେ ଥିବା ବେଳେ ବୁଢ଼ାର ମନ ଆନନ୍ଦରେ ଭରି ଉଠୁଛି, ମନେ ହୋଉଛି ଯେମିତି ଜୀବନର ସବୁ ସୁଖ ଓ ଆଶ୍ବସ୍ତି ଯେମିତି କ୍ଷଣିକ ଭିତରେ ମିଳିଯାଇଛି।ତେଣୁ ସେ କୋମଳ ହାତଟିକୁ ନିଜ ହାତ ମୁଠାରୁ ଛାଡ଼ିଦେବାକୁ ମନ କହୁ ନଥିଲେ ମଧ୍ୟ ଶଙ୍ଖା ପିନ୍ଧାଇ ସାରିବା ପରେ ବୋହୂର ହାତଟି ଛାଡ଼ି ଦେଇଛି କିନ୍ତୁ ଭାବିଛି ପ୍ରତିଦିନ ସେଇ ହାତରେ ଆସି ସେ ଏମିତି ଶଙ୍ଖା ପିନ୍ଧାଇ ଦିଅନ୍ତା କି! ଏହି ସମୟରେ ଶାଶୁଙ୍କର ଉପସ୍ଥିତିରେ ବୋହୂଟି ସେଠାରୁ ଚାଲିଯାଇଛି।ଶାଶୁ ଆସି ବୁଢ଼ାକୁ ଶଙ୍ଖାର ଦାମ୍ ପଚାରିଛନ୍ତି ‘‘ମା’ଠାରୁ ପୁଅ କ’ଣ ଦାମ୍ ନିଏ ?” କହି ବୁଢ଼ା ଶଙ୍ଖାର ଦାମ୍ ନେଇନାହିଁ ଓ ବୋଝଟିକୁ ଧରି ଏକମୁହାଁ ହୋଇ ଗାଁ ଦାଣ୍ଡକୁ ଓହ୍ଲାଇ ଆସିଛି:-ଏଥିରୁ ବାରି ହୁଏ ପ୍ରେମ ଓ ସର୍ମପଣ ଭାବ । ଏଣିକି ଦୁଇ ତିନି ଦିନରେ ଥରେ ଶଙ୍ଖା ବିକିବାକୁ ଗାଁକୁ ଆସିବା ବୁଢ଼ାର ଅଭ୍ୟାସରେ ପରିଣତ ହେଲା । ଶଙ୍ଖା କେହି କିଣୁ ଅବା ନ କିଣୁ ବୁଢ଼ା କିନ୍ତୁ ଆସେ ଉଦ୍ଦେଶ୍ୟ କେବଳ ତା’ର ମା’ଟିକୁ ଦେଖିବା। ଶଙ୍ଖାରି ବୁଢାର ଡାକ ଶୁଭିଲେ ବୋହୂଟି ଆସି ଦୁଆର ପାଖରେ ଠିଆହୁଏ । ତାକୁ ଦେଖୁଦେଲା କ୍ଷଣି ବୁଢ଼ାର ମନ ପୁରିଉଠେ ।ସମୟର ଅନ୍ତରାଳରେ ଦିନଗଡିଯାଇଛି,ଋତୁ ମଧ୍ୟ ପରିବର୍ତ୍ତନ ହୋଇଛି।ବାର୍ଦ୍ଧକ୍ୟ ଅବସ୍ଥାରେ ଶାରୀରିକ ପରିଶ୍ରମ ସହ ଋତୁ ପରିବର୍ତ୍ତନ ହେତୁ ଶଙ୍ଖାରି ବୁଢାକୁ ଜ୍ବର ଲାଗି ରହିଛି:-ଏଠାରେ ବୟସ ହେଲେ ଶରୀରଜନିତ ନାନା ସମସ୍ଯା ଦେଖାଯିବା କଥା କୁହାଯାଇଛି।ରଜ ପର୍ବ ପାଖେଇ ଆସିଛି ବୁଢା ଭୀଷଣ ଜ୍ବରରେ ମଧ୍ୟ କିଛି ବଳ ସଞ୍ଚି ତା’ ମା’ ପାଇଁ ତିଆରି କରିଛି “ଆସମାନତାରା ଶଙ୍ଖା”।ନିଜର ସମସ୍ତ ଜ୍ଞାନକୁ ଏଠାକି କରି “ଆସମାନତାରା ଶଙ୍ଖା” ଗଢିଦେଇଛି। ଗାଳ୍ପିକ ରଜପର୍ବରେ ନାରୀମାନେ ନିଜକୁ ନାନା ଶୃଙ୍ଗାର କରିବାର ଭାବକୁ ଦର୍ଶାଇଛନ୍ତି ଯାହା କେବଳ ଅନୁଭବ କରିହେବ।ବୁଢ଼ା ଖୁବ୍ ଆନନ୍ଦର ସହିତ “ଆସମାନତାରା ଶଙ୍ଖା”କୁ ଧରି ପହିଲି ରଜ ଦିନ ଯାଇ ପହଞ୍ଚିଲା ମା’ ଘରେ । ସବୁଦିନ ପରି ସେଦିନ ମଧ୍ୟ ଦାଣ୍ଡରେ ଠିଆ ହୋଇ ଡାକଛାଡିଲା,ହେଲେ କେହି ତା’ ଡାକର ପ୍ରତି ଉତ୍ତର ଦେଲେ ନାହିଁ କି ପାଖକୁ ଆସିଲେ ନାହିଁ । ବହୁ ସମୟ ଡାକ ଛାଡିଲା ପରେ ଶାଶୁ ଓ ଦାସୀ ଆସି ବୁଢ଼ା ଆଗରେ ନୀରବରେ ଠିଆ ହେଲେ।