*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ…*
*କବି – କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର..😊*
ଓଡ଼ିଆ ଗଳ୍ପ ସାହିତ୍ୟରେ ଜଣେ ଉଚ୍ଚ କୋଟିର ସ୍ରଷ୍ଟା ଥିଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର । ସେ ୧୮୮୮ ମସିହା ଡିସେମ୍ବର ମାସ ୯ ତାରିଖ ଗୁରୁବାର ଦିନ ମା’ ଲକ୍ଷ୍ମୀଙ୍କ ପୂଜା ଅବସରରେ ଜନ୍ମଗ୍ରହଣ କରିଥିବାରୁ ମାତା ପିତା ଆଦରରେ ତାଙ୍କର ନାମକରଣ କରିଥିଲେ ଲକ୍ଷ୍ମୀକାନ୍ତ । ୧୯୨୩ ମସିହାରେ ବି.ଏ. ପାସ୍ କରିବା ପର ସେ କୁଷ୍ଠ ରୋଗାକ୍ରାନ୍ତ ହୋଇପଡ଼ିଥିଲେ । ନାନା ଦୁଃଖ କଷ୍ଟ ଓ ବିପଦ ଭିତରେ ସଂଘର୍ଷ କରି କରି ନୟାନ୍ତ ହୋଇପଡିଥିଲେ ସେ । ଏବଂ ଏହା ସତ୍ତ୍ୱେ ବି ସେ ସାରସ୍ଵତ ସାହିତ୍ୟ ସାଧନାରୁ ବିରତ ହୋଇ ନଥିଲେ । ସେ ଏକାଧାରରେ ଜଣେ କବି, ଗାଳ୍ପିକ, ଔପନ୍ୟାସିକ ଓ ପ୍ରାବନ୍ଧିକ ଭାବରେ ପ୍ରତିଷ୍ଠା ଅର୍ଜନ କରିଥିଲେ । କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର କବି ହିସାବରେ ଓଡ଼ିଶାରେ ଯେତିକି ପରିଚିତ ଥିଲେ ତା’ଠାରୁ ଅଧିକ ପରିଚିତ ହୋଇ ଥିଲେ ଜଣେ ଶ୍ରେଷ୍ଠ ନାଟ୍ୟକାର ରୂପେ ।
ନାଟ୍ୟକାର ଲକ୍ଷ୍ମୀକାନ୍ତଙ୍କର ଅମର ଲେଖନୀରୁ ଝରିପଡ଼ିଛି ସଂଖ୍ୟାଧିକ ନାଟକ… ସେଗୁଡ଼ିକ ମଧ୍ୟରେ ବସନ୍ତ ବିଳାସ, ବରୁଣ ବିଜୟ, କାଳୀୟ ଦଳନ, ବ୍ରଜ ବର୍ଜନ, ତୁ ବେଶବଦଳା ବଂଶୀ ଶିକ୍ଷା ଇତ୍ୟାଦି ପ୍ରଧାନ । ଏଗୁଡିକ ବ୍ୟତୀତ ସେ ଆହୁରି ଅନେକ ପୌରାଣିକ ଓ ଐତିହାସିକ ନାଟକ ମଧ୍ୟ ରଚନା କରି ବେଶ ଉଚ୍ଚ ପ୍ରଶଂସିତ ହୋଇଥିଲେ । ତନ୍ମଧ୍ୟରେ କର୍ଣ୍ଣ, କଳାପାହାଡ଼, ଲକ୍ଷ୍ମୀ ଚଣ୍ଡାଳୁଣୀ ଓ ଚନ୍ଦ୍ରହାସ ଅନ୍ୟତମ । କାନ୍ତ କବିଙ୍କର ‘କଣାମାମୁଁ ଓଡ଼ିଆ ଉପନ୍ୟାସ ଜଗତରେ ଏକ ଅମଳିନ ଗ୍ରନ୍ଥ ଏହାକୁ ଅସ୍ଵୀକାର କରାଯାଇପାରିବ ନାହିଁ । ସଂଖ୍ୟାଧିକ ଗଳ୍ପ ରଚନା କରି ଓଡ଼ିଆ କ୍ଷୁଦ୍ରଗଳ୍ପର ବାଣୀ ଭଣ୍ଡାରକୁ ଋଦ୍ଧିମନ୍ତ କରିଯାଇଛନ୍ତି ସେ । ସେହି ଗଳ୍ପ ଗୁଡ଼ିକ ମଧ୍ୟରେ ଭଦ୍ରକଳା, କ୍ଷୀରଚୋରା ଗୋପୀନାଥ , ନାରୀର ବୁଦ୍ଧି, ଆତ୍ମହତ୍ୟା ଉତ୍କଟପ୍ରେମ, ପ୍ରେମର ମୁକୁଟ, ଶିକ୍ଷାନିବାସ ,ପ୍ରେମିକ ଇତ୍ୟାଦି ଶ୍ରେଷ୍ଠତର କୃତି ।
