ସହାୟ ଆର ଜନମେ
ସୌଦାମିନୀ ତ୍ରିପାଠୀ
ଦୁର୍ଲ୍ଲଭ ମଣିଷ ଜୀବନ ପାଇ ମୁଁ
କି ଯଶ କୀର୍ତ୍ତି ଲଭିଲି,
ଜପ ତପ ଦାନ ଧର୍ମ ନ କରିଣ
ସଂସାର ମୋହେ ଜଡ଼ିଲି।
ଜୀବନରେ ଯେତେ ସୁବିଧା ଦେଇଛ
ଅଧର୍ମ ବାଟ ଧରୁଛି,
ମାୟା ମୋହ ସୁଖ ସଂପତ୍ତିରେ ବୁଡି
ମୋକ୍ଷ ରାସ୍ତା ଭୁଲୁ ଅଛି ।
ପଶୁ ପକ୍ଷୀ ଭଳି ଖାଇ ପିଇ ଶୋଇ
ନିଇତି ପାଇଟି କରି,
ଲୋଭ ସମାଜରେ ଆତ୍ମଘାତୀ ହୁଏ
ସତ୍ପଥ ମନୁ ପାଶୋରି ।
ସକାଳେ ସଞ୍ଜେ ଚେଷ୍ଟା କରିଲେ ବି
ତୁମ ନାମ ଭୁଲିଯାଏ,
ପର ଚର୍ଚ୍ଚା କରି ସ୍ୱାର୍ଥକୁ ଦେଖିଣ
ସଂସାର ରେ ମଜ୍ଜି ଥାଏ ।
ଏତିକି ବିନତୀ ତୁମ ଚରଣରେ
ସଦବୁଦ୍ଧି ମତେ ଦିଅ,
ଏ ଜନ୍ମେ ନ ହେଲେ ଆର ଜନମରେ
ଏତିକି ସହାୟ ହୁଅ ।
ଟିକି ଫୁଲଟିଏ କର ମତେ ପ୍ରଭୁ
ତୁମ ସାନ୍ନିଧ୍ୟ ମୁହିଁ ଲଭିବି,
ସକାଳୁ ଫୁଟିଣ ବାସ ଚହଟାଇ
ସବୁରି ମନ ମୋହିବି ।
ଭକ୍ତ ତୋଳି ନେବ ସକାଳୁ ସକାଳୁ
ତୁମ ନାମ ଗାଇ ଗାଇ,
ଫୁଲ ହାର ଗୁନ୍ଥି ଶ୍ରଦ୍ଧାରେ ତୁମର
ଗଳାରେ ଦେବ ଚଢାଇ।
ଦୁବଟିଏ ମତେ କରିଦିଅ ପ୍ରଭୁ
ଯଜ୍ଞ ପୂଜା କାଣ୍ଡ କର୍ମରେ,
ଶୁଭ କାର୍ଯ୍ୟେ ରହି ଶ୍ରାଦ୍ଧ ସଂକଳ୍ପରେ
ସମର୍ପିବେ ତୁମ ଠାରେ ।
ଦୁର୍ବାକୁସ ହୋଇ ପୂଜାରେ ଲାଗିବି
ଧର୍ମ କାର୍ଯ୍ୟ ଅବସରେ,
ଏ ଜୀବନ ମୋର ସାର୍ଥକ ହୋଇବ
ବେଶୀ ଆଶା ନାହିଁ ମୋରେ।
ତୁଳସୀଟିଏ ହିଁ କରି ଦିଅ ପ୍ରଭୁ
ତୁମ ପରଶ ଲଭିବି,
ସବୁରି ଅଗଣା ସବୁ ମନ୍ଦିରରେ
ପୂଜା ପ୍ରସାଦରେ ଥିବି ।
ତୁଳସୀ ପତ୍ରକୁ ରୋଗ ଭୋଗ ଦୁଇ
ପ୍ରକାର ଉପଯୋଗରେ,
ନାରାୟଣ ନାମେ ତୁଳସୀର ଲୋଡା
ଜୀବନ ଶେଷ ଯାତ୍ରାରେ।
ହାଇଦ୍ରାବାଦ