ସବୁ କିଛି ଭୁଲ୍ ହୋଇଗଲା
ସବୁ କିଛି ଭୁଲ୍ ହୋଇଗଲା ବୋଲି
କହି ରଖୁଛି ମୁଁ ତୁମକୁ ଏବେ,
ଜାଣିବା ଆଗରୁ ଚାହିଁ ଦେଇ ଦୂରୁ
ଭୁଲ୍ ବୁଝିଥିଲି ମିଥ୍ୟା ଆବେଗେ।
ରୂପରଙ୍ଗ ଶୋଭା ଦେଖି ମନ ଲୋଭା
ଟାଣି ହୋଇ ଗଲି ତୁମରି ପାଶ,
ଭାବ ଭଙ୍ଗି ତୁମ ଜାଣିଲି ଉତ୍ତମ
କାମନା ତୁମରି କରିଲା ବଶ,
ଜାଣି ପରିଚୟ କଲି ମୁଁ ନିଶ୍ଚୟ
ଜୀବନ ସାଥିଟି କରିବି ଭାବେ,
ସବୁ କିଛି ଭୁଲ୍ ହୋଇଗଲା ବୋଲି
କହି ରଖୁଛି ମୁଁ ତୁମକୁ ଏବେ।
ତୁମ ପରିଚୟ ପରିବାର ଚୟ
କରି ମୁଁ ବରିଲି ଜୀବନ ସାଥୀ,
ସପନ ରାଇଜେ ବୁଲିଲି ସହଜେ
ସରିଲା ସପନ ଖୋଜି ପୀରତି!
ଛାଡ଼ି ଗଲା ନିଶା ହେଲି ମୁଁ ନିରାଶା
ପଶ୍ଚା ତାପ କରେ ଭୁଲ୍ କାରଣ,
ସବୁକିଛି ଭୁଲ୍ କରି ବି ନିର୍ଭୁଲ
ବୋଲି କିଏ କେବେ ଦିଏ ପ୍ରମାଣ?
ଭଲ ପାଇ ମନ ଭୁଲରେ ଉଚ୍ଛନ୍ନ
ପୀରତି ପଥରେ କଷଣ ଭୋଗେ,
ଜାଣିବା ଆଗରୁ ଚାହିଁ ଦେଇ ଦୂରୁ
ଭୁଲ୍ ବୁଝିଥିଲି ମିଥ୍ୟା ଆବେଗେ।
ଅଜଣା ପ୍ରେମରେ ଅଡ଼ୁଆ ସୂତାରେ
ବାନ୍ଧି ହେଲି ସିନା ଅବନ୍ଧା ସୂତ୍ରେ,
ଜାଣି ତୁମ ଘର ରୀତି ନୀତି ମୋର
ଭରସା ତୁଟିଲା ଶୁଣିଲା ମାତ୍ରେ।
ସୀମାଞ୍ଚଳ ପଣ୍ଡା
ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