ହେଲେ ବୁଢା ଭିତର ଅଗଣାକୁ ଚାହୁଁଥାଏ ଅର୍ଥାତ୍ ତା’ ମା କୁ ଖୋଜୁଥିବା ବେଳେ ଶାଶୁ ଉତ୍ତର ଦେଲେ ଶଙ୍ଖା ଦରକାର ନାହିଁ । ବୁଢା କିଛି ବୁଝି ନ ପାରି ଖାଲି ତା’ ମା’କୁ ଟିକେ ଦେଖିଦେଇ ଫେରିଯିବ ବୋଲି ଅନୁରୋଧ କରିଛି,ହେଲେ ଶାଶୁ ମନା କରିଦେଇଛନ୍ତି।ହେଲେ ବୁଢା ବାରମ୍ବାର ନେହୁରା ହେବାରୁ ଶାଶୁଙ୍କ ନିର୍ଦ୍ଦେଶରେ ଦାସୀଟି ଡାକିଦେଇଛି ବୋହୂକୁ।ସମୟ ର ପରିବର୍ତ୍ତନ ସାଥିରେ ବୋହୂର ଜୀବନ ପରିବର୍ତ୍ତନ ହୋଇଯିବାକୁ ଦର୍ଶାଇ ଗାଳ୍ପିକ ଲେଖିଛନ୍ତି:- ଆଗଭଳି ବୋହୂ ନୁପୁର ର ରୁଣୁଝୁଣୁ ଶବ୍ଦ ନ କରି ଆସି ନିଃଶବ୍ଦରେ ମନ ଦୁଃଖରେ ମୁହଁକୁ ତଳକୁ କରି ଆସି ଠିଆହେଲା ବୁଢ଼ା ସାମ୍ନାରେ। ଦେହରେ ନାଲି ପାଟ ଶାଢୀ ପରିର୍ବତ୍ତେ ଥିଲା ଧଳା ଥାନ ଲୁଗା । ପାଦରେ ପାଉଁଜି ନଥିଲା କି ହାତରେ ଶଙ୍ଖା ନଥିଲା,ମଥାରେ ନାଲିଆ ସିନ୍ଦୁର ବଦଳରେ ଥିଲା ଧଳା ଚନ୍ଦନ ଟିପା।ଏଥିରୁ ଜାଣିବାକୁ ମିଳେ ହିନ୍ଦୁଧର୍ମରେ ବିଧବାଙ୍କ ପାଇଁ ନିର୍ମିତ୍ତ ନୀତି ଏବଂ ଗ୍ରାମ୍ଯ ଜୀବନରେ ଏହାର ପ୍ରଭାବ।ତା’ ମା’ ର ଶ୍ରୀହୀନ ରୂପଚର୍ଯ୍ୟାକୁ ଦେଖି ବୁଢ଼ାର ହୃଦୟ ଏକ ଅମାପ ଦୁଃଖରେ ମ୍ରିୟମାଣ ହୋଇଯାଇଛି।ଅନେକ ଶ୍ରଦ୍ଧା ଓ ଯତ୍ନରେ ନିଜ ହାତରେ ମା’ ପାଇଁ ତିଆରି କରିଥିବା “ଆସମାନତାରା ଶଙ୍ଖା” ମୁଠିକ ଭୁଇଁରେ କଚାଡି ଦେଇ ଭାଙ୍ଗିଯାଇଛି।ଏହା ପରେ ସମସ୍ତେ ଭୋ ଭୋ ହୋଇ କାନ୍ଦିଛନ୍ତି।ବୁଢା ଆଉ ଆଖି ଉଠାଇ ଦେଖିପାରିନି ତା’ ମାକୁ ପଛକୁ ନ ଚାହିଁ ଏକ ମୁହାଁ ହୋଇ ବୁଢ଼ା ଫେରିଯାଇଛି ନିଜ ଘରକୁ….।।ଏଠାରୁ ଜାଣିବାକୁ ମିଳିଛି ଏ ଜୀବନରେ ଅନେକ ବଡ ବଡ ପରିସ୍ଥିତିର ସମ୍ମୁଖୀନ ହୋବାକୁ ପଡେ।ଅନେକ ପରିସ୍ଥିତି କିଛି କ’ଣ ଶିଖାଇ ଦେଇ ଯାଏ ତୋ କେବେ ଜୀବନର ଅର୍ଥ ବୁଝାଇ ଦେଇ ଯାଏ।
ସତରେ ଗାଳ୍ପିକ କେତେ ସୁନ୍ଦର ଭାବରେ ତାଙ୍କର ଏହି କ୍ଷୁଦ୍ର ଗଳ୍ପରେ ଗାଁର ଦୃଶ୍ୟ,ଚୁଡିର ଆଦର,ନାରୀ ସଂଯମତାଗୁଣ,ପର୍ବପର୍ବାଣୀ,ପ୍ରତିଶ୍ରୁତିବଦ୍ଧତା,ମାନବୀୟ ଆବେଗର ମୂଲ୍ୟକୁ ବୁଝାଇ ଦେଇଛନ୍ତି।ଯାହା ଫଳରେ ପାଠକ ଏହାକୁ ପଢିଲା ପରେ ଆଖିରେ ଅଶ୍ରୃ ଆସିଯିବା ସ୍ବଭାବିକ କଥା।ଗାଳ୍ପିକଙ୍କ ରଚନା ସତରେ କେତେ ହୃଦୟସ୍ପର୍ଶୀ ଏହି କ୍ଷୁଦ୍ର ଗଳ୍ପକୁ ପଢିଲେ ଜାଣି ହେବ।
ଜୟଶ୍ରୀ ଖଟୁଆ,ମୟୂରଭଞ୍ଜ