ବୟସର ବାର୍ଦ୍ଧକ୍ୟ ବେଳାରେ ଉପନୀତ ଜଣେ ଦରିଦ୍ର ବୃଦ୍ଧ। ସୌନ୍ଦର୍ଯ୍ୟ ଅନୁରାଗର ମାୟାରେ ପଡି ହାରିଦିଏ ନିଜର ଅସ୍ତିତ୍ବ । ସତରେ ମଣିଷର ରକ୍ତ ମାଂସର ଦେହଟା ସିନା ଜରାଗ୍ରସ୍ତ ହୋଇଯାଏ କିନ୍ତୁ ତାର ମନଟା ସଦା ସୌନ୍ଦର୍ଯ୍ୟ ପିପାସୁ ଆଉ ଦୃଷ୍ଟିରେ ସଦା ଆକର୍ଷଣ ଭରି ରହିଥାଏ ।ଜଣେ ନବ ବଧୂର ଦୁଇ ହାତରେ ଚୁଡ଼ି ପିନ୍ଧାଇବା ସମୟରେ ତାର ସୌନ୍ଦର୍ଯ୍ୟରେ ଅବିଭୂତ ହୋଇଯିବା ଏଇ କଣ ଆକର୍ଷଣ ନୁହେଁ କି ! ଫୁଲ ପରି କୋମଳ ଆଉ ତୁଳା ପରି ନରମ ହାତ ପାବୁଲି , ପୁଣି ସୁନା ଗହଣା ବିମଣ୍ଡିତ ହୋଇଥିବା ଚମ୍ପା କଢ଼ ପରି ସରୁ ସରୁ ଆଙ୍ଗୁଳିକୁ ସ୍ପର୍ଶ କରି ଆନନ୍ଦିତ ହେବା କଣ ଭଲ ପାଇବା ନୁହେଁ କି ! କିନ୍ତୁ ଏ ଭଲ ପାଇବାରେ ନାହିଁ ପାପାବୋଧ , ନାହିଁ କୁ ଦୃଷ୍ଟିଭଙ୍ଗୀ, ନାହିଁ ଯୌବନର ଯୌନ ଜ୍ଵlଳା ଅଛି ଖାଲି ପିଲାଟିଏ ଯେପରି ମାଆ କୋଳରେ ବା ମାଆର ପଣତ କାନି ତଳେ ଆଶ୍ରୟ ନେବାର ଯେଉଁ ଆନନ୍ଦ ଆଉ ମାଆ ଠାରୁ ଉଦ୍ଧାର କରି ଆଣୁଥିବା ମମତାର ସ୍ନେହତକ ଯେମିତି ହିଁ ଲୋଡ଼ି ଥାଏ । ସେମିତି ଏଥିରେ ରହିଛି ଅସମାପ୍ତ ମମତ୍ଵବୋଧ । ଆହା କାହାର ମନ ନ ଲାଖି ଆୟତ୍ତ ରେ ରହିବ ଯେ କିନ୍ତୁ ଏଇ ଆକର୍ଷଣରେ ରହିଅଛି ଏକ ମଧୁର ରସ ଯୁକ୍ତ ପ୍ରେମ ।
ସର୍ବୋପରି ଗଳ୍ପଟିରେ ରହିଅଛି ପୁରୁଣା ପ୍ରଥା ପରମ୍ପରାକୁ ଆଧାର କରି ଗ୍ରାମ୍ୟ ପରିବେଶ । ସ୍ନେହ, ପ୍ରେମ ଓ ଆଦର ଯତ୍ନର ବିସ୍ତୃତି ।ସେଦିନର ସେ ବୁଢା ଶଙ୍ଖlରି ଆଜିବି ଜୀବତ ସଭିଙ୍କ ହୃଦୟରେ । ପ୍ରତିଟି ଓଡ଼ିଆର ପ୍ରାଣକୁ ଆଜି ପୁଣିଥରେ ଉଜ୍ଜୀବିତ କରିଛି ଏ କ୍ଷୁଦ୍ର ଗଳ୍ପ …। 🙏
ଲକ୍ଷ୍ମୀପ୍ରିୟା ବେହେରା,
ଔପଦା, ବାଲେଶ୍ୱର..।।