ଶତାବ୍ଦୀର କ୍ରନ୍ଦନ
ଏ ଶତାବ୍ଦୀ କାନ୍ଦୁଛି ଆଜି କରୁଣ ସ୍ବରରେ।
ଶାନ୍ତିର କପୋତ ଆଜି ଅଶାନ୍ତି ଘେରରେ।
ଏ ବ୍ୟଥାର ନାହିଁ କଥା, ନାହିଁ ବି କାହାଣୀ।
ନାହିଁ ବି ଇଲାଜ,କିଛି ଅଉଷଧ ପାଣି।
ମହାମାରୀ ପକାଇଛି ଶକ୍ତ କୁରାଢ଼ିରେ ଚୋଟ।
ଜୀଵନ, ଜୀବିକା ଆଜି ସବୁ ବିପର୍ଯ୍ୟସ୍ତ।
ପେଟ ପାଇଁ ମିଳୁନାହିଁ ଆଉ ମୁଠେ ଭାତ।
ସମୟ ବି ଅସମୟେ ମାରେ ପେଟେ ନାତ।
ଗଣ୍ଡାରର ଚମ ଠାରୁ ପିଠି ଚମ ଆହୁରି ହୁଏ ଶକ୍ତ।
ଆଗକୁ ଵି ସହିବାକୁ ହେବ ଆହୁରି ଆଘାତ।
ସମୟର ହାତେ ଏଵେ ଘୋଡ଼ାର କୋରଡ଼ା।
ମୁହେଁ ତୁଣ୍ଡି, ବନ୍ଧା ନାହିଁ ଦାନାର ତୋବଡା଼।
ଜୀବନ,ମରଣ ମଧ୍ୟେ ଵଳ କଷାକଷି,ଦୋ ଟଣା ରେ ଭିଡ଼ା।
ଜୀବନର ଯୁଦ୍ଧ କ୍ଷେତ୍ର,କବାଟ ଏପଟେ।
ଅର୍ଗଳ,କିଳିଣି ମଧ୍ୟେ ମୃତ୍ୟୁ ହିଁ କୁହାଟେ।
ଖେଳି ଜୀଵନର ସାଥେ ଶିକାର କୁ ଲୁଟେ।
ପ୍ରତିବାଦ ନାହିଁ ମୁଖେ, ଶୁଖିଲା କଣ୍ଠ ତଟେ।
ଆତ୍ମୀୟତା ଲୁଚିଲାଣି ଆତ୍ମୀୟଙ୍କ ସାଥେ।
ବିନା କଥା, ଦୂର୍ ଦୂର୍ , ଦୂରେ ରୁହ କବାଟ ସେପଟେ।
ସମ୍ପର୍କରେ ଲାଗିଲାଣି ଅଦିନିଆ ଘୁଣ।
ନ ଥାଉ ଏଣେ ତୋରାଣୀ ରେ ପଛେ ଟୋପେ ଲୁଣ।
ତୁଣ୍ଡି ବନ୍ଧା ମୁହଁ, ନାହିଁ ବେପରୁଆ ହସ।
ଶୁଖିଲା ଆଖିରେ ନାହିଁ ସେ ଆତ୍ମ ବିଶ୍ବାସ।
ବାକୀ ଯାହା ଅଛି ଖାଲି ତୁଚ୍ଛା ଦୀର୍ଘଶ୍ୱାସ।
ଶଵ ବି ପାଉନି କାନ୍ଧ, ଖାଲି ଜରି କାଗଜରେ ମୋଡ଼ା।
ସ୍ବର୍ଗ ଦ୍ବାର ମନା, ଯେମିତି ସେମିତି ହୁଏ ପୋଡା଼।
ରାମ ନାମ ସତ୍ୟ ନାହିଁ, ନାହିଁ ଆଉ ଅହ୍ୟ ଡେଙ୍ଗୁରା।
ନାହିଁ ଖଇ,କଉଡ଼ିର ସାଥେ ,ରାସ୍ତା ଘାଟେ ପିଲାଙ୍କ ଦଉଡା଼।
ଅଧା ମରା ଜୀଵନ, ହସ୍ପିଟାଲ ସାରା ଵେଶ ଭିଡ଼।
ସାହସ ଥିଲେ, ମୃତ୍ୟୁ ସହ ପାରିଲେ ନିଜେ ପଞ୍ଝା ଲଢ଼।
ସମୟ ହେଲେ ସାହସ ବି ନିଜେ ଦିଏ ଧୋକା।
ବିଶ୍ବାସ ଵଦଳେ ଖାଲି ଛନକା ଆଉ ଦକା।
ନିଃଶ୍ବାସ ବି ସଙ୍ଗ ରୋଧେ ଅଲଗା ହୁଏ ଏକା।
ଜିତିଲେଣି, ନିଃଶ୍ବାସ ଅଛି ଯାର କିଛି ଟା ବଳକା।
ହାରିଯାଇଥିଵା ଯୋଦ୍ଧା ସମବେଦନା ବାହାରେ।
ଚୋଟ କିନ୍ତୁ ଛୋଟ ନୁହେଁ, ପରିବାର ପାଇଁ ଆହୁରି ପାହାରେ।
କହିବ କେମିତି କିଏ ,ଆହା ରେ, ଆହାଃ ରେ!
କେଜାଣେ,କାଲି କୁ ଆମର ଵଳି, ପାଳି ଆସିପାରେ!
ଶତାବ୍ଦୀ କାନ୍ଦୁଛି ଆଜି ରୁଦ୍ଧ କଣ୍ଠେ ଗୁମୁରି, ଗୁମୁରି।
ଶୁଖିଲା କଣ୍ଠ ରେ ଆଉ ନାହିଁ ବଳ,କାନ୍ଦିବାକୁ ରାହା ଧରି।
©® ଡଃ ଶୈଳବାଳା ଦାଶ।