ଜୀବନ ଏକ ଭଗ୍ନାଂଶ
ନୀହାରିକା ପଣ୍ଡା
************************
ଜୋଛନା ବାଦଲ ତଳେ ଜୀବନ ଲାଗେ କିଆଁ
ଏତେବେଶୀ ମୋତେ ଆପଣାର
ଆଶାର ଆସର ଯଦି ସାଜଇ ଅସୁର
ତଥାପି ବି ଭାରି ଲୋଭ ଏଇ ଜୀବନର ।
ଜୀବନର ଚଲାପଥ ଭାରି କଣ୍ଟକିତ
ନୁହେଁ ଗୋଲାପର ତୂଳୀତଳ୍ପ ଶେଯ
ସମୟ ନଇର ଧାରେ ସପନକୁ ସାଥୀ କରି
ଯାତ୍ରାପଥ କେଉଁଠି ସରିବ ଦରଜ !
ଜୀବନ କାହାଣୀ ସେ ଯେ ଘାତ ପ୍ରତିଘାତେ
ଆଗକୁ ଆଗକୁ ବହିଯାଏ
ଅସରନ୍ତି ସରାଗର ବୁକୁ ତଳେ ଅସୁମାରି ଢେଉ
ଅଧା ଭଲ ଅଧା ମନ୍ଦ ହୁଏ ।
କୋହର କୁହୁଡ଼ି କିବା ହସର ଫୁଆର ହେଉ
ରଚିଯାଏ ମୋହମାୟା ବାସ
ଆବେଗର ଆଳାପରେ ଆଳସ୍ୟ ଦୂରେଇ
ସ୍ମୃତିର ସେ ନୂଆନୂଆ ଦୃଶ୍ୟ ।
ଆତୁର ଅନ୍ଧାର ଦେହେ ଆଶ୍ୱାସନା ଆଲେଖିକା
ଲେଖା ସିନା ନିଆରା ଢଙ୍ଗର
ମୃତ୍ୟୁରୂପା ମେଘ ଢାଙ୍କେ କାଳ କବଳରେ
ସ୍ୱପ୍ନ ସବୁ ଭାଙ୍ଗି ଚୁରମାର ।
ସୁଖସ୍ୱପ୍ନ ପଥଧାରେ ଅଙ୍କକଷା ସୂତ୍ରେ
ଜୀବନଟା ସତେ ମାନସାଙ୍କ
ହେଲେ ସଂଗ୍ରାମ ସଂଘର୍ଷ ସାଥୀକରି
ଏଜୀବନ ଆୟୁଷ ନିଶ୍ଚୟ ଭଗ୍ନାଂଶ।
ଜୀବନ ଭଗ୍ନାଂଶର ସରଳୀକରଣ ସର୍ବଶେଷେ
ଶ୍ମଶାନ ମାଟିରେ ମୁଠାଏ ପାଉଁଶ ।
ଯେଉଁ ଜୀବନ ଭଲପାଇବାର ଭାବପ୍ରବଣରେ ମନେହେଉଥିଲା ଦିନେ ରଙ୍ଗମଞ୍ଚରେ
ମାଟିରୁ ଆକାଶ ଭଗ୍ନାଂଶ ହିଁ ଭଗ୍ନାଂଶ।
ନୀହାରିକା ପଣ୍ଡା