ଶ୍ରୀରାମଙ୍କ ଜନ୍ମ ବୃତ୍ତାନ୍ତ
******************
ନମସ୍ତେ ପ୍ରଭୁ ଭଗବାନ,ପୁରୁଷ ଉତ୍ତମ ଶ୍ରୀରାମ l
ଅବନୀ ଭାରା ନାଶ ଯୋଗେ, ଜନ୍ମ ନିଅନ୍ତି ପ୍ରତି ଯୁଗେ l
ତ୍ରେତୟା ଯୁଗର ଏ କଥା, ଶୁଣି ଖଣ୍ଡିବ ଭବ ବ୍ୟଥା l
ଅଯୋଧ୍ୟା ରାଜା ଦଶରଥ, ଅପୁତ୍ରିକ ହେତୁ ବିଷାଦ l
ଲୋମପାଦ ଯେ ତାଙ୍କ ମିତ୍ର, ତାହାଙ୍କୁ ଦେଲେ ଉପଦେଶ l
ରୁଷ୍ୟଶୃଙ୍ଗକୁ ଡକାଇଣ, ପୁତ୍ରେଷ୍ଠୀ ଯଜ୍ଞ ତୁ ଭିଆଣ l
ଯଜ୍ଞର ଚରୁ ଅନ୍ନ ଭକ୍ଷି, ରାଣୀ ହୋଇବେ ପୁତ୍ରବତୀ l
ସେହି ପ୍ରକାରେ ରାଜା କଲେ, ରାଣୀ ଏ ଚରୁ ଯେ ଭୁଞ୍ଜିଲେ l
ଦଶ ମାସ ଓ ଦଶ ଦିନେ, ପୁତ୍ରେ ଜନ୍ମିଲେ ଏକାଦିନେ l
ଚଇତ୍ର ମାସ ଶୁକ୍ଲପକ୍ଷ, ନବମୀ ତିଥି ଯେ ପ୍ରତ୍ୟକ୍ଷ l
ପୁନରବସୁ ନକ୍ଷତ୍ରରେ, ପତିତ୍ର କର୍କଟ ରାଶିରେ l
ମଲ୍ଲୀ ଫୁଲିଆ ମଧ୍ୟାହ୍ନରେ, ନିରାକାର ସାକାର ହେଲେ l
ଅବ୍ୟକ୍ତ ବ୍ୟକ୍ତ ଯେ ହୋଇଲେ, ଅଜନ୍ମା ଜନ୍ମ ଯେ ଲଭିଲେ l
ନିର୍ଗୁଣ ସଗୁଣ ହୋଇଲେ, ବଶିଷ୍ଠ ନାମ ତାଙ୍କ ଦେଲେ l
କୌଶଲ୍ୟା ପୁତ୍ର ରାମଚନ୍ଦ୍ର, କୈକେୟୀ ପୁତ୍ର ଯେ ଭରତ l
ଲକ୍ଷ୍ମଣ ଶତ୍ରୁଘ୍ନ ଯେ ଦୁଇ, ସୁମିତ୍ରା ଦେବୀ ପୁତ୍ର ହୋଇ l
ଜନ୍ମ ସମୟେ କଉଶଲ୍ୟା, ବ୍ରହ୍ମକୁ ଦେଖିଣ କହିଲା l
ବାଳକ ରୂପ ଧରି ତୁହି, କାନ୍ଦ ତୁ ପଡିଣ ଯେ ମହୀ l
ଭକ୍ତ ଓ ମାଆ ଆଦେଶରେ, ବାଳକ ରୂପରେ କାନ୍ଦିଲେ l
ସବୁ ଦେବତା ଖୁସି ହେଲେ, ଚନ୍ଦ୍ର ଯେ ଦୁଃଖିତ ହୋଇଲେ l
(କାରଣ)
ସୂର୍ଯ୍ୟବଂଶେ ଓ ମଧ୍ୟାହ୍ନରେ, ଜନ୍ମି ସୂର୍ଯ୍ୟକୁ ବଡ କଲେ l
ମୁହିଁ କି କରିଥିଲି ଦୋଷ, ମୋତେ କରିଲ ଉପହାସ l
ଦ୍ୱାପରେ ଏହି ଯୁଗ ଶେଷେ, ଜନ୍ମ ଲଭିବି ଚନ୍ଦ୍ର ବଂଶେ l
ମୋ ନାମ ସଙ୍ଗେ ତୁମ ନାମ, ରହିବ ଏ ଯୁଗରେ ଜାଣ l
ରାବଣ, କୁମ୍ଭକର୍ଣ୍ଣ ମାରି, ଫେରିବି ବଇକୁଣ୍ଠ ପୁରୀ l
ପ୍ରିୟମ୍ବଦା ରାଉତ,
କୁଡୁମୁଲୁଗୁମ୍ମା, ମାଲକାନଗିରି l