ଶୀତ ରାତି
ଉତ୍ତରା ଉତ୍ତରୀ ଉଡେଇ ଉଡେଇ
ଶୀତ ରାତି ଆସେ କାକରେ ଭିଜେଇ
ଅତି ଆୟୁଷ୍ମତି ଗରୀବଙ୍କ ଭୀତି
କୋତରା ଫାଙ୍କ ରୁ ଧସି ପଶେ ନିତି.
ପାଣ୍ଡୁର ପୃଥିବୀ ଶର୍ବରୀ ପ୍ରଭାତେ
ବିଭାତ ଉଙ୍କଇ କୁଝଟିକା ଫାଙ୍କେ
କାକର ରେ ଭିଜି କଇଁ ସଜ ହସ
ମନ ଚୋରୀ କରେ ହରଇ ଅଳସ.
ଧୂସର ଚାଦର ଦିଗବଳୟ ଡେଇଁ
ଢାଙ୍କି ଦିଏ ଯେବେ ସୁନ୍ଦର ଧରଣୀ
ଉଷ୍ମତା ଖୋଜନ୍ତି ଜୀବ ଠୁ ମାନବ
ନୀଡ଼େ ଫେରାଙ୍କର ଶୁଭେ କଳରବ.
କେବେ କେବେ ଶୁଭେ ଅଶାନ୍ତ କାକଳି
ନକ୍ତଚରଙ୍କର କ୍ଷୁଦା ଯାଏ ବଳି,
ଜାକି ଜୁକି ରହେ ଭାଗ୍ୟେ କରି ଆଶ୍ରା
ବଢେ ଛିଡେ କିବା ଘନ ଏ ତମିସ୍ରା.
ଦୀନ ହୀନ ଜନେ ଭୋଗନ୍ତି ଯନ୍ତ୍ରଣା
ଵାସହୀନ ଦୁଃଖ ନ ହୁଏ କଳନା
ବତୀ ଖୁଣ୍ଟ ଦେଖି ବୋଧ କରେ ତାତି
ବିରବଲ କଥା ପ୍ରମାଣିତ ଏଠି.
ହାଇ ମାରେ ଚାଳ ବଙ୍ଗଳା ସହିତ
ସାମ୍ୟତା ର ବୋଧ କରଇ ଇଙ୍ଗିତ
ବାର୍ଦ୍ଧକ୍ୟ ବ୍ୟାଧି ର ପୀଡା ଅତିଶୟ
ଶିଶୁଲୋଡ଼େ କୋଳ ପ୍ରିୟା ଲୋଡ଼େ ପ୍ରିୟ.
ହେଁସ ତଳେ ପଶି ଜହ୍ନ ମୁହଁ ଦେଖି
କେ ଭୁଲଇ ଶୀତ କେ ଭୁଲଇ କ୍ଲାନ୍ତି
ପ୍ରେମ ର ଆଶ୍ଳେଷ ବଢିବଢି ଯାଏ
ସ୍ୱପ୍ନ ଭରା ରାତି ଧୀରେ ଝରି ଯାଏ.
ସୁନେଲି ସକାଳ ଗେଣ୍ଡୁ ହସ ସାଥେ
ସୂର୍ଯ୍ୟ ଅନିଶା ରେ ସୂର୍ଯ୍ୟ ମୁଖି ବସେ
ଶତଦଳ ମନ ବିଷାଦ ରେ ଭରା
ଜହ୍ନ ହସ ତୋରା କଇଁ ମନ ଚୋରା.
ବସନ୍ତ ଚିଟାଉ ସ୍ୱହସ୍ତ ରେ ଧରି
ଉଦାସ ଶର୍ବରୀ ମନ୍ମୟ ଆଚରି
ପ୍ରକୃତି ଆଚରେ ଆସେ ଶୀତ ରାତି
ପର୍ଣ୍ଣ ପତ୍ର ଭରା ପାଦପ ପରିଧି.
ମିନତି ଦାସ୍
ବାରିପଦା