ଶେଷ ସ୍ପର୍ଶ
ଅରୁଣ କୁମାର ମହାପାତ୍ର
ଜୀବନର ଚୀର ସତ୍ୟ ଜନମ ଓ ମୃତ୍ୟୁ
ଏକ କ୍ରିୟା ସଞ୍ଚାରିତ କରଇ ଆନନ୍ଦ
ଆରେକ ବିବ୍ରତ ଆଉ ହୃଦ ବିଦାରକ
ମୁଁ ଆଉ ମୋର ଶବ୍ଦ କରି ପରିତ୍ୟାଗ
ବାହୁଡ଼ିବ ଜୀବ ତାର ଉତ୍ପତ୍ତି ସ୍ଥଳକୁ।
ତୁଟିଯିବ ସବୁ ମାୟା ବନ୍ଧନର ଡୋରି
ଶରୀରରୁ ଛିନ୍ନ ହେବ ସାଉଁଟା ବୈଭବ
ଜୀବନର ମୂଲ୍ୟ ଅବା ତାର ମୂଲ୍ୟାଙ୍କନ
ଅନୁଭୂତି ବାଣ୍ଟିବାଟା ନୁହେଁ ପ୍ରୟୋଜନ।
ବନ୍ଧୁଜନ ସ୍ନେହ ପ୍ରୀତି ଆତ୍ମୀୟ ସ୍ୱଜନ
ସେକାଳେ ବା ନିଷ୍ପ୍ରୟୋଜନ
ନିଜ କୃତ ଅବ୍ୟକ୍ତ କରମ
ଜଗତରେ ପ୍ରକାଶିତ ଗୁଣ ବା ଦୁର୍ଗୁଣ।
ଅତଳ ପ୍ରାସାଦ ଅବା ସୁରମ୍ୟ ଭବନ
କରନ୍ତି ବିଚ୍ଛେଦ ସର୍ବେ ଭାବେ ଅବସନ୍ନ
ଅର୍ଜିତ ଧନକୁ ଆଜି କରି ପରଭୋଗ୍ୟ
ଧର୍ମ ଅଧର୍ମର ନିକିତିରେ ତୋଳି
ଆତ୍ମା ତ ଅମର ପାଇଯିବ ଅବା ମୁକ୍ତି
ପଞ୍ଚଭୂତେ ମିଶିଯିବ ପାର୍ଥିବ ଶରୀର
ପାଇବ ସେ ଶେଷ ସ୍ପର୍ଶ ଜନମ ମାଟିର।
ବୈଜ୍ଞାନିକ ଅଧିକାରୀ
ଅଶ୍ୱପୁରମ, ତେଲେଙ୍ଗାନା