ଲକ୍ଷ୍ମୀ ପୁରାଣରେ ଲିପିବଦ୍ଧ ନାଆଁ
ଶ୍ରୀୟାଚଣ୍ଡାଳୁଣୀ ସେହି
ନାରୀଜାତି ପାଇଁ ନୀତିଆଦର୍ଶରେ
ଧନଲକ୍ଷ୍ମୀ ପ୍ରିୟ ହୋଇ।
ମାଣବସା ଶିକ୍ଷା ଦିଏ ମହାଶିକ୍ଷା
ଚଣ୍ଡାଳୁଣୀ ଭାବନାର
ସ୍ୱଚ୍ଛ ପବିତ୍ରତା ଯେଉଁଠି ଥାଏ ସେ
ଲକ୍ଷ୍ମୀଙ୍କର ଦରବାର ।
ଜାତିରେ ସେ ନୀଚ୍ଚ ମନ ତା’ର ସ୍ୱଚ୍ଛ
ମାଣବସା ପୂଜା କହେ
ଚଣ୍ଡାଳୁଣୀ ସମ ସାଜିଲେ ଗୃହିଣୀ
ଐଶ୍ୱର୍ଯ୍ୟ ପ୍ରାପତି ହୁଏ ।
ଦୈବର ଆୟତ୍ତ ନୀଚ୍ଚକୁଳେ ଜନ୍ମ
ମାଣବସା ମହାନତା
ମନୁଷ୍ୟ ଆୟତ୍ତ ଶୁଦ୍ଧ ଓ ପବିତ୍ର
ଗୃହଲକ୍ଷ୍ମୀଙ୍କର ଚିନ୍ତା ।
ଜାତି, ଧର୍ମ, ବର୍ଣ୍ଣ ଭେଦର ବୈଷମ୍ୟ
ନୁହଁଇ ଭାବନା ଧରା
ଲିପିବଦ୍ଧ ସିନା ଲକ୍ଷ୍ମୀ ପୁରାଣରେ
ପଦ୍ମାଳୟା ପ୍ରୀତି ଭାରା।
ପରିଷ୍କାର ସହ ନିର୍ମଳ ଭାବନା
ଲକ୍ଷ୍ମୀଙ୍କ ଆବାସସ୍ଥଳୀ
ଶ୍ରୀୟାଚଣ୍ଡାଳୁଣୀ ମମତା ଗୃହିଣୀ
ମନର ମନ୍ଦିରେ ଭାଳି।
ମାତା ପୂଜାର୍ଚ୍ଚନା ନାରୀ ଜାତି ସିନା
ଶ୍ରୀୟାର ସନ୍ଦେଶ ସାକ୍ଷୀ
ମାଣବସା ଗୁରୁ ବାର ମହାଶିକ୍ଷା
ଆଧ୍ୟାତ୍ମିକ ଭାବ ରଖି।
ମନର ମନ୍ଦିରେ ମମତା ଦୀପାଳୀ
ସର୍ବ ନାରୀ ଜାତି ଜାଳି
ଶଙ୍ଖ ହୁଳହୁଳି କରତାଳି ମାରି
ସଂସ୍କାର ସଂସ୍କୃତି ଭାଳି।
ମାଆଙ୍କ ପ୍ରତୀକ୍ଷା ମାତୃଜାତି ଶିକ୍ଷା
ପୁରାଣର ପୂଣ୍ୟ ଗାଥା
ଉଚ୍ଚ ନୀଚ୍ଚ କିବା ଧନୀ କି ଗରୀବ
ଲିପ୍ତ ପୂଜା ସ୍ମୃତି କଥା।
ପବିତ୍ର ହୃଦୟ ପବିତ୍ରତା ନେଇ
ପଦ୍ମ ଫୁଲେ ମାଆ ଠିଆ
ଶତଦଳ ପରି ମନ ଶୁଭ୍ର କରି
ଚଣ୍ଡାଳୁଣୀ ସମ ହିଆ।
ବାସଗୃହ ସମ ମନଘର ସଫା
ଶୁଭାଶୀଷ ପଡେ ଝରି
ଗୁରୁବାର ବ୍ରତ ଶ୍ରୀୟାର ଚରିତ
ଆହ୍ବାନ ପ୍ରଦାନ କରି।
ଶ୍ରୀୟାଚଣ୍ଡାଳୁଣୀ ଶୁଦ୍ଧମନ ନେଇ
କଲେ କମଳିନୀ ପୂଜା
ଗୃହଲକ୍ଷ୍ମୀ ସଦା ଗୃହ ପରିଷ୍କୃତ
ରଖିଲେ ଉଡିବ ଧ୍ୱଜା।
ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା,
ନୟାଗଡ଼